ସମାଜର ପ୍ରଭାବ; ଅସ୍ପୃଶ୍ୟତାର ଶିକାର ପକ୍ଷାଘାତ ରୋଗୀ ଉପାସୀଙ୍କୁ ମିଳିଲା ଚିକିତ୍ସା

ବୌଦ୍ଧ: ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବର ଗ୍ରାମର ପକ୍ଷାଘାତ ରୋଗରେ ପୀଡିତା ଉପାସୀ ପ୍ରଧାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ପକ୍ଷାଘାତରେ ପୀଡିତା ଅସହାୟା ମହିଳା ଉପାସୀ ଅସ୍ପୃଶ୍ୟତାର ଶିକାର ହୋଇ ଚିକିତ୍ସା ନପାଇ ଭୋକ ଉପାସରେ ଘରେ ପଡି ରହିଥିବା ବେଳେ ଏହି ଖବର ଗତ ୨୨ ତାରିଖରେ ସମାଜରେ ପ୍ରକାଶ ପାଇବା ପରେ ଲୋକଲୋଚନକୁ ଆସିଥିଲା ।

ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟିକୁ ଘଟଣା ଆସିବା ପରେ ତୁରନ୍ତ ଉପାସୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଉପାସୀଙ୍କୁ ତାଙ୍କର କୁଡିଆରୁ ଉଦ୍ଧାର କରି ଆଣି ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉପାସୀ ଏବେ ସୁସ୍ଥ ଥିବା ଜଣାଯାଇଛି । ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଆଜି ଜିଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ଉପାସୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ସହିତ ନିଜ ଦରମାରୁ ତାଙ୍କୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି । ତହସିଲଦାର ଶ୍ରୀମିଶ୍ର ଉପାସୀଙ୍କ ଅବସ୍ଥା ସଂପର୍କରେ ସୂଚନା ପାଇ ପ୍ରଥମେ ତାଙ୍କ ଖଣ୍ଡବର ସ୍ଥିତ କୁଡିଆରେ ପହଞ୍ଚିଥିଲେ । ସେଠାରୁ ଉପାସୀଙ୍କୁ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇ ଶ୍ରୀମିଶ୍ର ଚିକିତ୍ସାଳୟରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ଏଥିସହିତ ଉପାସୀଙ୍କ ନିକଟରେ ଅପସ୍ମାର ରୋଗର ପୀଡିତା ଜଣେ ବାଳିକାର ପରିବାର ନିକଟରେ ତାଙ୍କର ଚିକିତ୍ସା ପାଇଁ ଅର୍ଥ ନଥିବାରୁ ତହସିଲଦାର ଶ୍ରୀମିଶ୍ର ତାର ଚିକିତ୍ସା ପାଇଁ ସମସ୍ତ ଔଷଧ ଖର୍ଚ୍ଚ ନିଜେ ଯୋଗାଇଦେବାକୁ ପରିବାରକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ହରଭଙ୍ଗା ତହସିଲାଦରଙ୍କ ଏହି ମାନବିକତା ଓ ଗରିବଙ୍କ ପ୍ରତି ଦରଦ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.