ବିପଦ ସଙ୍କେତ ଉପରେ ମହାନଦୀ, ଜଗନ୍ନାଥ ସଡକ ଯୋଗଯୋଗ ବିଛିନ୍ନ

ବୌଦ୍ଧ:ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବୌଦ୍ଧରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଲାଗି ରହିଥିବାରୁ ତେଲନଦୀ,ବାଘନଦୀ ଓ ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧଠାରେ ମହାନଦୀରେ ବିପଦ ସଙ୍କେତ ୮୦.୭୦ ମିଟର ରେକର୍ଡ କରାଯାଇଥିବାବେଳେ ଅପରାହ୍ନ ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଉପରେ ୮୦.୯୩ ମିଟରରେ ପ୍ରବାହିତ ହେଉଅଛି। ଫଳରେ ବୌଦ୍ଧ ସହରର ତଳି ଅଞ୍ଚଳ ଗୁଡିକରେ ମହାନଦୀ ଜଳ ପ୍ରବେଶ କରିସାରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ,ବାଣିଜ୍ୟକର କାର୍ଯ୍ୟାଳୟ ଆଦି ପାଣି ଘେରରେ ରହିଛି। ଜଗନ୍ନାଥ ସଡକରେ କୃଷ୍ଣମୋହନପୁର ପୋଲ ଉପରେ ପ୍ରାୟ ୮ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ହରଭଙ୍ଗା ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏହାବ୍ୟତୀତ ହରଭଙ୍ଗା ଓ ବୌଦ୍ଧ ବ୍ଲକର ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହେବା ସହିତ ଧାନ ଫସଲ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି।

ବୌଦ୍ଧ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମହାନଦୀ ଜଳ କୂଳ ଲଙ୍ଘି ଜାତୀୟ ରାଜପଥ ପର୍ଯ୍ୟନ୍ତ ମାଡି ରହିଛି। ଫଳରେ ଏଠାରେ ମଧ୍ୟ ଚାଷଜମି ଜଳମଗ୍ନ ହେବା ସହିତ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ରାସ୍ତା ଅତିକ୍ରମ କରି ଜନବସତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ସହରର ଗାଈଗୋଠ ପଡିଆ ଓ ଗ୍ରାମ୍ୟ ଉନ୍ନ୍ରୟନ ବିଭାଗ କଡ ବସ୍ତିରେ ମହାନଦୀ ଜଳ ପ୍ରବେଶ କରିଥିବାରୁ ସେଠାରେ ରହୁଥିବା ପରିବାରମାନଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ସୂଚନା ମୁତାବକ ପ୍ରାୟ ୧୫ ଟି ପରିବାର ଘରଛାଡି ମାଳିସାହି ବିଶ୍ରାମାଗାରକୁ ଉଠିଆସିଥିବା ଜଣାଯାଇଛି। ତେବେ ଶୁକ୍ରବାର ସକାଳୁ ଜିଲାରେ ବର୍ଷା ଛାଡିବା ଯୋଗୁଁ ସାଧାରଣରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି। ତେବେ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରୁ ୪୦ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ତଳ ମୁଣ୍ଡରେ ସତର୍କ ସୂଚନା ଜାରି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ତଳି ଅଞ୍ଚଳରେ ରହୁଥିବା ଲୋକମାନେ ବନ୍ୟାପାଣି ପ୍ରବେଶ ନେଇ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଛି। ଜିଲା ଜଳସଂପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ମହାନଦୀରେ ଜଳସ୍ତର ରେକର୍ଡ କରାଯାଉଅଛି। ପ୍ରଶାସନ ପକ୍ଷରୁ ମଧ୍ୟ ଜରୁରିକାଳୀନ ବିଭାଗ ବ୍ଲକ ପ୍ରଶାସନମାନେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏଯାଏ ଜିଲାରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବାବେଳେ ଲୋକମାନେ ନଦୀକୂଳ ଅଞ୍ଚଳରେ ପରିବାର ସହ ବୁଲି ବନ୍ୟା ପାଣି ଦେଖିବାକୁ ଭିଡ ଜମାଇଥିବା ଦେଖାଯାଇଛି। ମହାନଦୀ ଭିତରକୁ ମାଛମରା ଡଙ୍ଗା ନେଇ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯିବା ସହିତ ଦ୍ୱୀପଗ୍ରାମ ମର୍ଜାକୁଦବାସୀଙ୍କ ପାଇଁ ବୌଦ୍ଧ ଏନଏସି ପକ୍ଷରୁ ମୋଟର ବୋଟର ବ୍ୟବସ୍ଥା କରାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ବ୍ୟକ୍ତିଗତ ଭାବରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହିତ ସବୁ ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.