ବଲାଙ୍ଗୀରଠାରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଂଟ ଜାତି ଉଦ୍ଦେଶ୍ୟରେ ସମର୍ପିତ

ବଲାଙ୍ଗୀର : ଭାରତ ପେଟ୍ରୋଲିୟମ ନିଗମ ଲିଃ. (ବିପିସିଏଲ)ର ଏକ ଏଲପିଜି ବଟଲିଂ ପ୍ଲାଂଟ ବଲାଙ୍ଗୀରଠାରେ ଶୁକ୍ରବାର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।  ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ, ବଲାଙ୍ଗୀର ସାଂସଦ  ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବଲାଙ୍ଗୀର ବିଧାୟକ  ନରସିଂହ ମିଶ୍ର ଏବଂ ରାଜ୍ୟ ଏବଂ ବିପିସିଏଲର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ମୁଖ୍ୟତଃ ଏହି ପ୍ଲାଂଟ ଉପରାଷ୍ଟ୍ରପତି  ଏମ. ଭେଙ୍କୟା ନାଇଡୁଙ୍କ ଦ୍ୱାରା ସମର୍ପିତ ହେବାକୁ ଥିଲା। ମାତ୍ର ରାୟପୁରରେ ଆସି ପହଞ୍ଚିଥିଲେ ସୁଦ୍ଧା ଖରାପ ପାଗ ଯୋଗୁ ସେ ବଲାଙ୍ଗୀର ଆସି ପାରିନଥିଲେ। ଶ୍ରୀ ନାଇଡୁଙ୍କ ଏକ ଅଡିଓ ବାର୍ତା ସେଠାରେ ପ୍ରସାରିତ ହୋଇଥିଲା। ନିର୍ଦ୍ଧାରିତ ସମୟର ତିନି ମାସ ପୂର୍ବରୁ ମାତ୍ର ୧୯ ମାସ ମଧ୍ୟରେ ଏଲପିଜି ପ୍ଲାଂଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ଉପରାଷ୍ଟ୍ରପତି ବିପିସିଏଲକୁ ସାଧୁବାଦ ଜଣାଇଥିଲେ। ସେ କହିଥିଲେ ଯେ, ବଲାଙ୍ଗୀରରେ ଏହି ପ୍ଲାଂଟ ପ୍ରତିଷ୍ଠା ହେବା ଫଳରେ ସେ ଅଞ୍ଚଳର ଲୋକ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଏବେ ଗ୍ୟାସ ସିଲିଣ୍ଡର ପାଇପାରିବେ।
ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ, ପାଟଣାଗଡ ବିଧାୟକ  କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ  ୨୦୧୮ ମସିହା ମେ ୨୧ ରେ ଏହି ପ୍ଲାଂଟର ଭିତିପ୍ରସ୍ତର ସ୍ଥାପିତ ହୋଇଥିଲା।
୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ରେକର୍ଡ ୧୯ ମାସ ମଧ୍ୟରେ ଏହି ପ୍ଲାଂଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କାର୍ଯ୍ୟକ୍ରମରେ ଜନତାଙ୍କୁ ଉଦବୋଧନ ଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,୨୦୧୪ ମସିହା ସୁଦ୍ଧା ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ୨୦ ଲକ୍ଷ ଥିବାବେଳେ ଏହା ଏବେ ୨୭ କୋଟିକୁ ଟପିଯାଇଛି । କେବଳ ଓଡ଼ିଶାରେ ଏହି ସଂଖ୍ୟା ୮୦ ଲକ୍ଷ ଟପିଛି। ଏହି ନୂତନ କାରଖାନା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲା ବିଶେଷ ଭାବେ ଉପକୃତ ହେବେ। ୧୫୦ରୁ ଊର୍ଦ୍ଧ୍ବ ଟ୍ରକ ବିଭିନ୍ନ ଅଞ୍ଚଳରେ ଏଲପିଜି ସିଲିଣ୍ଡର ପରିବହନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ କାରଖାନା ଯୋଗୁ ୫୦୦ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମନିଯୁକ୍ତି ପାଇବେ। ଏହି କାରଖାନା ସେ ଅଞ୍ଚଳର ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ସେ
କହିଥିଲେ। ବଲାଙ୍ଗୀରର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଥିବାରୁ ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ବିପିସିଏଲ ଭଳି ମହାରତ୍ନ ସରକାରୀ ଉଦ୍ୟୋଗ ଏହି ନୂତନ ପ୍ଲାଂଟ ବଲାଙ୍ଗୀର ଜିଲ୍ଲାର ବରକାନିଠାରେ ସ୍ଥାପନ କରିଛି। ବିପିସିଏଲର ଆଉ ଏକ ଏଲପିଜି ପ୍ଲାଂଟ ଖୋର୍ଦ୍ଧାଠାରେ ମଧ୍ୟ ରହିଛି। ତୈଳ ବିପଣନ କମ୍ପାନୀମାନଙ୍କର ଏଲପିଜି ବଟଲିଂ ପ୍ଲାଂଟ ବାଲେଶ୍ୱର, ଝାରସୁଗୁଡା, ଖୋର୍ଦ୍ଧା ଓ ଜଟଣୀଠାରେ ମଧ୍ୟ ରହିଛି । ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ଖୋର୍ଦ୍ଧା ଓ ରାୟଗଡାରେ ନୂତନ କାରଖାନା ସ୍ଥାପନ କରିବାର ଯୋଜନା ମଧ୍ୟ ରହିଛି । ଏହି ସବୁ ପ୍ଲାଂଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ଏଲପିଜି ବଟଲିଂ ପ୍ଲାଂଟ ସଂଖ୍ୟା ୭କୁ ବୃଦ୍ଧି ପାଇବ। ଏହି ୭ଟି ପ୍ଲାଂଟର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସିଲିଣ୍ଡର ବଟଲିଂ କ୍ଷମତା ବାର୍ଷିକ ୪ କୋଟି ୬ ଲକ୍ଷକୁ ବୃଦ୍ଧି ପାଇବ।

Comments are closed.