ବୌଦ୍ଧରେ ୨ହାତୀ ମୃତ୍ୟୁ ଘଟଣା; ବନବିଭାଗ ଦ୍ୱାରା ୩ ଶିକାରୀ ଗିରଫ

ବୌଦ୍ଧ :  ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ସେକସନର ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଦୁଇଗୋଟି ହାତୀର ମୃତଦେହ ଠାବ ହୋଇଥିବା ବେଳେ ଘଟଣାରେ ବନବିଭାଗ ପକ୍ଷରୁ ଜଣେ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟ ଗାର୍ଡକୁ ନିଲମ୍ବିତ କରାଯାଇଛି । କିନ୍ତୁ ଏହି ଘଟଣାରେ ବନବିଭାଗର ତଳିଆ କର୍ମଚାରୀଙ୍କ ଉପରେ ସବୁ ଦୋଷ ଲଦି ବଡବଡିଆ ବାବୁମାନେ ଖସି ଯାଇଥିଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ଚାପରେ ଥିବାବେଳେ ଶୁକ୍ରବାର ୩ ଜଣଙ୍କୁ ରାତିଅଧିଆ ଉଠାଇ ଆଣି ପଚରା ଉଚୁରା ପରେ ହାତୀ ଶୀକାର ଅଭିଯୋଗରେ ଗିରଫ କରିଥିବା ଜଣାପଡିଛି । ତେବେ ଗ୍ରାମର ୩ ଜଣଙ୍କୁ ବନବିଭାଗ ଉଠାଇ ଆଣିବାପରେ ଏହାକୁ ନେଇ ଟିକରପଡା ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି ।

ଏନେଇ ପଞ୍ଚାୟତର ବିରିଗଡ, ଜାମଖୋଲ ଓ ଭୁର୍କିପଡା ଗ୍ରାମର ଗ୍ରାମବାସୀମାନେ ବନବିଭାଗ ଉଠାଇ ଆଣିଥିବା ଲୋକମାନେ ନିରୀହ ଅଟନ୍ତି ଓ ବନବିଭାଗ ନିଜ ଦୋଷ ଲୁଚାଇବା ପାଇଁ ସେମାନଙ୍କୁ ଉଠାଇ ଆଣି ରଖିଥିବା ଅଭିଯାଗ କରିବା ସହ ଅପରାହ୍ନରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ  ବୌଦ୍ଧ  ବନଖଣ୍ଡ କାର୍ଯ୍ୟାଳୟ ଘେରାଓ କରିବାସହ ସନ୍ଧ୍ୟାରେ  ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ  ବନଖଣ୍ଡ କାର୍ଯ୍ୟାଳୟ ଆଗରେ ଅବରୋଧ କରିଥିଲେ । ମିଳିଥିବା ସୂଚନା ମୁତାବକ ବନବିଭାଗ ପକ୍ଷରୁ ଇନ୍ଦ୍ରଡୁଲି ଗ୍ରାମର କର୍ଣ୍ଣ ପ୍ରଧାନ (୪୮) , ଜାମଖୋଲ ଗ୍ରାମର ବିଘ୍ନେ କହଁର (୫୦) ଓ ନିରାକାର ନାଏକ (୩୨)ଙ୍କୁ ହାତୀ ଶିକାର ମାମଲାରେ ଗିରଫ କରାଯାଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏମାନେ ସମସ୍ତେ ନିରୀହ ଗ୍ରାମବାସୀ, ତେଣୁ ସେମାନଙ୍କୁ ନଛାଡିବା ପର୍ଯ୍ୟନ୍ତ ରାସ୍ତାରୋକ କରିବା ସହ କାର୍ଯ୍ୟାଳୟ ଘେରାଓରୁ ଓହରିବୁ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ । ରାସ୍ତା ଅଭିରୋଧ ସଂପର୍କରେ  ଖବରପାଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେଠାରେ ପହଞ୍ଚିବା ସହ ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।  ଜିଲ୍ଲାପାଳ ଶ୍ରୀ ମିଶ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିବାପରେ ଆନ୍ଦୋଳନରତ ଗ୍ରାମବାସୀମାନେ ରାସ୍ତାରୋକରୁ ହଟିଥିଲେ । ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ରାସ୍ତା ଅବରୋଧ ହେବା ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ  ଗାଡି ଅଟକି ରହିଥିଲା । ଏନେଇ  ବୌଦ୍ଧ ରେଂଜର ପ୍ରଦୀପ ବେହେରାଙ୍କୁ ପଚାରିବାରୁ ହାତୀ ମୃତ୍ୟୁ ଘଟଣାରେ  ୩ଜଣଙ୍କୁ ଗିରଫ କରଯାଇଛି  ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Comments are closed.