ଦୁର୍ନୀତିରେ ଉବୁଟୁବୁ ବ୍ରଜରାଜନଗର ପୌର ପରିଷଦ: ଯୁବ କଂଗ୍ରେସ

ଭିଜିଲାନ୍ସ ତଦନ୍ତ ଦାବି

ବ୍ରଜରାଜନଗର : ବ୍ରଜରାଜନଗର ପୌର ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବାରୁ ବର୍ତ୍ତମାନ ପ୍ରଶାସନିକ ଅଧିକାରୀଙ୍କ ହାତରେ ଶାସନ ଭାର ରହିଛି। ହେଲେ ନିର୍ବାଚିତ ଜନପ୍ରତିନିଧିଙ୍କ ଅଭାବରୁ ଏହା ଦୁର୍ନୀତିର ଗନ୍ତାଘର ପଲଟିଥିବା ବ୍ରଜରାଜନଗର ଯୁବ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି।
ଝାରସୁଗୁଡା ସ୍ଥିତ ଭିଜିଲାନ୍ସ ଡିଏସପିଙ୍କ ନିକଟରେ ଶୁକ୍ରବାର ବ୍ରଜରାଜନଗର ଯୁବ କଂଗ୍ରେସ ଫେରାଦ ହେବା ସହିତ ଏହି ଘଟଣାରେ ଭିଜିଲାନ୍ସଙ୍କ ହସ୍ତକ୍ଷେପ ଲୋଡିଛି। ବ୍ରଜରାଜନଗର ପୋୖରାଞ୍ଚଳରେ ଜିଲା ଖଣିଜ ପାଣ୍ଠି ବିନିମୟ ଦ୍ୱାରା ଏକାଧିକ ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ବ୍ରଜରାଜନଗର ପୌର ପରିଷଦର ତଦାରଖରେ ଚାଲିଥିବା ରେମଜା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଖରାପ ଓ ନିମ୍ନମାନର ବୋଲି ଅଭିଯୋଗ କରାଯାଇଛି। ସେହିପରି ପୌର ପରିଷଦ ପକ୍ଷରୁ କେତେକ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଦୁର୍ନୀତି ବର୍ଷ ବର୍ଷ ଧରି ବଢି ଚାଲିଛି। ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ଗଭୀର ନଳକୂପର ବାର୍ଷିକ ମରାମତିର ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ମାତ୍ରାରେ ଅନିୟମିତତା ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।

ସେହିପରି ଲକ୍ ଡାଉନ୍ ସମୟରେ ଜୀବନ ଜୀବିକା ହରାଇଥିବା ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଶ୍ରମ ନିୟୋଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହେଲେ ଏହି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜନୈତିକ ଅଭିସନ୍ଧି ରଖି ଟଙ୍କା ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ପୌର ପରିଷଦର ଜଣେ ସହକାରୀ- ଯନ୍ତ୍ରୀ ବର୍ଷ ବର୍ଷ ଧରି ଗୋଟିଏ ଅଫିସରେ ରହି କାମ କରୁଥିବାରୁ ଦୁର୍ନୀତି ତାର ଚରମ ସୀମା ଟପିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି। ବ୍ରଜରାଜନଗର ପୋୖରାଞ୍ଚଳରେ ଜଳ ଯୋଗାଣ ନେଇ ରାସ୍ତାଗୁଡିକୁ ଖୋଲି ପାଇପ୍ ବିଛା ଯିବା ପରେ ମରାମତି କରାଯାଇଥିଲା। ହେଲେ ଅତି ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ ରାସ୍ତାରୁ କଂକ୍ରିଟ ଛାଡି ଯାଉଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଛି ବ୍ରଜରାଜନଗର ଯୁବ କଂଗ୍ରେସ। ସେପଟେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ଅଭିଯୋଗ ଗୁଡିକର ତଦନ୍ତ କରାନଗଲେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଡିଏସପି ଭିଜିଲାନ୍ସ ଅଫିସ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ବ୍ରଜରାଜନଗର ଯୁବ କଂଗ୍ରେସ ଚେତାବନୀ ଦେଇଛି।

Comments are closed.