ମୃତ୍ୟୁ ପୂର୍ବରୁ ଦେଇ ଗଲେ ୩ଜୀବନ

0

କଲକାତା: କୁହାଯାଏ ଜନ୍ମ ଓ ମୃତ୍ୟୁ ଉପରେ କାହାରି ନିୟନ୍ତ୍ରଣ ନାହିଁ। ତେବେ ଯଦି ଉଦ୍ଦେଶ୍ୟ ମହତ୍‍ ହୁଏ ତେବେ ଜଣେ ସାଧାରଣ ମଣିଷର କର୍ମ ମଧ୍ୟ ଅଲୌକିକ ଘଟଣାରେ ପରିଣତ ହୋଇପାରେ। ଏଭଳି ଏକ ଘଟଣା କଲକାତାରେ ଘଟିଯାଇଛି। ୫୮ବର୍ଷୀୟ ଏହି ମହାନ ବ୍ୟକ୍ତିଙ୍କ ପାଇଁ ୩ଜଣ ବ୍ୟକ୍ତି ମୃତ୍ୟୁ ମୁଖରୁ ଉଦ୍ଧାର ପାଇଛନ୍ତି। ତାଙ୍କର ଗୋଟିଏ ଯକୃତ ଓ ୨ଟି ବୃକକ୍‍ କଲକାତାର ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ୩ଜଣଙ୍କ ଜୀବନ ବଞ୍ଚାଇ ପାରିଛି। ବ୍ରେନ ଡେଡ୍‍ ହୋଇଯାଇଥିବା ୫୮ବର୍ଷୀୟ କଲକାତା ଚିତପୁର ନିବାସୀ ଆପୋଲୋ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବଞ୍ଚିବା ଆଶା ମଉଳି ଯିବା ପରେ ତାଙ୍କର ଅଙ୍ଗଦାନ ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। ତାଙ୍କର ଗୋଟିଏ ବୃକକ୍‍ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କୁ ଦିଆଯାଇଥିଲା। ଉକ୍ତ ରୋଗୀଙ୍କ ଦୁଇଟି ଯାକ ବୃକକ୍‍ ନଷ୍ଟ ହୋଇସାରିଥିଲା। ଏହାପରେ ତାଙ୍କର ଆଉ ଗୋଟିଏ ବୃକକ୍‍ ଅନ୍ୟ ଜଣେ ରୋଗୀଙ୍କୁ ଦିଆଯାଇଥିବା ବେଳେ ସେଠ ସୁଖଲାଲ କରଣୀ ହାସପାତାଲରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କୁ ଯକୃତ ଦାନ କରାଯାଇଥିଲା। ସେହି ତିନିବ୍ୟକ୍ତିଙ୍କ ଶରୀରରେ ସଫଳତାର ସହ ବୃକକ୍‍ ଓ ଯକୃତ ରୋପଣ ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅଗଷ୍ଟ ୧୮ତାରିଖରେ ଆପୋଲୋ ଡାକ୍ତରଖାନା ପକ୍ଷରୁ ପ୍ରଦତ୍ତ ଏହି ଅଙ୍ଗଗୁଡ଼ିକ ସଫଳତାର ସହ ଅନ୍ୟ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ କଲକାତା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିଲା।

Leave A Reply