ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଜୁଲୁମ, ୭ କିଲୋମିଟରକୁ ଗାଡ଼ି ଭଡ଼ା ୩୦ ଟଙ୍କା !

ବ୍ରଜରାଜନଗର : ଲକଡାଉନ ପ୍ରଭାବରେ ଅନେକ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ହେଲେ ଏଭଳି ଆର୍ଥିକ ଅଭାବ ପରିସ୍ଥିତିରେ ଅଟୋ ଓ ଅନ୍ୟ ଲଘୁ ଯାତ୍ରୀ ବାହିତ ଗାଡ଼ି ଯାତ୍ରୀଙ୍କ ଠାରୁ ମନ ଇଚ୍ଛା ଭଡ଼ା ଆଦାୟ କରି ଏକ ପ୍ରକାର ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଝାରସୁଗୁଡ଼ା ସହରରେ ଜିଲା ପ୍ରଶାସନର ସମସ୍ତ କାର୍ଯ୍ୟାଳୟ ରହିଥିବା ବେଳେ ଏସପି ଅଫିସ , ବିଭିନ୍ନ ବ୍ୟାଙ୍କ , ଡାକ୍ତରଖାନା , ଦୋକାନ ବଜାର , ବସ ଷ୍ଟାଣ୍ଡ ଇତ୍ୟାଦି ରହିଛି । ଏସ୍ ପାଇଁ ବ୍ରଜରାଜନଗର ଅଞ୍ଚଳରୁ ଦୈନଦିନ ଶହ ଶହ ଲୋକ ବସ , ଅଟୋ , ଟାଟା ମ୍ୟାଜିକ ଯୋଗେ ଝାରସୁଗୁଡ଼ାକୁ ଯିବା ଆସିବା କରିଥାନ୍ତି । ତେବେ ଏହି ଯାତ୍ରୀବାହୀ ଗାଡ଼ି ଗୁଡ଼ିକ ଯାତ୍ରୀଙ୍କ ଠାରୁ ମନମୁଖୀ ଭଡ଼ା ଆଦାୟ କରୁଛନ୍ତି । ବ୍ରଜରାଜନଗର ମୁଖ୍ୟ ପ୍ରବେଶ ପଥ ଗାନ୍ଧିଛକରୁ ଝାରସୁଗୁଡ଼ା ବାଇପାସର ଦୂରତା ପ୍ରାୟ ୭ କିଲୋମିଟର । ତେବେ କିଛି ମାସ ପୂର୍ବରୁ ଗାନ୍ଧିଛକ ବାଇପାସ ପର୍ୟ୍ୟନ୍ତ ଯାତ୍ରୀଙ୍କଠାରୁ ୧୦ ଟଙ୍କା ଭଡ଼ା ଆଦାୟ କରାଯାଉଥିବା ବେଳେ ବର୍ତ୍ତମାନ ତାହା ଅହେତୁକ ମାତ୍ରାରେ ବୃଦ୍ଧି ପାଇ ୩୦ ଟଙ୍କା ହୋଇଯାଇଛି । ସେହି ପରି ବସ ଗୁଡ଼ିକ ମଧ୍ୟ ଝାରସୁଗୁଡ଼ାକୁ ୧୦ ଟଙ୍କା ପରିବର୍ତ୍ତେ ୨୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି । ସବୁଠାରୁ ଚିନ୍ତାର ବିଷୟ ଟାଟା ମ୍ୟାଜିକ ଓ ଅଟୋ ଗୁଡ଼ିକ କୋଭିଡ଼ ନିୟମକୁ ଖୋଲମଖୁଲା ଉଲ୍ଲଘନ କରି ଗୋଟିଏ ଟ୍ରିପରେ ୧୦ ରୁ୧୨ ଜଣ ଯାତ୍ରୀ ପରିବହନ କରୁଛନ୍ତି । ବସ ଗୁଡ଼ିକରେ ସମାନ ପରିସ୍ଥିତି ଦେଖା ଦେଇଛି । କୌଣସି ବସରେ ସାମାଜିକ ଦୂରତା ପାଳନ କରୁନଥିବା ସହିତ କେତେକ ଯାତ୍ରୀ ବିନା ପାସ୍କରେ ଯାତ୍ରା କରୁଥିବାର ଅଭିଯୋଗ ହେଉଛି । ଛୋଟ ଛୋଟ ଯାତ୍ରୀବାହୀ ଗୁଡ଼ିକରୁ ଲଗାମ ଛଡ଼ା ଭଡ଼ା ଆଦାୟ ଯୋଗୁଁ ଗରିବ , ଅସହାୟ ପରିବାର ଭାରି ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ହେଲେ ଅନ୍ୟ କୌଣସି ବାଟ ନଥିବାରୁ ବାଧ୍ୟ ହୋଇ ଏମାନେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ସେପଟେ ଜିଲା ପ୍ରଶାସନ , ପୁଲିସ କିମ୍ବା ଆଞ୍ଚଳିକ ପରିବହନ ବିଭାଗ ଚୁପ ବସିଥିବାରୁ ଏଭଳି ଯାତ୍ରୀବାହୀ ଗାଡ଼ି ମାଲିକଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ି ଚାଲିଛି । ଅପରପକ୍ଷେ ବେପରୁଆ ଭାବେ ଗାଡ଼ି ଚାଳନା କରୁଥିବାରୁ ଯାତ୍ରୀ ମଧ୍ୟ ଭୟରେ ଯାତାୟତ କରୁଛନ୍ତି । ଏ ପ୍ରତି କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Comments are closed.