ଉପର ମୁଣ୍ଡରେ ଝାଡ଼ଖଣ୍ଡ କରୁଛି ୧୮ଟି ବନ୍ଧ : ପ୍ରଶ୍ନବାଚୀରେ ବ୍ରାହ୍ମଣୀର ଭବିଷ୍ୟତ

0

ରାଉରକେଲା : ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ୧୫ଟି ବନ୍ଧ ନିର୍ମାଣ ସରିଥିବା ବେଳେ ଆଉ ୩ଟି ବନ୍ଧ ହେବାର ଅଛି। ଏହି ୧୮ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଜଳ ବିଦ୍ୟୁତ୍‍ କେନ୍ଦ୍ର ଥିବାବେଳେ ଆଉ ୧୭ଟି ଜଳସେଚନ ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଯାଉଛି। ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ବ୍ରାହ୍ମଣୀର ଉପନଦୀ ଶଙ୍ଖ ଓ କୋଏଲ୍‍ ଉପରେ ଅପର୍‍ ସୁଙ୍କି ଜଳବିଦ୍ୟୁତ୍‍ ପ୍ରକଳ୍ପ ଝାଡ଼ଖଣ୍ଡର ଗୁମ୍‍ଲା ଜିଲାରେ କାର୍ଯ୍ୟକ୍ଷମ ରହିଛି।
ଏହାଛଡ଼ା ଅନ୍ୟ ୧୪ଟି ନଦୀବନ୍ଧ ଜଳସେଚନ ଉଦ୍ଦେଶ୍ୟରେ ଶଙ୍ଖ ଓ କୋଏଲ୍‍ ନଦୀ ଉପରେ ଝାଡ଼ଖଣ୍ଡରେ ନିର୍ମିତ ହୋଇଥିବା ବେଳେ ଆଉ ୩ଟି ନିର୍ମାଣ ପ୍ରତୀକ୍ଷାରେ ରହିଛି। ଓଡ଼ିଶାରେ ପ୍ରବାହିତ କେଉଁସବୁ ନଦୀର ଉପର ଓ ତଳ ମୁଣ୍ଡରେ କେଉଁ ପଡ଼ୋଶୀ ରାଜ୍ୟ କେଉଁ କେଉଁ ସ୍ଥାନରେ କେତୋଟି ବନ୍ଧ ବାନ୍ଧିଛନ୍ତି ଓ ଆଉ କେତୋଟି ବନ୍ଧ ନିର୍ମାଣ କରୁଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ପ୍ରଶ୍ନ ପଚାରିବା ସହିତ ପଡ଼ୋଶୀ ରାଜ୍ୟମାନଙ୍କ ଏଭଳି ବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାର କ’ଣ ଲାଭକ୍ଷତି ହୋଇଛି ଏବଂ ରାଜ୍ୟ ସରକାର କେତେ ବନ୍ଧ ନିର୍ମାଣ କରିଛନ୍ତି ଓ ଆଉ କେତୋଟି ବନ୍ଧ କେଉଁଠି ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ।
ମହାନଦୀ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମହାନଦୀର ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ପାଇଁ ଟ୍ରାଇବୁନାଲ ଗଠନ ହୋଇସାରିଥିବା ପରିପ୍ରେକ୍ଷୀରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ସମ୍ବନ୍ଧୀୟ କୌଣସି ତଥ୍ୟ ପ୍ରଦାନ କରାଯାଇପାରୁନାହିଁ। ଶଙ୍ଖ ଓ କୋଏଲ୍‍ ବ୍ୟତୀତ ସୁବର୍ଣ୍ଣରେଖା ନଦୀ ଉପରେ ଚାନ୍ଦିଲୀ ଡ୍ୟାମ୍‍ ଝାଡ଼ଖଣ୍ଡରେ କାର୍ଯ୍ୟକ୍ଷମ ଥିବା ବେଳେ ଏଥିରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଲାଭବାନ ହେବେ। ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ସରକାର ଗୋଟିଏ ଓ କାଟ୍ରାଗୁଡ଼ାଠାରେ ୨ଟି ବନ୍ଧ ନିର୍ମାଣ କରିଥିବାବେଳେ କାଟ୍ରାଗୁଡ଼ାଠାରେ ଅନ୍ୟ ଏକ ବ୍ୟାରେଜ୍‍ ନିର୍ମାଣର ପ୍ରସ୍ତାବ ରଖିଛନ୍ତି।
ମହେନ୍ଦ୍ରତନୟାର ଉପନଦୀରେ ଚାପ୍ରାଠାରେ ଶ୍ରୀକାକୁଲମ୍‍ ଜିଲାରେ ଅନ୍ୟ ଏକ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ନାଗାବଳୀର ତଳମୁଣ୍ଡରେ ବିଜୟନଗରମ୍‍ର ଥୋଟାପାଲ୍ଲୀଠାରେ ଏବଂ ଏହାର ଉପନଦୀ ଝଞ୍ଜାବତୀ ଉପରେ ରାଜଲକ୍ଷ୍ମୀପୁରମ୍‍ଠାରେ ଆଉ ୨ଟି ବନ୍ଧ ନିର୍ମାଣ ହୋଇଛି। ଏହାଛଡ଼ା ନାଗାବଳୀର ଉପନଦୀ ଉପରେ ମଧ୍ୟ ଆଉ ୨ଟି ବ୍ୟାରେଜ୍‍ ଆନ୍ଧ୍ର ନିର୍ମାଣ କରିଛି। ଓଡ଼ିଶାର ବିଭିନ୍ନ ନଦୀ ଉପରେ ୨୪ଟି ପ୍ରସ୍ତାବିତ ନଦୀବନ୍ଧ ପ୍ରକଳ୍ପ ପାଇଁ ସର୍ଭେ ଓ ଅନୁସନ୍ଧାନ ଜାରି ରହିଥିବା ଜଳ ସମ୍ପଦ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
କୋଏଲ୍‍ ଓ ଶଙ୍ଖ ନଦୀ ଉପରେ ଏକାଧିକ ବ୍ୟାରେଜ୍‍ ଯୋଗୁଁ ବ୍ରାହ୍ମଣୀର ଜଳ ପ୍ରବାହ ହ୍ରାସ ପାଇଛି ବୋଲି ଉଲ୍ଲେଖ କରି ଏକ ବିବୃତ୍ତିରେ ବିଧାୟକ ଶ୍ରୀ ରାୟ ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି। ପ୍ରତିକାର କରା ନ ଗଲେ ଇସ୍ପାତ ନଗରୀ ରାଉରକେଲା ଉପରେ ଏହାର ସିଧାସଳଖ ପ୍ରତିକୂଳ ପ୍ରଭାବ ପଡ଼ିବ। କେବଳ ସେତିକି ନୁହେଁ; ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ହୋଇଥିବାରୁ ଏହା ଉପରେ ରାଜ୍ୟର ବ୍ୟାପକ ଅଞ୍ଚଳରେ କୃଷି, ଶିଳ୍ପ ଓ ଜୀବିକା ନିର୍ବାହ ପାଇଁ ଲୋକେ ନିର୍ଭର କରନ୍ତି। ଜଳ ପ୍ରବାହ କମିବା ସହିତ ବ୍ରାହ୍ମଣୀରେ ପ୍ରଦୂଷଣ ମାତ୍ରା ଉଦ୍‍ବେଗଜନକ ଭାବେ ବଢ଼ି ଚାଲିଥିବାରୁ ଏହି ନଦୀର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣ୍ୟତୋୟା ବ୍ରାହ୍ମଣୀର ସୁରକ୍ଷା ପାଇଁ ଗଙ୍ଗା ପୁନଃରୁଦ୍ଧାର ଢାଞ୍ଚାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି।

Leave A Reply