ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ବ୍ରଜରାଜନଗର: ବଘରଚକା ଗ୍ରାମର ବାସନ୍ତୀ ସିଂହ(୭୦)ଙ୍କ ଗଳିତ ଶବ ଶନିବାର ରାଜପୁର କଟାପାଲି ଗ୍ରାମର ଏକ ବିଲରୁ ଉଦ୍ଧାର ହୋଇଛି। ସେପଟେ ମୃତ ବୃଦ୍ଧାଙ୍କ ଗଳିତ ଶବର ଅଙ୍ଗ ପ୍ରତ୍ୟଙ୍ଗ କୌଣସି ଜନ୍ତୁ ଖାଇ ଦେଇଥିବାରୁ ଏଣେ ତେଣେ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶି ଭୂଷଣ ପୋଢ଼, ଏଏସଆଇ ଦୁବରାଜ କାଲୋ, କ୍ଷୀରୋଦ୍ର ବିହାରୀ ବାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ସହିତ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାର ଯାଞ୍ଚ କରି ଫେରିଛନ୍ତି।

ସୂଚନାଯୋଗ୍ୟ ଯେ, ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ବଘରାଚକା ଗ୍ରାମର ବାସନ୍ତୀ ସିଂହ ( ୭୦ ) ଗତ ୨୦ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କଲେ ସୁଦ୍ଧା ତାଙ୍କ କୌଣସି ପତା ନ ମିଳିବାରୁ ଶେଷରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ବାସନ୍ତୀ ଗତ ୨୦ ତାରିଖ ସଂନ୍ଧ୍ୟାରେ ଟର୍ଚ୍ଚ ଧରି ଘରୁ ବାହାରକୁ ପରିଶ୍ରା ପାଇଁ ବାହାରିବା ପରେ ଆଉ ଘରକୁ ଫେରି ନ ଥିଲେ। ଅନେକ ସମୟ ବିତିବା ପରେ ପରିବାର ଓ ସାହି ପଡ଼ିଶା ଲୋକେ ତାଙ୍କୁ ଚାରି ଆଡ଼େ ଖୋଜା ଖୋଜି କରିଥିଲେ ହେଁ ମାତ୍ର ପାଇନଥିଲେ। ନିରାଶ ହେବା ପରେ ପରିବାର ଲୋକେ ଗାନ୍ଧିଛକ ଫାଣ୍ଡିରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ମଧ୍ୟ ନିଖୋଜ ମହିଳାଙ୍କ ଅନୁସଂଧାନ ସହିତ ତଦନ୍ତ ଜାରି ରଖିଥିବା ବେଳେ ଆଜି ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଏକ ବିଲରେ ପଡି ରହିଥିବା ସୂଚନା ପାଇଥିଲା।

Comments are closed.