ଭିଜିଲାନ୍ସ ଭୟ: ୬ ବର୍ଷ ପରେ ଡିପ ବୋରୱେଲ ଓ ଜଳ ଯୋଗାଣ ବ୍ୟବସ୍ଥା ହସ୍ତାନ୍ତର ପାଇଁ ଉଦ୍ୟମ

ବ୍ରଜରାଜନଗର : ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦ ଅଞ୍ଚଳରେ ଥିବା ଗଭୀର ନଳକୂପ ( ଡିପ ବୋରୱେଲ ) ଖନନ, ପରିଚାଳନା ଓ ବାର୍ଷିକ ମରାମତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଦୀର୍ଘ ୬ ବର୍ଷ ତଳେ ଏହି ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ଜନ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଚୁକ୍ତିନାମା ( ଏମଓୟୁ ) ହୋଇଥିଲେ ହେଁ ଉଭୟ ପୌର କତ୍ତୃପକ୍ଷ ବର୍ଷ ବର୍ଷ ଧରି ଚୁପ ବସି ରହିଥିଲେ। ହେଲେ ବର୍ତ୍ତମାନ ଏହି କାରବାରରେ ଭିଜିଲାନ୍ସ ପଶିବାର ଭୟ ଥିବାରୁ ଏବେ ମୁଣ୍ଡରୁ ଅଠ ଖସାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଉଭୟ ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦ । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ ଗୁଡ଼ିକୁ ଜନ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ନେଇ ପତ୍ର ଯୋଗେ ଉଭୟ ପୌର ପରିଷଦ ଗୁହାରୀ କରିଛନ୍ତି। ସେପେଟେ ଚୁକ୍ତିନାମାର ୬ ବର୍ଷ ପରେ ଏହି ବିବଦମାନ ପ୍ରକଳ୍ପ ଗୁଡ଼ିକୁ ମୁଣ୍ଡାଇବା ପାଇଁ ଜନ ସ୍ବାସ୍ଥ୍ୟ ବିଭାଗ କୁଆଡ଼େ ଅମଙ୍ଗ ହେଲାଣି । ଫଳରେ ଉଭୟ ପୌର କର୍ତ୍ତୁପକ୍ଷଙ୍କ ଚିନ୍ତା ବୃଦ୍ଧି ପାଇଲାଣି।

ଅଭିଯୋଗ ଅନୁସାରେ , ବ୍ରଜରାଜନଗରର ପୌରଞ୍ଚଳବାସୀଙ୍କ ପାଇଁ ରହିଛି ମୋଟ ୧୦୬ଟି ଗଭୀର ନଳକୂପ। ତେବେ ଏଥିରୁ ମାତ୍ର ୭୯ ଟିର ବିଦ୍ୟୁତ ଦେୟ ୱେସ୍କୋକୁ ପ୍ରଦାନ କରାଯାଉଥିବା ସୂଚନା ଅଧିକାର ଆଧାରରେ ତଥ୍ୟ ମିଳିଛି। ସେହି ପରି ୨୦୦୯ରୁ ବିନା ଟେଣ୍ଡରରେ ଚାଲିଥିବା ଗଭୀର ନଳକୂପର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ପ୍ରତି ପ୍ରକଳ୍ପ ପିଛା ମାସିକ ୫୯୦୦ ଟଙ୍କା ଅନୁସାରେ ବର୍ଷକୁ ୭୦ , ୮୦୦ ଟଙ୍କା ଖର୍ଚ୍ଚ କରାଯାଉଛି। ତେଣୁ ଏହାର କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି ଉଠିଥିଲା। ସେପଟେ ଚୁକ୍ତିନାମାର ଦୀର୍ଘ ୬ ବର୍ଷ ପରେ ପ୍ରକଳ୍ପ ଗୁଡ଼ିକର ଜନସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ନେଇ ଉଭୟ ପୌର ପରିଷଦର ଲେଖିଥିବା ଚିଠିକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ବ୍ରଜରାଜନଗର ପୌର ପରିଷଦ ତାରିଖ – ୧୦ – ୧୨ ୨୦୨୦ , ପତ୍ର ’ ସଂଖ୍ୟା – ୪୪୯୭ ଓ ବେଲପହାଡ଼ ପୌର ପରିଷଦ ତାରିଖ- ୦୧ – ୧୨ – ୨୦୨୦ ପତ୍ର ସଂଖ୍ୟା- ୨୨୫୯ରେ ଜନ ସ୍ବାସ୍ଥ୍ୟ ବିଭାଗକୁ ଗଭୀର ନଳକୂପ ଷ୍ଟାଣ୍ଡ ପୋଷ୍ଟ ଏବଂ ପିଭିସି ୱାଟର ବ୍ୟାଙ୍କ ଗୁଡ଼ିକର ଯାଞ୍ଚ ଓ ହସ୍ତାନ୍ତର ପାଇଁ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିଯୋଜିତ କରିବାକୁ ଅନୁରୋଧ କରାଯାଇଛି। ଗତ ୧୫ ଜାନୁଆରୀ ୨୦୧୫ ଉଭୟ ବେଲପାହାଡ଼ ଓ ବ୍ରଜରାଜନଗର ପୌର ପରିଷଦର ଗଭୀର ନଳକୂପ ଓ ଜଳଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ହୋଇଥିଲା। ତେବେ ଉକ୍ତ ନଳକୂପ ଓ ଜଳ ଯୋଗାଣ ବ୍ୟବସ୍ଥା ଗୁଡ଼ିକର କାର୍ଯ୍ୟକାରିତା ଓ ସାମ୍ପ୍ରତିକ ପରିସ୍ଥିତି ନେଇ ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ପତ୍ର ସଂଖ୍ୟା- ୬୦୯ ୭ ତାରିଖ ୧୪ ୧୨ , ୨୦୨୦ରେ ଝାରସୁଗୁଡ଼ା ଜନ ସ୍ବାସ୍ଥ୍ୟ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଉଭୟ ବ୍ରଜରାଜନଗର ଓ ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଅପରପକ୍ଷେ ଉଭୟ ପୌର ପରିଷଦରେ ଥିବା ଗଭୀର ନଳକୂପ ଓ ତାର ଜଳ ଯୋଗାଣ ବ୍ୟବସ୍ଥାର ସମସ୍ତ ତଥ୍ୟ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରଦାନ କରିବାକୁ କୁହାଯାଇଛି । ହସ୍ତାନ୍ତର କରିବା ପୂର୍ବରୁ ଗଭୀର ନଳକୂପ ଗୁଡ଼ିକର ଗଭୀରତା, ଜଳ ଅମଳ , କେତୋଟି ପମ୍ପ ଲାଗିଛି ଓ ତାର ବିଦ୍ୟୁତିକରଣ ବ୍ୟବସ୍ଥା, ବିଦ୍ୟୁତ ବିଲ ବକେୟା ଓ ଉପଭୋକ୍ତା ନମ୍ବର ଆଦିର ସବିଶେଷ ସ୍ଥିତି ବାବଦରେ ତଥ୍ୟ ପ୍ରଦାନ କରିବା ପରେ ପ୍ରକଳ୍ପ ଗୁଡ଼ିକ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆଗେଇ ପାରିବ ବୋଲି ଝାରସୁଗୁଡ଼ା ଜନ ସ୍ବାସ୍ଥ୍ୟ ଡିଭିଜନର ନିର୍ବାହୀ ଯନ୍ତ୍ରୀ କ୍ଷମାଶୀଲ ପଟେଲ ସୂଚନା ପ୍ରଦାନ କରିଛନ୍ତି । ଗତ ସେପଟେମ୍ବର ମାସରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରଜରାଜନଗର ପୌର ପରିଷଦର ପୂର୍ବତନ ନିର୍ବାହୀ ଅଧ୍ୟକାରୀ ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଭିଜିଲାନ୍ସ ବିଭାଗ ନଥିପତ୍ର ଖୋଲତାଡ଼ କରୁଥିବାର ଫଳସ୍ବରୂପ ଏହି ପତ୍ର ବିନିମୟ ହୋଇଥିବା କୁହାଯାଉଛି ।

Comments are closed.