ଚା’ ବିକି ପେଟ ପୋଷୁଛନ୍ତି ଦେଶର ୧ଂ ବକ୍ସର

0

ନୂଆଦିଲ୍ଲୀ : ରାଜେଶ କୁମାର କାସାନା ହେଉଛନ୍ତି ଭାରତର ୧ନଂ ଲାଇଟ୍‍ୱେଟ୍‍ ପେସାଦାର ବକ୍ସର। ବିଶ୍ୱ ପେସାଦାର ବକ୍ସିଂ ମାନ୍ୟତାରେ ରାଜେଶ ୨୨୧ନଂରେ ରହିଛନ୍ତି। ତଥାପି ପେଟ ପୋଷିବା ପାଇଁ ସେ ଚା’ ବିକ୍ରି କରୁଛନ୍ତି। ଅର୍ଥାଭାବରୁ ନିଜ ତଥା ପରିବାର ଚଳାଇବାକୁ ରାଜେଶ ଚା’ ଦୋକାନ କରିଛନ୍ତି।
ପେସାଦାର ବକ୍ସିଂରେ ଜଣେ ତାରକା ବକ୍ସର ଭାବେ ନିଜକୁ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ରାଜେଶ। ତାଙ୍କର ଦିନଚର୍ଯ୍ୟା ଖୁବ୍‍ ସରଳ। ସକାଳ ୫ଟାରୁ ଭିୱାନାସ୍ଥିତ ନିଜ ଚା’ ଦୋକାନ ଖୋଲିଥାନ୍ତି। ସେଠାରେ ସେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚା’ ବିକ୍ରି କରିଥାନ୍ତି। ମଧ୍ୟାହ୍ନରେ ତାଙ୍କ ଭାଇ ଦୋକାନ ସମ୍ଭାଳିବାକୁ ଆସିବା ପରେ ରାଜେଶ ଘରକୁ ଆସି ଖାଇପିଇ ବିଶ୍ରାମ ନେଇ ଅପରାହ୍ଣରୁ ବକ୍ସିଂ ଅଭ୍ୟାସ ପାଇଁ ଚାଲି ଯାଆନ୍ତି। ନିଜ ପ୍ରତିକ୍ରିୟାରେ ରାଜେଶ କହିଛନ୍ତି ଦୋକାନରେ ଚା’ ସହ କିଛି ଖାଦ୍ୟ ପଦାର୍ଥ ବିକ୍ରି କରି ଯେଉଁ ଟଙ୍କା ମିଳେ ସେଥିରେ ତାଙ୍କ ପରିବାର ଚଳିଥାନ୍ତି। ନିଜ ସ୍ୱର୍ଗତ ବାପାଙ୍କ ସ୍ୱପ୍ନ ସାକାର କରିବାକୁ ବକ୍ସିଂକୁ ଆପଣାଇ ନେଇଥିବା ରାଜେଶ ମତ ଦେଇଛନ୍ତି। ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବା ସହ ବକ୍ସିଂ ଅଭ୍ୟାସ ଜାରି ରଖିବାକୁ ପଡ଼ୁଥିଲେ ମଧ୍ୟ ଏଥିନେଇ ଆଦୌ ଅସନ୍ତୁଷ୍ଟ ନୁହନ୍ତି ରାଜେଶ। ରାଜେଶ ୨୦୧୫ରେ ନିଜ କ୍ୟାରିୟରର ପ୍ରଥମ ବକ୍ସିଂ ମ୍ୟାଚ୍‍ ପାଇଁ ରିଙ୍ଗ୍‍କୁ ଓହ୍ଲାଇଥିଲେ। ସେ ପ୍ରଥମ ମ୍ୟାଚ୍‍ରେ ମନ୍‍ପ୍ରୀତ ସିଂହଙ୍କୁ ପରାସ୍ତ କରିଥିଲେ। ଇତିମଧ୍ୟରେ ସେ ୧୦ଟି ମ୍ୟାଚ୍‍ ଖେଳି ୯ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‍ ଡ୍ର ରଖିଛନ୍ତି।
୨୪ ବର୍ଷୀୟ ରାଜେଶଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ବାପା, ମା’, ଭାଇ ଓ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ବାପା ପେସାରେ ଜଣେ ଡ୍ରାଇଭର ଥିଲେ। ତେବେ ରାଜେଶ ବିଦ୍ୟାଳୟରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ କ୍ୟାନସରରେ ପରଲୋକ ହୋଇଯାଇଥିଲା। ଏହାପରେ ତାଙ୍କ ଭଉଣୀଙ୍କର ମଧ୍ୟ କ୍ୟାନସରରେ ପରଲୋକ ହୋଇ ଯାଇଥିଲା। ଉଭୟଙ୍କ ଚିକିତ୍ସା ନିମନ୍ତେ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ପଡ଼ିଥିଲା। ବାପାଙ୍କ ପରଲୋକ ପରେ ରାଜେଶ ପାଠପଢ଼ା ଛାଡ଼ି ଗାଡ଼ି ଚଳାଇବାକୁ ଆରମ୍ଭ କରିଥିଲେ। କିଛିଦିନ ପରେ ଜଣେ ସାଙ୍ଗଙ୍କ ପରାମର୍ଶକ୍ରମେ ଚା’ ଦୋକାନ ଆରମ୍ଭ କରିଥିଲେ। ରାଜେଶ ଜଣେ ବକ୍ସର ହୁଅନ୍ତୁ ବୋଲି ବାପା ସର୍ବଦା ଚାହୁଁଥିବାରୁ ଚା’ ବିକ୍ରି କରିବା ସହ ବକ୍ସିଂ ଅଭ୍ୟାସ ଜାରି ରଖିଥିଲେ ରାଜେଶ। ରାଜେଶଙ୍କ ନିକଟରେ ଜଣେ ଭଲ ବକ୍ସର ହେବାର ଦକ୍ଷତା ଥିବାରୁ ରୟାଲ ସ୍ପୋର୍ଟସ୍‍ ନାମକ ଏକ ସଂସ୍ଥା ତାଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେଇଥିଲା। ବିଜେନ୍ଦ୍ର ସିଂହ ତାଙ୍କ ଆଦର୍ଶ ବୋଲି ମତ ଦେଇଛନ୍ତି ରାଜେଶ। ବିଜେନ୍ଦ୍ରଙ୍କୁ ସାକ୍ଷାତ କରି ତାଙ୍କଠାରୁ କିଛି ସାହାଯ୍ୟ ପାଇଁ ମଧ୍ୟ ଆଶା ରଖିଛନ୍ତି ରାଜେଶ। ଆଗାମୀ ଦିନର ଜଣେ ପେସାଦାର ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଲେ ବାପାଙ୍କ ସ୍ୱପ୍ନ ପୂରଣ ହେବା ସହ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆସିପାରିବ ବୋଲି ରାଜେଶ କହିଛନ୍ତି।

Leave A Reply