ମୃତ୍ୟୁ ପୂର୍ବରୁ ୭ଜଣଙ୍କୁ ଦେଲେ ନୂଆ ଜୀବନ

0

ବେଙ୍ଗାଲୁରୁ : ଦୁର୍ଘଟଣା ଯୋଗୁଁ ମସ୍ତିଷ୍କ ମୃତ ହୋଇଥିବା କର୍ଣ୍ଣାଟକର ଜଣେ ଯୁବକ ନିଜର ଦୁଇ ହାତକୁ ପୁଡୁଚେରୀର ଜଣେ ଯୁବକଙ୍କୁ ଦାନ କରିଛନ୍ତି। ମସ୍ତିଷ୍କ ମୃତ ଯୁବକଙ୍କ ଦୁଇ ହାତକୁ ସୋମବାର ସଂଗ୍ରହ କରାଯାଇ ରାସାୟନିକ ମିଶ୍ରଣରେ ସଂରକ୍ଷଣ କରାଯାଇଥିଲା। ପରେ ଏହାକୁ ବରଫ ଭର୍ତ୍ତି ବାକ୍ସରେ ରଖାଯାଇ ମାତ୍ର ୩ଘଣ୍ଟା ମଧ୍ୟରେ ୩୦୦ କିମି ଦୂର ପୁଡୁଚେରୀକୁ ନିଆଯାଇଥିଲା। ସେଠାରେ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ୍‍ ଅଫ ପୋଷ୍ଟଗ୍ରାଜୁଏଟ୍‍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜେଆଇପିଏମ୍‍ଇଆର୍‍)ରେ ଚିକିତ୍ସିତ ହେଉଥିବା ଯୁବକଙ୍କ ଶରୀରରେ ହାତ ଦୁଇଟିକୁ ପ୍ରତିରୋପଣ କରାଯାଇଥିଲା। ହାତ ପ୍ରତିରୋପଣ ହୋଇଥିବା ଯୁବକ ଜଣଙ୍କ ଏକ କାରଖାନାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୁଇ ହାତ ହରାଇଥିଲେ। ହାତ ଦାନ କରିଥିବା ଯୁବକ ବିରାଟ (ଛଦ୍ମନାମ) ନଭେମ୍ବର ୧୫ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ମସ୍ତିଷ୍କ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ସତ୍ତ୍ବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ନଭେମ୍ବର ୧୬ରେ ଡାକ୍ତର ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରିଥିଲେ।
ବିରାଟଙ୍କର ହାତ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ ଲାଗି ତାଙ୍କ ପିତାମାତା ରାଜି ହୋଇଥିଲେ। ପିତାମାତାଙ୍କ ସମ୍ମତି ଭିତ୍ତିରେ ବିରାଟଙ୍କର ହାତ ସହିତ ହୃତ୍‍ପିଣ୍ଡ, କିଡନୀ, ଯକୃତ, ଆଖି ଓ ହାର୍ଟ ଭାଲଭ୍‍ ଆଦି ଅନ୍ୟମାନଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ମୃତ୍ୟୁ ପୂର୍ବରୁ ବିରାଟ ୭ଜଣଙ୍କୁ ନୂଆ ଜୀବନ ଦେବାରେ ସହାୟକ ହୋଇଛନ୍ତି। ବିରାଟଙ୍କ ହୃତପିଣ୍ଡକୁ ମଧ୍ୟପ୍ରଦେଶର ଜଣେ ୧୮ବର୍ଷର ବାଳିକା, ଯକୃତକୁ ବେଙ୍ଗାଲୁରୁର ଜଣେ ୬୭ ବୃଦ୍ଧ, କିଡନୀକୁ ମହୀଶୂରର ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। କର୍ଣ୍ଣାଟକରେ ପ୍ରଥମ କରି ହାତ ପ୍ରତିରୋପଣ କରାଯାଇଛି। ବିରାଟଙ୍କ ପିତାମାତା ଅତ୍ୟନ୍ତ ଗରିବ। ତାଙ୍କ ଘର ବିହାର ହୋଇଥିବାବେଳେ କର୍ଣ୍ଣାଟକରେ ରହୁଥିଲେ। ପୂର୍ବରୁ ବିରାଟଙ୍କର ଅନ୍ୟ ତିନି ଭାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Leave A Reply