ପିଆଜ ରପ୍ତାନୀକାରୀ ବୌଦ୍ଧବାସୀଙ୍କ ପାଇଁ ପିଆଜ ଏବେ ସ୍ୱପ୍ନ

ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧଜିଲାରେ ପିଆଜ ଦର ଖାଉଟିଙ୍କ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କଲାଣି। ପ୍ରତ୍ୟକ ଓଡିଆ ପୁଅର ପଖାଳ କଂସା ସହ ନିବିଡ ସଂପର୍କ ଥିବା ପିଆଜ ଆଜି ସାରା ରାଜ୍ୟରେ ଅଭାବ ଦେଖାଦେଇଛି। କିଛି ବର୍ଷ ପୂର୍ବରୁ ବୌଦ୍ଧ ଜିଲାର ଚାଷୀମାନେ ଉନ୍ନତମାନର ପିଆଜ ଉତ୍ପାଦନ କରି ବାହାର ରାଜ୍ୟକୁ ରତ୍ପାନୀ କରୁଥିବାବେଳେ ଏବେ ଜିଲାବାସୀଙ୍କ ପାଇଁ ପିଆଜ ସ୍ୱପ୍ନ ହୋଇପଡିଛି। ପିଆଜ ଦର ଶୁଣି ଖାଉଟି ଆଖିରୁ ଲୁହ ଝରୁଛି। ପିଆଜ ଚାଷ ନେଇ ଦିନେ ବୌଦ୍ଧ ଜିଲା ରାଜ୍ୟ ତଥା ଦେଶରେ ନାଁ କରିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗର ସୁପାରିଶ କ୍ରମେ ବୌଦ୍ଧର ପାଲଝାରଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଦ୍ୱିତିୟ ବୃହତ୍ତମ ଆଳୁ ଓ ପିଆଜ ଗବେଷଣା କେନ୍ଦ୍ର ଖୋଲାଯାଇଛି। ବୌଦ୍ଧ ଜିଲାର ପିଆଜର ମାନ ଉନ୍ନତ ଥିବାରୁ ଏହାର ଚାହିଦା ଖୁବ ବେଶୀ ଥିଲା। ପିଆଜ ଚାଷ ନେଇ ଜିଲାରେ ଉଦ୍ୟାନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଚାଷୀମାନଙ୍କୁ ତାଲିମ ପ୍ରଦାନ ଓ ପିଆଜଘର ନିର୍ମାଣ ନାମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ପିଆଜଘର ନିର୍ମାଣରେ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିବା ବେଳେ କୃଷି ଭିତ୍ତିକ ଏହି ଜିଲାରେ ପିଆଜର ଘୋର ଅଭାବ ପିଆଜ ରତ୍ପାନୀ ନେଇ ବାହାବା ନେଉଥିବା ଉଦ୍ୟାନ ବିଭାଗର ଏବେ ଗୁମୁର ଫିଟୁଛି।

ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ପିଆଜ ଘର ଆଦି ଯୋଗାଇ ଦିଆଯିବା କାମ କେବଳ କାଗଜ କଲମରେ କରାଯାଇଥିବାରୁ ଜିଲାରେ ଏବେ ପିଆଜ ଚାଷ ଫେଲ ମାରିବା ସହ ଜିଲାରେ ଖାଉଟିଙ୍କ ପାଇଁ ପିଆଜ ସ୍ୱପ୍ନ ହେବାକୁ ବସିଲାଣି। ପିଆଜ ଦର ଜିଲାରେ ବର୍ତମାନ ୫୦ ଟଙ୍କା ଥିବା ବେଳେ ବାଧ୍ୟ ହୋଇ ଲୋକମାନେ କିଣୁଛନ୍ତି। ଦିନ ଥିଲା ଜିଲାର ପିଆଜ ରାଜ୍ୟ ଓ ଦିଲ୍ଲୀ ଦରବାରରେ ନାଁ କରିଥିବା ବେଳେ କିନ୍ତୁ ଆଜି ଜିଲାର ଲୋକ ପିଆଜ ନେଇ ଚିନ୍ତିତ। ଗତ ୨୦୧୨ ମସିହାରେ ଉଦ୍ୟାନ ବିଭାଗ ଓ ପ୍ରଶାସନର ସହାୟତାରେ ୩ ଗୋଟି ଟ୍ରକରେ ଦିଲୀକୁ ପିଆଜ ରତ୍ପାନୀ କରାଯାଇଥିଲା। ପୂର୍ବରୁ ଜିଲାରୁ ପିଆଜ ରତ୍ପାନୀ କରୁଥିବା ବେଳେ ଆଜି ଜିଲାବାସୀ ପିଆଜ ପାଇଁ କାନ୍ଦୁଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପିଆଜ ସଂଗ୍ରହ କରି ରଖିବା ପାଇଁ ନିର୍ମାଣ କରାଯାଇଥିବା ପିଆଜ ଘର ଆଜି ଅନାବଶ୍ୟକ ହୋଇପଡିଛି। କେହି କେହି ନିର୍ମାଣ କରିଥିବା ପିଆଜ ଘର ସବୁକୁ କୁକୁଡା ଘର ଭାବେ ବ୍ୟବହାର କରୁଛନ୍ତି। ପିଆଜ ଚାଷ ପାଇଁ ଜିଲାର ମାଟି, ଜଳବାୟୁ ଓ ପରିବେଶ ଅନୂକୂଳ ରହିଥିବା ବେଳେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଠିକ ଭାବେ ସହଯୋଗ, ସହାୟତା, ପ୍ରଶିଷଣ ଦିଆନଯିବାରୁ ପିଆଜ ଚାଷରୁ ଚାଷୀ ମୁହଁ ଫେରାଇ ନେଇଛନ୍ତି। ଏପରିକି ଚାଷୀଙ୍କୁ ନିମ୍ନମାନର ବିହନ ଓ ସାର ଯୋଗାଇ ସିଧାସଳଖ ଠକେଇ କରାଯିବା ପରେ ଚାଷୀମାନେ ପିଆଜ ଚାଷ ବନ୍ଦ କରିଦେଇଛନ୍ତି।

ବର୍ତମାନ ସମୟରେ ଉନ୍ନତ ମାନର ବିହନ ଅଭାବ , ସରକାରୀ ପ୍ରଶିକ୍ଷଣ ଓ ସହଯୋଗ ଅଭାବ ରହିଥିବା ଯୋଗୁଁ ଚାଷୀମାନେ ପିଆଜ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଜିଲାରେ ଶୀତଳଭଣ୍ଡାର ନଥିବାରୁ ଚାଷୀ ନିଜର ଉତ୍ପାଦିତ ପିଆଜକୁ ସାଇତି ରଖି ନପାରି ଅମଳ ସମୟରେ ଅଭାବୀ ବିକ୍ରୀର ଶିକାର ହୋଇ ଶାଗ ମାଛ ଦରରେ ବେପାରୀଙ୍କୁ ଦେବାକୁ ବାଧ୍ୟ ହୋଇଥାନ୍ତି। ବର୍ତମାନ ସମୟରେ ଜିଲାରେ ବହୁତ କମ ପରିମାଣରେ ପିଆଜ ଚାଷ କରାଯାଉଛି। ଯାହାଫଳରେ ଜିଲାର ଖାଉଟିମାନେ ଆବଶ୍ୟକ ପରିମାଣର ପିଆଜ ପାଇପାରୁନାହାନ୍ତି। ବର୍ତମାନ ଜିଲାରେ ନଅ ସହ ପଚାଶ ହେକ୍ଟର ଚାଷ ଜମିରେ ପିଆଜ ଚାଷ କରାଯାଉଛି। ସେଥିରୁ ଏଗାର ହଜାର ଚାରିଶହ ଅଠଚାଲିଶ ମାଟ୍ରିକଟନ ପିଆଜ ଉତ୍ପାଦନ କରାଯାଉଛି। ବୈାଦ୍ଧବ୍ଲକରେ ୧୪୫୦ ଜଣ ଚାଷୀ ୨୯୦ ହେକ୍ଟର ଜମିରେ ପିଆଜ ଚାଷ କରୁଥିବା ବେଳେ କଣ୍ଟାମାଳ ବ୍ଲକରେ ୧୪୦୦ ଜଣ ଚାଷୀ ୨୮୦ ହେକ୍ଟର ଚାଷ ଜମିରେ ଓ ହରଭଙ୍ଗାର ୧୯୦୦ ଜଣ ଚାଷୀ ୩୮୦ ହେକ୍ଟର ଚାଷ ଜମିରେ ପିଆଜ ଚାଷ କରୁଛନ୍ତି।

ଏହି ଚାଷ ଜମିରୁ ବୈାଦ୍ଧବ୍ଲକରୁ ୩୪୯୪ ମେଟ୍ରିକଟନ ପିଆଜ ଉତ୍ପାଦନ ହେଉଥିବା ବେଳେ କଣ୍ଟାମାଳବ୍ଲକରେ ୩୩୭୪ ମେଟ୍ରିକଟନ ଓ ହରଭଙ୍ଗା ବ୍ଲକରେ ୪୫୮୦ ମେଟ୍ରିକଟନ ପିଆଜ ଉତ୍ପାଦନ ହେଉଥିବା ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ମାତ୍ର ୪୭୫୦ ଜଣ ଚାଷୀ ପିଆଜ ଚାଷ କରୁଛନ୍ତି। ବୈାଦ୍ଧ ଭଳି ଏକ କୃଷି ପ୍ରଧାନ ଜିଲାରେ ଏତେ କମ ମାତ୍ରାରେ ଚାଷୀ ପିଆଜ ଚାଷ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜିଲାର ଚାଷୀମାନଙ୍କୁ ପିଆଜ ଚାଷ ପ୍ରତି ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବାରୁ ଚାଷୀମାନେ ପିଆଜ ଚାଷ ପ୍ରତି ବିମୁଖ ହେଉଥିବାର ଅଭିଯୋଗ ହେଉଛି। ଏପରିକି ପିଆଜ ଚାଷ କରୁଥିବା ପ୍ରକୃତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ମିଳୁନଥିବାରୁ ଚାଷୀମାନେ ଆସ୍ତେଆସ୍ତେ ପିଆଜ ଚାଷ ଠାରୁ ଦୂରେଇ ଯିବା ଏକ ପ୍ରମୁଖ କାରଣ ହୋଇଛି। ପ୍ରକୃତ ଚାଷୀଙ୍କୁ ପିଆଜ ଘରପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳୁ ନଥିବା ସ୍ଥଳେ ଅନେକ ଅଣଚାଷୀ କଳେବଳେ ପିଆଜ ଘର ସହାୟତା ପାଇଛନ୍ତି।

ଗତ କିଛି ବର୍ଷ ତଳେ ବୈାଦ୍ଧ ଜିଲାରୁ ଦିଲ୍ଲୀକୁ ପିଆଜ ପଠାଯାଇଥିବା ଦର୍ଶାଯିବା ପରେ ସରକାରଙ୍କ ପକ୍ଷରୁ ଅଧିକ ଅନୁଦାନ ମଧ୍ୟ ଆସିଥିଲା। ମାତ୍ର ସେସବୁର ଖର୍ଚ୍ଚ କେବଳ କାଗଜପତ୍ରରେ ହେବା ଫଳରେ ପିଆଜ ଚାଷ କରୁଥିବା ଚାଷୀ ଏବେ ସେଥିରୁ ମୁହଁ ଫେରାଇନେଇଛନ୍ତି। ଜିଲାରେ ପିଆଜ ଚାଷର ଉନ୍ନତି ପାଇଁ କୃଷି ବିଭାଗ ପ୍ରଚୁର ପରିମାଣରେ ଚାଷୀଙ୍କୁ ସହାୟତା , ପ୍ରଶିକ୍ଷଣ, ପିଆଜ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ ଉତ୍ପାଦିତ ପିଆଜକୁ ସାଇତି ରଖିବା ପାଇଁ ଜିଲାରେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ କରାଗଲେ ଚାଷୀ ପିଆଜ ଚାଷ ପ୍ରତି ଆଗ୍ରହ ଦେଖାଇବେ।

Comments are closed.