ବ୍ରଜରାଜନଗର ଉପନିର୍ବାଚନ, ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଡେସ୍କ: ଚଳିତ ମାସ ୩୧ ତାରିଖରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ମଣ୍ଡଳୀ (୦୬)ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ, ସେ ନେଇ ଆଜି ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଏବଂଶୃଙ୍ଖଳା) ଆର୍‌. କେ. ଶର୍ମା, ଆଇ.ଜି (ହେଡ୍‌କ୍ୱାଟର୍ସ) ଏସ୍‌. ଦେବଦତ୍ତ ସିଂ, ଆଇ.ଜି (ପର୍ସୋନେଲ) ସ୍‌. ପ୍ରବୀଣ କୁମାର, ଆଇ.ଜି (ଉତ୍ତରାଞ୍ଚଳରେଞ୍ଜ୍‌) ଡ. ଦୀପକ କୁମାର, ଡି.ଆଇ.ଜି (ଇଣ୍ଟେଲିଜେନ୍ସ) ଅନୁପ କୁମାର ସାହୁ ଏବଂ ଝାରସୁଗୁଡା ଏସ୍‌.ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଡି.ଜି.ପି ଶ୍ରୀ ବଂସଲ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ନିର୍ବାଚନ ଆଚରଣବିଧିକୁ କଡାକଡି ଭାବେ ପାଳନ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ କରିବା ଉପରେ ଡି.ଜି.ପି ଗୁରୁତ୍ୱାରୋପ କରିଥିଲେ।ଏହା ଛଡା ନିର୍ବାଚନ ପ୍ରଚାର କରିବାକୁ ଆସୁଥିବା ଭି.ଆଇ.ପି ଏବଂ ଭି.ଭି.ଆଇ.ପିଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଡି.ଜି.ପି ବରିଷ୍ଠ ଅଧିକରୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ୧୧୦/୧୦୭ ସି.ଆର.ପି.ସିରେ ସଂମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ, ବେଆଇନ ମଦ ଜବତ ଏବଂ ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବାକୁ ଡି.ଜି.ପି ନିର୍ଦ୍ଦେଶ ଦେଇଛନ୍ତି।

ଉପନିର୍ବାଚନ ସମୟରେ ବ୍ରଜରାଜନଗରର ଆଇନଶୃଙ୍ଖଳା ପରିସ୍ଥିତି, ଫୋର୍ସ ମୁତୟନ, ମୋବାଇଲ ସ୍କ୍ୱାର୍ଡ, ଫ୍ଲାଇଙ୍ଗ ସ୍କ୍ୱାର୍ଡର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ନିର୍ବାଚନ ମଣ୍ଡଳୀର ସମ୍ୱେଦନଶୀଳ ସ୍ଥାନଗୁଡିକରେ ନାକାବନ୍ଦୀ କରି ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ଉପରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଏବଂଶୃଙ୍ଖଳା) ଆର୍‌. କେ. ଶର୍ମା ଗୁରୁତ୍ୱ ପ୍ରଦାନ କରିଥିଲେ।ଉପନିର୍ବାଚନ ସହିତ ସଂପୃକ୍ତ ଥିବା ଗୁଇନ୍ଦା ତଥ୍ୟ ସମ୍ପର୍କରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଅବଗତ କରାଇଥିଲେ। ଏହା ସହ ବିଧାନସଭା ମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କଥା ବୈଠକରେ ଉଲ୍ଲେଖ କରିଥିଲେ।

ଏହି ଉପନିର୍ବାଚନକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ନିମନ୍ତେ ତିନୋଟି କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ୧୨ ପ୍ଲାଟୁନ ଓ.ଏସ୍. ଏ.ପି, ୨୫ ମୋବାଇଲ ପାଟ୍ରୋଲିଂ ପାର୍ଟି, ୬ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ, ୧୦ ଏସ୍.ଏସ୍.ଟି ସମେତ ଜିଲ୍ଲାର ପୁଲିସ ଅଧିକାରୀ/ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବୈଠକରୁ ଜଣାପଡିଛି। ଏପର୍ଯ୍ୟନ୍ତ ୧୧୫୦ ଲିଟର ମଦ, ଦୁଇଟି ବେଆଇନ ବନ୍ଧୁକ, ୧୩୮ଟି ଅବକାରୀ ମାମଲା ଏବଂ ୯୦ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ଷ୍ଟ୍ରଙ୍ଗରୁମ୍‌ରେ ଇ.ଭି.ଏମଗୁଡିକୁ ସୁରକ୍ଷିତ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.