ସେପ୍ଟେମ୍ବରରେ ବିଜେନ୍ଦ୍ରଙ୍କ ଟାଇଟଲ ଲଢ଼େଇ!

0

କଲକାତା : ଭାରତୀୟ ପେସାଦାର ବକ୍ସର ବିଜେନ୍ଦ୍ର ସିଂହ ଆସନ୍ତା ସେପ୍ଟେମ୍ବରରେ ରାଜ୍ୟଗୋଷ୍ଠୀ ସୁପର ମିଡ଼ିଲ୍‍ୱେଟ୍‍ ଟାଇଟଲ ପାଇଁ ବକ୍ସିଂ ରିଙ୍ଗ୍‍କୁ ଓହ୍ଲାଇବାର ଆଶା ରହିଛି। ସୂଚନାଥାଉକି ଚଳିତମାସ ପ୍ରାରମ୍ଭରେ ବିଜେନ୍ଦ୍ର ଏହି ଟାଇଟଲ୍‍ ନିମନ୍ତେ ଲଢ଼େଇ କରିବାର ଥିଲା, ମାତ୍ରା ପ୍ରତିପକ୍ଷ ବକ୍ସର ଆଘାତପ୍ରାପ୍ତ ହେବା ପରେ ଏହି ଲଢ଼େଇକୁ ସ୍ଥଗିତ ରଖାଯାଇଥିଲା।
ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବିଜେନ୍ଦ୍ର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ରାଜ୍ୟଗୋଷ୍ଠୀ ସୁପର ମିଡିଲ୍‍ୱେଟ୍‍ ଟାଇଟଲ ନିମନ୍ତେ ଆସନ୍ତା ସେପ୍ଟେମ୍ବରରେ ମ୍ୟାଚ୍‍ ଖେଳାଯିବାର ସମ୍ଭାବନା ରହିଛି। ତେବେ ତାଙ୍କ ବିପକ୍ଷରେ କିଏ ଲଢ଼ିବେ ସେ ସଂପର୍କରେ ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ। ବିଜେନ୍ଦ୍ର ଆହୁରି କହିଥିଲେ ସବୁ ବକ୍ସର ଅଲିମ୍ପିକ୍‍ସ ଓ ଏସୀୟ କ୍ରୀଡ଼ାରେ ଖେଳିବା ସମ୍ଭବପର ନୁହେଁ। ଏହାକୁ ଦୃଷ୍ଟିରେ ରଖି ସେମାନେ ପେସାଦାର ବକ୍ସିଂକୁ କ୍ୟାରିୟର ଭାବେ ଗ୍ରହଣ କରିପାରିବେ। ବିଜେନ୍ଦ୍ର ଡବ୍ଲ୍ୟୁବିଓ ଓରିଏଣ୍ଟାଲ୍‍ ଓ ଏସିଆ ପାସିଫିକ୍‍ ଟାଇଟଲ୍‍ ହାସଲ କରି ସାରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମହିଳା ଆଥଲେଟ୍‍ ହିମା ଦାସ ଉପସ୍ଥିତ ଥିଲେ। କିଛିଦିନ ତଳେ ହିମା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହିମାଙ୍କୁ ଉଚ୍ଚପ୍ରଶଂସା କରି ବିଜେନ୍ଦ୍ର କହିଛନ୍ତି ଏହି ଯୁବ ଖେଳାଳି ଆଗାମୀ ଦିନରେ ଦେଶ ପାଇଁ ବହୁ ସୁନାମ ଆଣିବେ। ହିମା ଏକ ଗରିବ ପରିବାରରୁ ଆସିଛନ୍ତି। ଲୋକେ ତାଙ୍କ ସଂପର୍କରେ କେବଳ ଆଲୋଚନା ନ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିବା ଉଚିତ୍‍।

Leave A Reply