ୟୁଏଇ ପରିବେଶ ସହ ଖାପ୍‌ ଖୁଆଇ ଖେଳିବା ବଡ଼ ଆହ୍ବାନ : ବୋଲ୍‌ଟ

ଦୁବାଇ : ୟୁଏଇର ଗରମ ପରିବେଶ ସହ ଖାପ୍‌ ଖୁଆଇ ଖେଳିବା ସବୁ ଦଳର କ୍ରିକେଟର୍‌ମାନଙ୍କ ନିମନ୍ତେ ଏକ ବଡ଼ ଆହ୍ବାନ ବୋଲି ମତ ଦେଇଛନ୍ତି ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟ।
ମୁମ୍ବଇ ଇଣ୍ଡିଆନ୍‌ସର ଟ୍ବିଟର୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ବୋଲ୍‌ଟ ଦର୍ଶାଇଛନ୍ତି ୟୁଏଇରେ ବର୍ତ୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଏପରି ଗରମରେ ଖେଳିବା ସବୁ କ୍ରିକେଟର୍‌ଙ୍କ ନିମନ୍ତେ ଏକ ବଡ଼ ଆହ୍ବାନ। ସେ ନ୍ୟୁଜିଲାଣ୍ଡରୁ ଆସିଛନ୍ତି। ନ୍ୟୁଜିଲାଣ୍ଡରେ ବର୍ତ୍ତମାନ ତାପମାତ୍ରା ୭/୮ ଡିଗ୍ରୀ ରହୁଥିବା ​‌େ​‌ବଳେ ୟୁଏଇର ୪୫ ଡିଗ୍ରୀ ତାପମାତ୍ରାରେ ଖେଳିବା ତାଙ୍କ ପାଇଁ ବଡ଼ ଆହ୍ବାନ।
ପୂର୍ବରୁ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ତରଫରୁ ବୋଲ୍‌ଟ ଖେଳୁଥିବା ବେଳେ ଚଳିତ ସଂସ୍କରଣରେ ମୁମ୍ବଇ ଇଣ୍ଡିଆନ୍‌ସ ତରଫରୁ ଖେଳିବାକୁ ଯାଉଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସ ଦଳ ତରଫରୁ ଖେଳିବାକୁ ଯାଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା ବୋଲ୍‌ଟ କହିଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସ ଦଳରେ ଅନେକ ତାରକା ବ୍ୟାଟସମ୍ୟାନ୍‌ ରହିଥିବାରୁ ଦଳ ଆଇପିଏଲ୍‌ର ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବ ବୋଲି ବୋଲ୍‌ଟ ଆଶାବ୍ୟକ୍ତ କରିଛନ୍ତି। ଆଇପିଏଲ୍‌ର ଚଳିତ ସଂସ୍କରଣରେ ମୁମ୍ବଇ ଇଣ୍ଡିଆନ୍‌ସ ତରଫରୁ ଖେଳିବେ ନାହିଁ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା। ବ୍ୟକ୍ତିଗତ କାରଣ ପାଇଁ ମାଲିଙ୍ଗା ଆଇପିଏଲ୍‌ର ଚଳିତ ସଂସ୍କରଣରୁ ଓହରି ଯାଇଥିବାରୁ ବୋଲ୍‌ଟଙ୍କ ଉପରେ ଦ୍ରୁତ ବୋଲିଂର ମୁଖ୍ୟ ଦାୟିତ୍ବ ରହିବ।

Comments are closed.