ଚିନ୍ତା ବଢାଇଲା କରୋନା ; ବ୍ରଜରାଜନଗର ଦିନକରେ ୧୯ କରୋନା ପଜିଟିଭ୍‍

ବ୍ରଜରାଜନଗର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଅଂଚଳରେ ଆଜି ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ମୋଟ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ ସୂଚନା ପ୍ରଦାନ କରିଛନ୍ତି।

ଗତ ୬ ତାରିଖ ଦିନ ଗୁରୁଗ୍ରାମରୁ ଆସି ବ୍ରଜରାଜନଗର ଓରିଏଣ୍ଟ ପେପର ମିଲ (ଓପିଏମ) କଲୋନୀଠାରେ ହୋମ କ୍ବାରେଣ୍ଟାଇନ ଥିବା ୨୯ ବର୍ଷିୟ ମହିଳା ଜଣକର ଗତ ରବିବାର ଦିନ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ତାଙ୍କୁ ରାଉରକେଲା ସ୍ଥିତ କୋଭିଡ଼ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା।  ଜିଲାର ୧୮ ତମ କରୋନା ଆକ୍ରାନ୍ତ ଓପିଏମ କଲୋନୀରୁ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ବିଭକ୍ତ କରାଯାଇ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଥିଲା। ହେଲେ ଆଜି ପୁଣି ସେହି ଅଂଚଳରୁ ନୂତନ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ପଜିଟିଭ ଚିହ୍ନଟ ହୋଇଥିବା ମହିଳାଙ୍କ ସଂସ୍ପର୍ଶରେ ଆସିଥିବାରୁ ଗତ ୧୭ ତାରିଖ ଦିନ ଏମାନଙ୍କ ସ୍ୱାବ ପରିକ୍ଷା ପାଇଁ ପଠାଯାଇଥିଲା। ସଂକ୍ରମିତଙ୍କ ମଧ୍ୟରେ ୩-୪ଟି ପରିବାରର ସଦସ୍ୟ ରହିଥିବା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ କହିଛନ୍ତି। ସେପଟେ ମଣ୍ଡଳିଆ ଅଂଚଳରୁ ଦୁଇ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ମହାରାଷ୍ଟ୍ରରୁ ଫେରିବା ପରେ ଆବସିକ ସଙ୍ଗରୋଧରେ ଥିଲେ। ଗତ ୧୭ ତାରିଖ ଉଭୟଙ୍କ ସ୍ୱାବ ପରିଣକ୍ଷ ପାଇଁ ପଠାଯାଇଥିଲା ଏବଂ ତାହା ଆଜି ପଜେଟିଭ ଆସିଛି।

ସମସ୍ତ କରୋନା ସଂକ୍ରମିତଙ୍କୁ ଚିକତ୍ସା ପାଇଁ କରୋନା ହସପିଟାଲକୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲ କହିଛନ୍ତି। ଗୋଟିଏ ଦିନରେ ୧୯ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। କରୋନା ସଂକ୍ରମିତ ସଂଖ୍ୟା ବ୍ୟାପିବା ପରେ ସ୍ଥାନୀୟ ଅଂଚଳର ରାସ୍ତା ଘାଟ ଜନଶୁନ୍ୟ ହେବା ସହିତ ବାହାରେ ବୁଲୁଥିବା ଲୋକେ ଘର ଭିତରକୁ ଚାଲିଯାଇଥିଲେ। ଲକ୍‍ ଡ଼ାଉନ ନିୟମ କୋହଳ ହୋଇଥିବାରୁ ସ୍ଥିତି ସାମାନ୍ୟ ଆଡ଼କୁ ଗତି କରୁଥିଲା। ହେଲେ ଆଜିର ଘଟଣା ପରେ ଜିଲ୍ଲାକୁ କାଳେ ସଟ ଡ଼ାଉଟ ଘୋଷଣା କରାଯିବ ସେନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଅପରପକ୍ଷେ ରାଜ୍ୟ ବାହାରୁ ଆସୁଥିବା ସଂଖାଧିକ ଲୋକଙ୍କୁ କ୍ୱାରାଂଟାଇନ ସେଂଟର ପରିବର୍ତେ ହୋମ କ୍ୱାରାଂଟାଇନ ରଖାଯାଉଥିବା ଜନ ଅସନ୍ତୋଷ ପ୍ରକାଶ ପାଇଛି। କ୍ୱାରାଂଟାଇନରେ ଥିବା ଲୋକେ ସରକାରଙ୍କ ସମସ୍ତ ନିୟମ କାନୁନକୁ ଫୁ କରି ସାରା ଅଂଚଳ ବୁଲାବୁଲି କରି ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଥିବା ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି। ସେପଟେ ପୂର୍ବରୁ ଏ ବାବଦରେ ପୌରପରିଷଦରେ ଲିଖତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସ୍ଥିତି ସାମାଜିକ ସଂକ୍ରମଣ ଆଡ଼କୁ ମୁହାଇଁଥିବା ଲୋକେ ଅଭିଯାଗ କରିଛନ୍ତି। ଏନେଇ ଆଜି ସଂଯୁକ୍ତା ମହାପାତ୍ର, ପ୍ରମୋଦ ପଣ୍ଡା, ଜୀବନ ସାର୍ଥକ ଦାସ, ରବି କୁମାର ସୋନି ସେମତ ଅନେକ ଜନ ସାଧାରଣ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟଳୟଠାରେ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅସନ୍ତୋଷ ପ୍ରକାଶ କରିଥିଲେ।

Comments are closed.