ଟ୍ରକ ଧକ୍କାରେ ଭାଙ୍ଗିଲା ଗାନ୍ଧିଛକ, ଉପୁଡ଼ିଲା ହାଇମାଷ୍ଟ ଲାଇଟ

ବ୍ରଜରାଜନଗର: ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଗାନ୍ଧିଛକ ଗୋଲେଇ ନଷ୍ଟ ହୋଇଯାଇଥିବା ବେଳେ ଛକରେ ଥିବା ହାଇମାଷ୍ଟ ଲାଇଟ ଉପୁଡି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହେଲେ ଏଥିରେ କେହି ମୃତହାତ ହୋଇନଥିବା ସୂଚନା ମିଳିଛି।

ମିଳିଥିବା ଖବର ଅନୁଯାୟୀ, ଗତ କାଲି ରାତି ପ୍ରାୟ ୧ଟାଏ ସମୟରେ ବେଳପାହାଡ଼ ପଟୁ ଆସୁଥିବା ଏକ ଖାଲି ଟ୍ରକ ଗାନ୍ଧିଛକ ଗୋଲେଇକୁ ଧକ୍କା ଦେଇ ତାଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଯୋଗୁଁ ଗାନ୍ଧିଛକକୁ ଆଲୋକିତ କରୁଥିବା ହାଇମାଷ୍ଟ ଲାଇଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାଇଟ ଖୁଣ୍ଟଟି ଗାଡି ତଳେ ଚାପି ହୋଇ ରହିଥିଲା। ସେପଟେ ଖବର ପାଇବା ପରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି ଏବଂ ଗାନ୍ଧିଛକ ଫାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାଟି ବ୍ୟସ୍ତ ବହୁଳ ୪୯ ନମ୍ବର ଜାତୀୟ ରାଜପଥ ତଥା ବ୍ରଜରାଜନଗରର ପ୍ରବେଶ ପଥରେ ଘଟିଥିବାରୁ ପୁଲିସ ଅତି ଶୀଘ୍ର ଟ୍ରକକୁ ରାସ୍ତାରୁ ହଟାଇଥିଲେ। ତା ସହିତ କ୍ଷତିଗ୍ରସ୍ତ ହାଇମାଷ୍ଟ ଲାଇଟକୁ ମଧ୍ୟ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିଥିଲା। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଝାଡ଼ଖଣ୍ଡର ହୋଇଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦି କହିଛନ୍ତି।

Comments are closed.