ବୌଦ୍ଧ ଜିଲା: ୨୫ରୁ କିଣାଯିବ ଧାନ, ୭ ହଜାର ନୂଆ ଚାଷୀ ପଞ୍ଜିକୃତ

ଚଳିତ ବର୍ଷ ୩ ପର୍ଯ୍ୟାୟରେ କିଣାଯିବ ୧୮ ଲକ୍ଷ ଟନ୍

ବୌଦ୍ଧ: ବୌଦ୍ଧ ଜିଲାସ୍ତରୀୟ ଧାନକ୍ରୟ ବୈଠକ ଜିଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ନଭେମ୍ବର ୨୫ ତାରିଖରୁ ଜିଲାରେ ଧାନମଣ୍ଡି ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୦,୭୦,୦୦୦ କ୍ବିଣ୍ଟାଲ ଧାନକ୍ରୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଚାଷୀ କିମ୍ବା ମିଲର ଯେପରି କ୍ଷତିଗ୍ରସ୍ତ ନ ହେବେ ସେଥି ପାଇଁ ଏଫଏକ୍ୟୁ ଧାନ କିଣାକୁ କଡ଼ାକଡ଼ି ଭାବରେ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ବର୍ଷ ମିଲରମାନେ ଚାଷୀମାନଙ୍କ ଧାନକୁ ନିମ୍ନମାନର କହି କଟନିଛଟନୀ କରୁଥିବା ଅଭିଯୋଗ ହୋଇ ଆସୁଥିବାରୁ ଚଳିତ ବର୍ଷ ଏହା ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ତେଣୁ ଚାଷୀମାନେ ଏଫଏକ୍ୟୁ ଅନୁଯାୟୀ ଧାନପ୍ରଦାନ କରିବେ ଓ ସେହି ଅନୁଯାୟୀ ନିର୍ଦ୍ଧାରିତ ମୂଲ୍ୟ ପାଇବେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଧାନର ଏଫଏକ୍ୟୁ ମାନ ନିର୍ଣ୍ଣୟ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ ବ୍ୟବସ୍ଥା ଓ ଯନ୍ତ୍ରପାତି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଗତ ବର୍ଷ ଜିଲାରେ ୨୭ ୩୨୮ ଜଣ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜିକୃତ କରିଥିବା ବେଳେ ଚଳିତ ବର୍ଷ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୩୪୩୫୦ରେ ପହଞ୍ଚିଲାଣି। ଫଳରେ ଜିଲାରେ ନୂଆ କରି ୭୦୨୨ ଜଣ ଚାଷୀ ନାମ ପଞ୍ଜିକୃତ କରାଇଛନ୍ତି। ଚଳିତ ବର୍ଷ ରେକର୍ଡ ପରିମାଣରେ ଧାନ ସଂଗ୍ରହ ଲକ୍ଷ୍ୟ ଥିବାରୁ ୩ଟି ପର୍ଯ୍ୟାୟରେ ୧୮ ଲକ୍ଷ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣାଯିବାର ଲକ୍ଷ ରଖାଯାଇଛି। ଗତବର୍ଷ ବାହାର ଜିଲାରୁ ୧୦ ଜଣ ମିଲରଙ୍କୁ ଧାନ ଉଠାଇବାକୁ ସୁଯୋଗ ଦିଆ ଯାଇଥିଲା। ଜିଲାରେ ମିଲରମାନଙ୍କ ଧାନ ସଂଗ୍ରହ କ୍ଷମତା ବୃଦ୍ଧି ଘଟିଥିବା ବେଳେ ବାହାର ମିଲରମାନଙ୍କୁ ଧାନ କିଣାରେ ସୁଯୋଗ ନଦେବାକୁ ମିଲର ସଂଘ ପକ୍ଷରୁ ବୈଠକରେ କୁହା ଯାଇଥିଲା। ମିଲରମାନେ ଠିକ ‌ସମୟରେ ଧାନମଣ୍ଡିରେ ଗାଡ଼ି ପହଞ୍ଚାଇବା ନେଇ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ମିଲରମାନଙ୍କ ପକ୍ଷରୁ ଧାନମଣ୍ଡିରେ ଲୋଡ଼ିଂ ଖର୍ଚ୍ଚ ଓ ବସ୍ତା ବଦଳ ସମସ୍ୟା ସମ୍ପର୍କରେ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥି ପାଇଁ ନିର୍ଦ୍ଦିଷ୍ଟ ସରକାରୀ ଗାଇଡଲାଇନ ଥିବାରୁ ବୁଝାମଣା ଆଧାରରେ ସମାଧାନ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀ ଓ ମିଲର ସଂଘକୁ ପରାମର୍ଶ ଦେଇଛନ୍ତି। ଗତ ବର୍ଷ ଜିଲାରେ ୪୨ଟି ସେବା ସମବାୟ ସମିତି ସହ ୫୬ଟି ମଣ୍ଡି ଜରିଆରେ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୌଦ୍ଧ ବ୍ଲକର ମୁରୁଷୁଣ୍ଢି, ମୁଣ୍ଡିପଦର ଓ କଣ୍ଟାମାଳ ବ୍ଲକର ଘିକୁଣ୍ଡିରେ ଅତିରିକ୍ତ ୩ଟି ମଣ୍ଡି ଖୋଲିବାକୁ ଆଲୋଚନା ହୋଇଛି। ତେବେ ଧାନକିଣାରେ ଆଗ୍ରହୀ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ଆଗ୍ରହୀ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିମ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସମବାୟ ସମିତିଗୁଡ଼ିକରେ ଚାଷୀମାନଙ୍କଠାରୁ ସଂଗୃହିତ ଧାନ ମହଜୁଦ ରଖିବାକୁ ପାଇଁ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା, ତାରପୋଲିନ, ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛିି। ଧାନକିଣାକୁ ଜିଲାରେ ସୁବ୍ୟବସ୍ଥିତ ଭାବରେ କରିବା ସହିତ ଚାଷୀମାନଙ୍କ ଯେପରି କୌଣସି ସମସ୍ୟା ନ ହୁଏ ସେଥିପାଇଁ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ଅଶ୍ୱିନୀ କୁମାର ମେହେର, ଜିଲା ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ,ଏଆସିଏସ ଭୀମସେନ ସାହୁ, ମିଲ ମାଲିକ ସଂଘ ସଭାପତି ଅଶୋକ କୁମାର ଅଗ୍ରୱାଲା, ସଂପାଦକ ଶଙ୍କର ମେହେର, ନୀଳକଣ୍ଠ ମହାନ୍ତି, ସାଂସଦ ପ୍ରତିନିଧି ଶାନ୍ତନୁ କୁମାର ମିଶ୍ର, ବୌଦ୍ଧ ବିଧାୟକ ପ୍ରତିନିଧି ସୀତାଂଶୁ ମହାକୁଳ, କଣ୍ଟାମାଳ ବିଧାୟକ ପ୍ରତିନିଧି ପ୍ରେମରାଜ ରଣାଙ୍କ ସହ ଚାଷୀ ସଙ୍ଗଠନର ପ୍ରତିନିଧି ଯୋଗଦେଇଥିଲେ।

Comments are closed.