କଣ୍ଡୁରୀକଟା ନିକଟରେ ଘାଇ, ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ପାଣି

ବ୍ରଜରାଜନଗର: ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାନ୍ଦନୀମାଲ ପଞ୍ଚାୟତ କେଛୋବାହାଲ ଗ୍ରାମର କଣ୍ଡୁରୀକଟା ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ଅନେକ ଚାଷ ଜମିକୁ ପାଣି ପଶିଯାଇ ଫସଲ ନଷ୍ଟ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ବିହାଯୋର ଓ ନୂଆପଡ଼ା ଅଞ୍ଚଳରୁ ପ୍ରଖର ସ୍ରୋତରେ ବର୍ଷା ଜଳ କେଛୋବାହାଲ କଣ୍ଡୁରୀକଟାରୁ ମାଡ଼ି ଆସିଥିଲା। ତେବେ କଣ୍ଡୁରୀକଟାରୁ ଉଛୁଳା ବର୍ଷା ଜଳ କେଛେବାହାଲ ଜଳାଶୟକୁ ପ୍ରବାହିତ ହେବା ପରିବର୍ତ୍ତେ ୧୫ ଫୁଟର ଏକ ଘାଇ ସୃଷ୍ଟି କରି ଲୋକଙ୍କ ଚାଷ ଜମି ଉପରେ ପ୍ରବଳ ବେଗରେ ମାଡ଼ି ଯାଇଥିଲା। ଯାହା ଫଳରେ ଅନେକ ଲୋକଙ୍କ ଧାନ ଚାଷ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘାଇକୁ ମରାମତି କରିଥିଲେ ହେଲେ ପ୍ରବଳ ବେଗରେ ଜଳ ପ୍ରବାହିତ ହେଉଥିବାରୁ ତାହା ପୁଣି ଭାଙ୍ଗିଯାଇଥିଲା। ଚାନ୍ଦନୀମାଲ ପୂର୍ବତନ ସରପଞ୍ଚ କେଶବ ରୋହିଦାସଙ୍କ କହିଛନ୍ତି ଯେ ଝାରମୁଡ଼ା ଅଞ୍ଚଳରେ ଥିବା ତାଙ୍କ ପରିବାରର ଦେଢ ଏକର ଚାଷ ଜମିରେ ଧାନ ଚାଷ କରାଯାଇଥିଲା। ହେଲେ କଣ୍ଡୁରୀକଟା ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଥିବାରୁ ବର୍ଷା ଜଳ ତାଙ୍କ ଜମି ଦେଇ ପ୍ରବାହିତ ହୋଇଥିଲା। ସେହି ପରି ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ୪ ଦିନ ଧରି ତାଙ୍କ ଧାନ ଚାଷ ଜମି ଉପରେ ୪-୫ ଫୁଟ ବର୍ଷା ଜଳ ବର୍ତମାନ ସୁଦ୍ଧା ଜମି ରହିଛି। ଫଳରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଛି। ଅପରପକ୍ଷେ ଝାରମୁଣ୍ଡା ଅଞ୍ଚଳରେ ଥିବା ଅନେକ ଲୋକଙ୍କ ଚାଷ ଜମିରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ସେମାନଙ୍କ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ଶୀଘ୍ର କଣ୍ଡୁରୀକଟା ଘାଇର ମରାମତି କରିବା ସହିତ ଚାଷ କ୍ଷୟକ୍ଷତିର ଆକଳନ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ରୋହିଦାସ ଦାବି କରିଛନ୍ତି।

Comments are closed.