ବୌଦ୍ଧଧର୍ମର ଆଦିପୀଠ ଓଡ଼ିଶା

- ଡଃ ବିମଳେନ୍ଦୁ ମହାନ୍ତି, ପୂର୍ବତନ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

ଆଜି ସାରା ବିଶ୍ୱରେ ବୁଦ୍ଧ ଜୟନ୍ତୀ ପାଳିତ ହେଉଛି। ଇତିହାସରୁ ଜଣାଯାଏ ଯେ ଓଡ଼ିଶାରେ ବୌଦ୍ଧଧର୍ମ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ସିଦ୍ଧାର୍ଥ ଗୌତମଙ୍କ ବୁଦ୍ଧତ୍ୱ ପ୍ରାପ୍ତିଠାରୁ ହିଁ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀ ପର୍ୟ୍ୟନ୍ତ ଏଠାରେ ବୌଦ୍ଧଧର୍ମର ବ୍ୟାପକ ପରିପ୍ରସାର ସାଙ୍ଗକୁ ରାଜ୍ୟର ପ୍ରାକୃତିକ ବନ୍ଦର ଓ ନଦୀମୁହାଣଗୁଡି଼କ ଏହି ନିଚ୍ଛକ ବାସ୍ତବବାଦୀ ଜୀବନ ଦର୍ଶନକୁ ଦରିଆପାରି ଦେଶମାନଙ୍କରେ ପ୍ରଚାର କରିବାରେ ମଧ୍ୟ ସହାୟକ ହୋଇଥିଲା। ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟଠାରୁ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ସ୍ତୂପ, ଚୈତ୍ୟ, ମନ୍ଦିର, ମୂର୍ତ୍ତି, ସ୍ତମ୍ଭ ଓ ବୌଦ୍ଧବିହାରମାନ ଗଢ଼ି ଉଠିଥିଲା, ଯାହା ସମଗ୍ର ବିଶ୍ୱରେ ଅତୁଳନୀୟ। ପ୍ରାଚୀନ ଓଡ଼ିଶାରେ ଏକ ସମୃଦ୍ଧ ବୌଦ୍ଧ ସଂସ୍କୃତିର ବିକାଶ ସାଙ୍ଗକୁ ବୌଦ୍ଧ କଳା, ସ୍ଥାପତ୍ୟ ଓ ପରମ୍ପରାର ଅଭୂତପୂର୍ବ ଉନ୍ନତି ଘଟିଥିଲା। ଏହାର ପ୍ରମାଣ ସ୍ୱରୂପ ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଓ ଭୂଖନନରୁ ଅନେକ ନିଦର୍ଶନ ମିଳିବାରେ ଲାଗିଛି।

ସପ୍ତମ ଶତାବ୍ଦୀରେ କଳିଙ୍ଗ ଭ୍ରମଣରେ ଆସିଥିବା ଚୀନ ପରିବ୍ରାଜକ ହୁଏନ୍‍ ସାଂଙ୍କ ବିବରଣୀ ଅନୁଯାୟୀ ସେତେବେଳେ ଏଠାରେ (ଓଡ୍ର ରାଜ୍ୟରେ) ଅତି କମ୍‍ରେ ଦଶଟି ବୌଦ୍ଧବିହାର ଓ ଅନେକ ବୌଦ୍ଧସ୍ତୂପ ଥିଲା। ହଜାରହଜାର ବୌଦ୍ଧଭିକ୍ଷୁ ଏଠାରେ ବୌଦ୍ଧଧର୍ମ ପାଳନ କରିବା ସହିତ ବୌଦ୍ଧ ଦର୍ଶନର ପ୍ରଚାର-ପ୍ରସାରରେ ଲାଗିଥିଲେ।

ବୁଦ୍ଧଙ୍କର ଧର୍ମମତବାଦ ସର୍ବପ୍ରଥମେ କଳିଙ୍ଗର ଉତ୍ତରାଞ୍ଚଳରେ ପ୍ରବେଶ କରିଥିବା ଜଣାଯାଏ। ବୌଦ୍ଧଗ୍ରନ୍ଥ ‘ଲଳିତବିସ୍ତର’ ଓ ଚୀନ ପରିବ୍ରାଜକ ହୁଏନ୍‍ ସାଂଙ୍କ ବିବରଣୀରୁ ଏହାର ସୂଚନା ମିଳେ। ଜ୍ଞାନଲାଭ ପରେ ସର୍ବପ୍ରଥମେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିବାରୁ ବୁଦ୍ଧ ଆନନ୍ଦର ସହିତ ତପସୁ ଓ ଭଲ୍ଲିକଙ୍କୁ ନିଜର ନଖ ଓ କେଶ ସ୍ମାରକ ସ୍ୱରୂପ ପ୍ରଦାନ କରିଥିଲେ। ଓଡ଼ିଶାକୁ ଫେରିବା ପରେ ସେମାନେ ଏଠାରେ ‘ନଖସ୍ତୂପ’ ଓ ‘କେଶସ୍ତୂପ’ ନିର୍ମାଣ କରି ପୃଥିବୀରେ ସର୍ବପ୍ରଥମେ ବୌଦ୍ଧଧର୍ମର ଦୀପଶିଖା ପ୍ରଜ୍ଜ୍ୱଳିତ କଲେ। ତପସୁ ଜଣେ ‘ଦେବାଚିକ’ ଉପାସକ ଭାବରେ ଏବଂ ଭଲ୍ଲିକ ଜଣେ ‘ଅର୍ହତ’ ରୂପେ ବୌଦ୍ଧଧର୍ମକୁ ଓଡ଼ିଶାରେ ଲୋକପ୍ରିୟ କରାଇଥିଲେ। ବୌଦ୍ଧ ଧର୍ମଗ୍ରନ୍ଥ ‘ମଜ୍‍ଝିମ ନିକାୟ’ର ‘ମହାଚତ୍ତାରିସକ ସୂତ୍ତ’ରେ ବସ୍‍ସ ଓ ଭଞ୍ଜ ନାମକ ଉକ୍କଳ ଜନପଦର ଦୁଇଟି ଉପଜାତିର ଲୋକେ ନିଜର ଅହେତୁକବାଦ, ଅକ୍ରିୟବାଦ ଓ ନାସ୍ତିକବାଦ ଭାବେ ପରିଚିତ ମତବାଦକୁ ପରିତ୍ୟାଗ କରି ବୁଦ୍ଧଦେବଙ୍କ ପ୍ରଚାରିତ ଧର୍ମମତବାଦକୁ ଗ୍ରହଣ କରିଥିବାର ଉଲ୍ଲେଖ ମିଳେ। ବର୍ତ୍ତମାନ ଯାଜପୁର ଜିଲା ଅନ୍ତର୍ଗତ ଜାରକା ଛକ ନିକଟ ତାରାପୁରର ଏକ ପାହାଡ଼ରେ ପ୍ରତ୍ନତାତ୍ତ୍ୱିକ ଖନନରୁ ଏକ ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଛି। ସେଠାରୁ ମିଳିଥିବା ବ୍ରାହ୍ମୀଲିପି ସମ୍ବଳିତ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀର ପାଠୋଦ୍ଧାରରୁ ତାହା ‘ଭିକ୍ଷୁ ତପସୁଙ୍କର ଦାନ’ ଏକ ‘କେଶସ୍ତୂପ’ ବୋଲି ଜଣାଯାଇଛି।

ଆଦିଗୁରୁ ଶଙ୍କରାଚାର୍ୟ୍ୟ ବୌଦ୍ଧ ପଣ୍ଡିତମାନଙ୍କୁ ତର୍କରେ ବିଭିନ୍ନ ସ୍ଥାନରେ ପରାସ୍ତ କରିବା ପରେ ବ୍ରାହ୍ମଣ୍ୟଧର୍ମର ପୁନରୁତ୍ଥାନ ହେଲା। ମୁସଲମାନ ଶାସକମାନେ ଉତ୍ତର ଭାରତରେ ବୌଦ୍ଧଧର୍ମାବଲମ୍ବୀମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ଓ ହତ୍ୟା ସାଙ୍ଗକୁ ବୌଦ୍ଧପୀଠଗୁଡି଼କୁ ଧ୍ୱଂସ କଲେ। ତେଣୁ ସପ୍ତଦଶ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମ ସମଗ୍ର ଭାରତରେ ବିଲୁପ୍ତ ପ୍ରାୟ ହୋଇଥିଲେ ମଧ୍ୟ ବହୁ ଘାତପ୍ରତିଘାତ ମଧ୍ୟରେ ଓଡ଼ିଶାରେ ଏହାର ପ୍ରଭାବ ବଜାୟ ରହିଥିଲା। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲାରେ ଅନ୍ୟୂନ ପଚାଶଟି ଗ୍ରାମରେ ବସବାସ କରୁଥିବା ବୌଦ୍ଧମାନଙ୍କର ସଂଖ୍ୟା ପ୍ରାୟ ଦୁଇଲକ୍ଷ। ବର୍ତ୍ତମାନର ବୌଦ୍ଧ ଜିଲାରେ ବୌଦ୍ଧଧର୍ମର ବ୍ୟାପକ ପ୍ରଭାବ ଦେଖିବାକୁ ମିଳେ।

ବୌଦ୍ଧ ଧର୍ମଗ୍ରନ୍ଥ ଓ ଜାତକକଥାଗୁଡି଼କରେ ‘କଳିଙ୍ଗ’ ସମ୍ପର୍କରେ ବହୁସ୍ଥାନରେ ଉଲ୍ଲେଖ ରହିଛି। ଚୀନ୍‍ ବୌଦ୍ଧଗ୍ରନ୍ଥ ଅନୁଯାୟୀ ନିର୍ବାଣପ୍ରାପ୍ତି ନିମନ୍ତେ ଭଗବାନ ବୁଦ୍ଧ ନିର୍ଦ୍ଧାରଣ କରିଥିବା ବାରଗୋଟି ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଶରଭଙ୍ଗ ଜାତକରେ କୁହାଯାଇଛି ଯେ କଳିଙ୍ଗ ରାଜାଙ୍କ ନାମ ‘କାଳିଙ୍ଗ’ ଥିଲା। ‘ମହାଗୋବିନ୍ଦ ସୂତ୍ତାନ୍ତ’ ଅନୁଯାୟୀ ଭଗବାନ ବୁଦ୍ଧଙ୍କ ମହାପରିନିର୍ବାଣର ଶହେବର୍ଷ ପରେ ବୈଶାଳୀଠାରେ ମଗଧ ସମ୍ରାଟ ଅଜାତଶତ୍ରୁଙ୍କ ବଂଶଧର କାଳାଶକଙ୍କ ଦ୍ୱାରା ଆହୂତ ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ ବେଳକୁ କଳିଙ୍ଗର ଲୋକମାନେ ବୁଦ୍ଧଙ୍କ ବିଷୟରେ ବେଶ୍‍ ସଚେତନ ହୋଇସାରିଥିଲେ। ବୌଦ୍ଧଗ୍ରନ୍ଥ ‘ଦାଠାଧାତୁବଂଶ’ ଓ ‘ଦୀଘ୍‍ଘ ନିକାୟ’ର ‘ମହାପରିନିବ୍‍ବାଣ ସୂତ୍ତ’ ଅନୁଯାୟୀ କଳିଙ୍ଗର ଲୋକମାନେ ମଧ୍ୟ ବୁଦ୍ଧଙ୍କ ମହାପରିନିର୍ବାଣ ପରେ ତାଙ୍କ ଦେହାବଶେଷଗୁଡି଼କର ଉପାସନା କରୁଥିଲେ। ଇତିହାସକାରମାନଙ୍କ ମତାନୁଯାୟୀ କଳିଙ୍ଗର ରାଜଧାନୀ ଦନ୍ତପୁରଠାରେ ବୁଦ୍ଧଦେବଙ୍କର ପବିତ୍ର ଦନ୍ତକୁ ଏକ ଚୈତ୍ୟରେ ରଖି ପୂଜା କରାଯାଉଥିଲା। ବୁଦ୍ଧଙ୍କ ଚିତାଗ୍ନିରୁ ତାହାକୁ ସଂଗ୍ରହ କରିଥିଲେ ସାରିପୁତ୍ତଙ୍କ ଶିଷ୍ୟ କ୍ଷେମ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀ। ସେ ତାହାକୁ କଳିଙ୍ଗରାଜ ବ୍ରହ୍ମଦତ୍ତଙ୍କୁ ପ୍ରଦାନ କଲେ, ଯାହାକୁ ଦୀର୍ଘକାଳ ପର୍ୟ୍ୟନ୍ତ ଏଠାରେ ପୂଜା କରାଗଲା। ପରବର୍ତ୍ତୀ କାଳରେ କଳିଙ୍ଗର ରାଜା ଗୁହଶିବ ବାହ୍ୟ ଶତ୍ରୁଙ୍କ ଆକ୍ରମଣ ଦୃଷ୍ଟିରୁ ନିଜର କନ୍ୟା ହେମମାଳା ଓ ଜାମାତା ଦନ୍ତକୁମାରଙ୍କ ଦ୍ୱାରା ଏହି ଦାନ୍ତକୁ ସିଂହଳକୁ ପଠାଇଦେଲେ, ଯାହା ଏବେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ଦନ୍ତମନ୍ଦିରରେ ପୂଜିତ।

କଳିଙ୍ଗ ଯୁଦ୍ଧ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କଲା ଏବଂ ସେ ଉପଗୁପ୍ତ ନାମକ ଜଣେ ଓଡି଼ଆ ବୌଦ୍ଧସନ୍ନ୍ୟାସୀଙ୍କ ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ତାଙ୍କୁ ‘ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ଅଶୋକ’ ଭାବେ ସମ୍ବୋଧନ କରାଗଲା। ତାଙ୍କରି ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ସାରାବିଶ୍ୱରେ ଏହି ଧର୍ମର ପ୍ରଚାର, ପ୍ରସାର ହୋଇଥିଲା। ଓଡ଼ିଶାର ତାମ୍ରଲିପ୍ତି ବନ୍ଦର ଦେଇ ଅଶୋକଙ୍କ ପୁତ୍ର ରାଜକୁମାର ମହେନ୍ଦ୍ର, ରାଜକୁମାରୀ ତଥା ଅଗ୍ନିବ୍ରହ୍ମଙ୍କ ପତ୍ନୀ ସଂଘମିତ୍ରା ବୌଦ୍ଧଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଭିକ୍ଷୁ ବେଶରେ ଶ୍ରୀଲଙ୍କା ଯାତ୍ରା କଲେ। ସାଥିରେ ଥିଲା ବୋଧିଦ୍ରୁମର ଏକ ଚାରା। କଳିଙ୍ଗର ଆଠଗୋଟି ପରିବାର ମଧ୍ୟ ସେମାନଙ୍କ ସାଥିରେ ଯାଇ ସିଂହଳରେ ସ୍ଥାୟୀ ଭାବେ ବସତି ସ୍ଥାପନ କଲେ। ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶଗୁଡି଼କରେ ମଧ୍ୟ ବୌଦ୍ଧଧର୍ମ ପ୍ରଚାର କରିବାରେ ଓଡି଼ଆ ବୌଦ୍ଧଧର୍ମାବଲମ୍ବୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। କଳିଙ୍ଗ ହିଁ ଅଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବାରୁ ଏ ରାଜ୍ୟ ସବୁ ବୌଦ୍ଧଧର୍ମାବଲମ୍ବୀଙ୍କ ପାଇଁ ଥିଲା ଆକର୍ଷଣର କେନ୍ଦ୍ର। ଅଶୋକଙ୍କ ଭାଇ ତିସ୍‍ସ ଓ ତାଙ୍କ ଗୁରୁ ଧର୍ମରକ୍ଷିତ ତୋଷାଳି ନିକଟରେ ‘ଭୋଜକଗିରି ବିହାର’ ନାମରେ ଏକ ବୌଦ୍ଧବିହାରରେ ଶେଷ ଜୀବନ ଅତିବାହିତ କଲେ। ଅନୁରୂପ ଭାବରେ ବୌଦ୍ଧଧର୍ମର ମହାସାଂଘିକ ଶାଖାର ଆଚାର୍ୟ୍ୟ ମହାଦେବ ଦାକ୍ଷିଣାତ୍ୟରୁ ଆସି କଳିଙ୍ଗବାସୀଙ୍କୁ ବୌଦ୍ଧମତବାଦ ଶିକ୍ଷା ଦେଇଥିଲେ। ତେବେ ସେହି ସମୟରେ ଏଠାରେ ଲୋକପ୍ରିୟ ହୋଇଥିବା ସର୍ବାସ୍ତିବାଦର ଆଚାର୍ୟ୍ୟ ଉପଗୁପ୍ତଙ୍କର ଯୋଗ୍ୟ ଶିଷ୍ୟ ଧିତିକ, କାଳ (କୃଷ୍ଣ) ଓ ପ୍ରଶିଷ୍ୟ ପୋଷାଢ଼ ପ୍ରମୁଖ କଳିଙ୍ଗରେ ଅବସ୍ଥାନ କରି ଧର୍ମପ୍ରଚାରରେ ମନୋନିବେଶ କରିଥିଲେ। ବୌଦ୍ଧ ସାହିତ୍ୟରେ ଉଲ୍ଲିଖିତ ‘ଓଡି଼ଭିଶା’ ମାଟିରେ ବହୁ ପ୍ରସିଦ୍ଧ ବୌଦ୍ଧସିଦ୍ଧାଚାର୍ୟ୍ୟ ଜନ୍ମଗ୍ରହଣ କରିଥିଲେ। ଦ୍ୱିତୀୟ ବୁଦ୍ଧ ଭାବରେ ପରିଚିତ ଗୁରୁ ପଦ୍ମସମ୍ଭବ ଓଡି଼ଆ ବୌଦ୍ଧ ସନ୍ନ୍ୟାସୀ ଥିଲେ। ସମ୍ବଲରାଜ ଇନ୍ଦ୍ରଭୂତି ବଜ୍ରଯାନ ବୌଦ୍ଧ ମତବାଦର ପ୍ରତିଷ୍ଠାତାଙ୍କର ଥିଲେ ପୋଷ୍ୟପୁତ୍ର।

ବୌଦ୍ଧଦର୍ଶନ ଓ ନୀତିଶିକ୍ଷା ମାନବଜାତିକୁ ଯେ ବହୁପରିମାଣରେ ମାର୍ଜିତ କରିଛି ଏବଂ ମଣିଷମାନଙ୍କୁ ବୃକ୍ଷ, ଲତା, ଫଳ, ପୁଷ୍ପ, ପଶୁ, ପକ୍ଷୀ ସମସ୍ତଙ୍କୁ ଭଲପାଇବା ଶିଖାଇଛି ଏହା ସର୍ବଜନ ସ୍ୱୀକୃତ।

Comments are closed.