ଗୋପନ ରହିବ ବ୍ରହ୍ମ ବିଭ୍ରାଟ; କୋର୍ଟକୁ ଯିବ ବିଜେପି

0

ଭୁବନେଶ୍ବର : ବ୍ରହ୍ମ ବିଭ୍ରାଟକୁ ନେଇ ଅନେକ ପ୍ରଶ୍ନ ଓଡିଆ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ତାହାର ଉତ୍ତର ଆଉ ମିଳିବନି । ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ନ କରିବା ପାଇଁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । କିନ୍ତୁ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ହୋଇ ନାହାନ୍ତି ବିରୋଧୀ । ନିଷ୍ପତ୍ତିକୁ ବିଜେପି ପକ୍ଷରୁ ବିରୋଧ କରିବା ସହ କୋର୍ଟରେ ଚ୍ୟାଲେଜ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କିମିଟିର ନିଷ୍ପତ୍ତି ସାଧାରଣଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ପରିଚଳାନା କମିଟି ବୈଠକ ବସିଥିଲା । ଏଥିରେ ବ୍ରହ୍ମ ବିଭ୍ରାଟ ମୁଖ୍ୟ ପ୍ରସଙ୍ଗ ଥିଲା। ବ୍ରହ୍ମ ବିଭ୍ରାଟ ଏକ ସମ୍ବେଦନଶୀଳ ଘଟଣା ହେଇଥିବାରୁ ସାର୍ବଜନୀନ କରାଯିବ ନାହିଁ ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ । ଏପରିକି ଆରଟିଆଇ ତଥ୍ୟ ମାଗିଲେ ବି ଦିଆଯିବିନି ବୋଲି କୁହାଯାଇଥିଲା । ବ୍ରହ୍ମବିଭ୍ରାଟରେ ସଂପୃକ୍ତ ସେବକଙ୍କୁ ୩ ମାସ ଭିତରେ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତି ଓ ରିପୋର୍ଟ ଲୁଚାଇବା ଦ୍ବାରା ବ୍ରହ୍ମ ନାମରେ ଲୋକଙ୍କ ହ୍ବାଟ୍ସଆପରେ ଘୁରି ବୁଲୁଥିବା ଫଟୋ ସତ୍ୟ ହେବାର ସମ୍ଭାବନାକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାର ସମ୍ଭାବନା ଦେଖା ଦେଇଛି।

Leave A Reply