ବିପୁଳ ପରିମାଣର ମଦ ଜବତ, ୨ ଅଟକ

ବ୍ରଜରାଜନଗର: ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ରାଣୀବନ୍ଧ ଅଞ୍ଚଳର ଦୁଇଟି ଦୋକାନରେ ସୋମବାର ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ପୁଲିସ ଏ ମାମଲାରେ ଦୁଇ ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସେପଟେ ଜବତ ହୋଇଥିବା ବିଦେଶୀ ଓ ଦେଶୀ ମଦର ପରିମାଣ ଆକଳନ ଜାରି ରହିଥିବା ସୂଚନା ମିଳିଛି। ଅଟକ ଦୁଇ ଜଣ ହେଲେ ସମୀର ମେହେର ଓ ଅକ୍ଷୟ ମେହେର।

ସୂଚନା ଯୋଗ୍ୟ ଯେ, ରାଣୀବନ୍ଧ ଅଞ୍ଚଳର କେତୋଟି ଦୋକାନରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ଖବର ପାଇବା ପରେ ଆଜି ରାତି ୯ଟାରେ ଚଢ଼ାଉ କରିଥିଲେ। ଘଟଣା ବାବଦରେ ପୁଲିସ ଉପ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋଙ୍କୁ ଖବର ଦେବା ପରେ ଶ୍ରୀ ଟପ୍ପୋ ପହଞ୍ଚିଥିଲେ। ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୁଲିସ ଚଢ଼ାଉ କରି ଦୁଇଟି ଦୋକାନ ଓ ଦୋକାନ ମାଲିକଙ୍କ ଘରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା। ତେବେ ଏ ଘଟଣାରେ ପୁଲିସ ଦୁଇ ଦୋକାନର ମାଲିକଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ଜବତ ବେଆଇନ ଦେଶୀ ଓ ବିଦେଶୀ ମଦ ପରିମାଣ ଆକଳନ ଚାଲିଥିବା ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ କହିଛନ୍ତି।

Comments are closed.