ବୌଦ୍ଧରେ ନିର୍ମାଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ

ବୌଦ୍ଧ : ମୁଖ୍ୟ ଶାସନ ସଚିବ ଓ ୫ ଟି ସଚିବଙ୍କ ବୌଦ୍ଧ ଗସ୍ତ ପରେ ମୋ ସରକାର ଯୋଜନାରେ ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଓ ରୋଗୀମାନଙ୍କ ଆଟେଣ୍ଡାଣ୍ଟ୍ଙ୍କ ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ ପାଇଁ ସରକାର ଘୋଷଣା କରିଥିବାବେଳେ ଏଥିପାଇଁ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଆୟୋଜିତ ଏକ ଗୁରୁତ୍ୱପୁର୍ଣ୍ଣ ସମୀକ୍ଷା ବୈଠକରେ ବୌଦ୍ଧ ସହର ମଧ୍ୟରେ ରାଜାଙ୍କ ଦ୍ୱାରା ନିର୍ମିତ ଉପକାରାଗାରକୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେହି ସ୍ଥାନରେ ଏହି ନୂତନ ଚିକିତ୍ସାଳୟ ନିର୍ମାଣ କରାଯିବାକୁ ଆର୍କିଟେକଚରଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇସାରିଥିବା ସୂଚନା ଦିଆଯାଇଛି। ପ୍ରସ୍ତୁତ ଡିଜାଇନକୁ ଜିଲା ସ୍କ୍ରୁଟନି କମିଟି ଦ୍ୱାରା ପୁନଃ ନିରୀକ୍ଷଣ କରାଯିବ। ଏହାପରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ଡିପିଆର ପ୍ରସ୍ତୁତି ହେବ ଓ ତାହା ସରକାରଙ୍କ ନିକଟକୁ ପ୍ରଶାସନିକ ଅନୁମମୋଦନ ପାଇଁ ପଠାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନୂତନ ଚିକିତ୍ସାଳୟ କୋଠା ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଗଲେ ନିର୍ଦ୍ଧାରିତ ସମୟରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇପାରିବ ବୋଲି ବୈଠକରେ ଉପସ୍ଥିତ ଥିବା ବୌଦ୍ଧ ଫୁଲବାଣୀ ସର୍କଲର ସୁପରିଟେଣ୍ଡିଂ ଇଂଜିନିୟର ମନୋଜ କୁମାର ତିପ୍ରାଠୀ ପ୍ରକାଶ କରିଥିଲେ।
ପ୍ରସ୍ତାବିତ ଚିକିତ୍ସାଳୟ ନିର୍ମାଣ ପାଇଁ ୧୦.୪୪୫ ଏକର ଯାଗା ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ପ୍ରଦାନ ସରିଥିବା ବୈଠକରେ ସୂଚନା ଦିଆଯାଇଛି। ଜାତୀୟ ରାଜପଥ ସଂପ୍ରସାରଣ ଚାଲିଥିବାରୁ ଆବଶ୍ୟକୀୟ ସ୍ଥାନ ଖାଲି ରଖାଯିବା ସହିତ ଶିଳ୍ପ ତାଲିମ କେନ୍ଦ୍ର ଓ ଚିକିତ୍ସାଳୟ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ୨୦ ମିଟର ପ୍ରଶସ୍ତ କରିବାକୁ ଜିଲାପାଳ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଏହି ରାସ୍ତା ୧୨ ମିଟର ପ୍ରଶସ୍ତ ରହିଥିବାବେଳେ ଶିଳ୍ପତାଲିମ କେନ୍ଦ୍ର ଓ ଗ୍ରାମ ଉନ୍ନୟନ ବିଭାଗକୁ ଦିଆଯାଇଥିବା କିଛି ସ୍ଥାନକୁ ରାସ୍ତାରେ ମିଶାଇ ଏହାକୁ ୨୦ ମିଟର ପ୍ରଶସ୍ତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ, ବୌଦ୍ଧ ତହସିଲଦାର ଓ ନିର୍ବାହୀ ଅଧିକାରୀ ବୌଦ୍ଧଗଡ ଏନଏସିଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପୂର୍ବରୁ ରହିଥିବା ବିଦ୍ୟୁତ ଓ ପାନୀୟଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହେଉଥିଲେ ତାହାକୁ ତୁରନ୍ତ ସ୍ଥାନାନ୍ତର ଓ ନୂତନ ପ୍ରକଳ୍ପ ଲାଗି ଆବଶ୍ୟକୀୟ ଭିତିଭୂମି ପାଇଁ ବିଭାଗୀୟ ଯୋଜନା ପ୍ରସ୍ତୁତ କରିିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ନୂତନ ଚିିକିତ୍ସାଳୟ ସାତ ମହଲା ବିଶିଷ୍ଟ ହେବା ସହିତ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଓ ରୋଗୀମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଯିବାକୁ ଲକ୍ଷ ରହିଥିବା ଜଣାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ତ୍ରିଲୋଚନା ପ୍ରଧାନ, ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକ ଓ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ରହ୍ମେଶ୍ୱର ଦାଶ ପ୍ରମୁଖ ଯୋଗଦେଇଥିଲେ।

Comments are closed.