ବୌଦ୍ଧ ଜିଲାପରିଷଦ ବୈଠକ, ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ବୌଦ୍ଧ  : ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ସାହୁ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲାପରିଷଦ ଓ ପଞ୍ଚାୟତ ସମିତିର ସମସ୍ତ ସଭ୍ୟ ସଭ୍ୟା ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ସ୍ୱାଗତ ଭାଷଣ ଦେଇ ଜିଲାପାଳ ଶ୍ରୀ ମିଶ୍ର ଜିଲାପରିଷଦର ସଭ୍ୟ ସଭ୍ୟାମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଜିଲାରେ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଠିକ୍ ଭାବରେ ସମ୍ପାଦନ ହୋଇପାରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ପ୍ରଦାନ କରିବା ସହ ଜିଲାରେ ଆହୁରି ଅନେକ କାର୍ଯ୍ୟ ଅପୂରଣୀୟ ରହିଥିବାବେଳେ ସେଗୁଡିକ ସମ୍ପାଦନ ଦିଗରେ ସମସ୍ତେ ତତ୍ପରତାର ସହିତ ସହଯୋଗ କରିବେବୋଲି ଆଶାବ୍ୟକ୍ତ କରିଥିଲେ।

ବୈଠକରେ ପ୍ରତ୍ୟେକ ବିଭାଗର କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲା । ରାଜ୍ୟର ୨୦ ଗୋଟି ବ୍ଳକ ମଧ୍ୟରେ ଜିଲାର ହରଭଙ୍ଗା ବ୍ଲକ ମରୁଡି ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ଜିଲା କୃଷି ଅଧିକାରୀ ସୂଚନା ଦେଇଥିଲେ । ଜିଲାରେ ପ୍ରାୟ ୫୪୨୭ ହେକ୍ଟର ଜମିରେ ଧାନ ଚାଷ ହୋଇପାରିନାହିଁ । ଆତ୍ମା ଯୋଜନାରେ ଥିବା ବଳକା ପାଣ୍ଠି ବିନିଯୋଗ କରି ପରିପୂରକ ଚାଷ ନିମନ୍ତେ ସୋରିଷ, ବିରି ଇତ୍ୟାଦି ରବି ଫସଲ କରାଯିବାକୁ ଲକ୍ଷ ରଖାଯାଇଛି । ଶସ୍ୟ ଅମଳ ନିରୀକ୍ଷଣ ହେବାପରେ ୫୨ କୁଇଣ୍ଟାଲ ହିସାବରେ ପ୍ରତି ହେକ୍ଟର ଚାଷ ହୋଇଥିବା ନେଇ ଜାତୀୟ ପ୍ରଯୁକ୍ତି ସଂସ୍ଥାନ ଦ୍ୱାରା ତଥ୍ୟ ପ୍ରଦାନ କରାଯାଇଛି । ସେହିପରି ଉଦ୍ୟାନ ବିଭାଗରେ ୨୨ କୁଇଣ୍ଟାଲ ପିଆଜ ବୀହନ ଚାଷୀଙ୍କୁ ଯୋଗାଇଦିଆଯାଇଥିବା ସୂଚନା ଦିଆଯାଇଥିଲା। କେତେକ ସଦସ୍ୟ ମଧ୍ୟସ୍ଥି ଜରିଆରେ ଆମ୍ବଚାଷ କରାଯାଉଥିବା ନେଇ ଅଭିଯୋଗ କରିବା ପରେ ଏହା ସମ୍ପୁର୍ଣ୍ଣ ବନ୍ଦ କରାଯିବାକୁ ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟ ଜିଲାରେ ବନ୍ଦ ହୋଇଯାଇଥିବାବେଳେ ସେଥିନିମନ୍ତେ ମନରେଗା ଯୋଜନାରେ ୨୯୧ ଗୋଟି କୃଷି କ୍ଷେତ୍ର ପୋଖରୀ ସମ୍ପୁର୍ଣ୍ଣ କରାଯାଇ ଏହି ପ୍ରକଳ୍ପ ଜରିଆରେ ମତ୍ସ୍ୟଚାଷ, ଫଳଚାଷ, କୁକୁଡା ପାଳନ ପାଇଁ ହିତାଧିକାରୀଙ୍କୁ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିଲେ। ୬୩୪ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ସ୍ଥାନାନ୍ତରିତ କରଣ ପାଇଁ ସମସ୍ୟା ଦେଖାଦେଇଥିବା ସୁଚନା ଦେଇଥିଲେ। ଏଣୁ ପୁନଃ ସମୀକରଣ ବୈଠକ ଆହୁତ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲାର ୧୦ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୨ ଗୋଟି ବିଦ୍ୟାଳୟକୁ ସାମିଲ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଜିଲାର ସମସ୍ତ ବିଦ୍ୟାଳୟକୁ ଏହି ୫-ଟି ଯୋଜନାରେ ହାତକୁ ନିଆଯିବ ବୋଲି ଜିଲାପାଳ ଶ୍ରୀ ମିଶ୍ର ସୁଚନା ଦେଇଥିଲେ।

କଣ୍ଟମାଳ ବିଧାୟକ ଶ୍ରୀ ରଣା କେତୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଜାତୀୟ ରାଜପଥ, ନାଳ ପାର ହୋଇଯାଉଥିବା ବିଷୟରେ ଅବଗତ କରାଇଥିଲେ ଓ ଏନେଇ ଜିଲା ଶିକ୍ଷା ଅଧିକାରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ବୈଠକରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଅନୁପସ୍ଥିତ ରହି ତାଙ୍କର ପ୍ରତିନିଧି ପ୍ରେରଣ କରିଥିବାରୁ ଜିଲାପରିଷଦ ସଭ୍ୟମାନେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ଲୋକପ୍ରତିନିଧିମାନଙ୍କୁ ଉପେକ୍ଷା କରୁଥିବା ନେଇ ଗୃହରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାପାଳ ଶ୍ରୀ ମିଶ୍ର ବ୍ୟକ୍ତିଗତ ଭାବେ ଏହାର ତଦନ୍ତ କରି ପ୍ରତିକାର କରିବାକୁ ପ୍ରତିଶୃତି ଦେଇଥିଲେ । ବିଶେଷ କରି କୋଭିଡ-୧୯ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ନମୁନା ପରୀକ୍ଷା, ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଲୋକପ୍ରତିନିଧିଙ୍କ ସହଯୋଗ ଜିଲାପାଳ ଶ୍ରୀମିଶ୍ର କାମନା କରିଥିଲେ। ହରଭଙ୍ଗାଠାରେ ସ୍ୱାସ୍ଥ୍ୟ ବିଭାଗର ଜବରଦଖଲ ହୋଇଥିବା ଯାଗାରୁ ଉଛେଦ କରାଯାଇ ପାଚେରୀ ନର୍ମାଣ କରାଯିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ସାଲୁଙ୍ଖୀ ନଦୀ ଜଳସେଚନ ପ୍ରକଳ୍ପର ୭୧୬୯ ହେକ୍ଟର ଜମି ମଧ୍ୟରେ ପ୍ରାୟ ୩ ହଜାର ହେକ୍ଟର ଜମିକୁ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଜଳସେଚନ ହୋଇପାରୁନଥିବା  ଜଳସେଚନ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ବାଘ ଜଳସେଚନ ପ୍ରକଳ୍ପ ଦ୍ୱାରା୧୦୪୦ ହେକ୍ଟର ଜମିକୁ ରବି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବା ସୂଚନା ଦେଇଥିଲେ। ନାବାର୍ଡ ଦ୍ୱାରା ଜଳ ସେଚନ ବିଭାଗର ୬ ଗୋଟି ପ୍ରକଳ୍ପ ଜିଲାରେ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ। ଝାରମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଆସୁଥିବା ୨.୨୩ ଲକ୍ଷ ମଧ୍ୟରୁ ମାତ୍ର ୬୦ ଲକ୍ଷ ଖର୍ଚ୍ଚ ହୋଇ ଜମି ଅଧିଗ୍ରହଣ ନିମନ୍ତେ ବାଧାପ୍ରାପ୍ତ କାର୍ଯ୍ୟକୁ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଉଠାଜଳସେଚନ ବିଭାଗ ପକ୍ଷରୁ ୧୧୦ ଗୋଟି ଚେକ୍ଡେମ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପାଇଁ ପ୍ରସ୍ତାବ ପ୍ରେରଣ କରାଯାଇଥିବାବେଳେ ନୂତନ ଭାବରେ ୧୨୦୬ ହେକ୍ଟର ଜମିକୁ ଜଳସେଚନ ପାଇଁ ୬ ଗୋଟି ପ୍ରକଳ୍ପ ପ୍ରୋଜେକ୍ଟ ପରାମର୍ଶଦାତା କମିଟି ଦ୍ୱାରା ମଂଜୁରୀ ଲାଭ ପାଇଥିବା ସୂଚନା ଦିଆଯାଇଥିଲା। ସମସ୍ତ ଗ୍ରାମ ପଞ୍ଚାୟତରେ ମିଶନ ସକ୍ତି ଗୃହ ନିର୍ମାଣ ପାଇଁ ଚୂଡାନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତିନିଗୋଟି ବ୍ଲକର ସଦର ମହକୁମାରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଗାମୀ ୪ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ସାମଗ୍ରୀ ପ୍ରଦାନ କରାଯିବା ନେଇ ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଜିଲାରେ ଖରିଫ ଧାନ କ୍ରୟ ଶୁଭାରମ୍ଭ ଡିସେମ୍ବର ୭ ରୁ କରାଯିବାକୁ ବୈଠକରେ ସୂଚନା ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଜନକୁ କେତେକ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବାକୁ ପରାମର୍ଶ ଦିଆଯାଇଥିଲା। ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ବିଭାଗରେ ୩ ଟି ଡାକ୍ତର ପଦବୀ ଖାଲିଥିବା ସୂଚନା ଦିଆଯାଇଥିବାବେଳେ ହରଭଙ୍ଗା ଠାରେ ତୁରନ୍ତ ପ୍ରାଣୀ ଚିକିତ୍ସା ପାଇଁ ଡାକ୍ତର ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ହରଭଙ୍ଗା ବ୍ଲକରେ ଦୁଗ୍ଧ ସ୍ରୋତ ରହିଛି, ସେଥିରେ ଜିଲାକୁ ଦୈନିକ ୮ ଲକ୍ଷ ଲିଟର କ୍ରୟ ଲକ୍ଷ ଥିବାବେଳେ ୯.୬୦ ଲକ୍ଷ ଲିଟର ଉତ୍ପାଦନ କରାଯାଉଅଛି। ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ଯୋଗାଣ ନିମନ୍ତେ ୭ ହଜାର ହିତାଧିକାରୀଙ୍କ ପାଇଁ ୪୧ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ସୂଚନା ଦିଆଯାଇଥିଲା। ତେବେ ମନମୁଣ୍ଡା ଠାରୁ କଣ୍ଟାମାଳ ମଧ୍ୟରେ ଥିବା ପୂରାତନ ବିଦ୍ୟୁତ ଖୁଣ୍ଟି ଗୁଡିକୁ ଉଠାଇ ନୂଆ ଖୁଣ୍ଟି ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଦିଗୁନମାଲ,କୁଞ୍ଜେରମାଲ ଓ ରାବଣାଗୁଡା ଅଞ୍ଚଳକୁ ପାନୀୟଜଳ ଶୀଘ୍ର ପ୍ରଦାନ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ୨୦୨୦-୨୧ ର ଖର୍ଚ୍ଚ ନହୋଇ ପଡିରହିଥିବା ସମୀକ୍ଷା ପରେ ଜଣାପଡିଥିଲା। ଏହାକୁ ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଉପଯୋଗୀ ପ୍ରକଳ୍ପ ଚିଠା ତୁରନ୍ତ ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ମନରେଗା ଯୋଜନାରେ ହେଉଥିବା ଗ୍ରାମାଞ୍ଚଳ ପାର୍କ ଗୁଡିକର ପାଚେରୀ ନିର୍ମାଣ,ଜମି ଉନ୍ନତିକରଣ,ଛେଳି ମେଣ୍ଢା ଗୁହାଳ କେନ୍ଦ୍ର ସରକାରଙ୍କ ଅନୁଦାନ ରାଶି ପ୍ରାପ୍ତ ପରେ କାର୍ଯ୍ୟକ୍ଷମ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କ ପୁନଃ ମୂଲ୍ୟାଙ୍କନ ପାଇଁ ପଠାଯାଇଛି ତାହା ଅନୁମୋଦନ ପରେ କାର୍ଯ୍ୟାରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଥିଲା। ବୈଠକର ସଫଳତା ନେଇ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.