ବୌଦ୍ଧ ସହରର ବିକାଶରେ ମୁଖ୍ୟ ସମସ୍ୟା ଜବରଦଖଲ

ଧିମେଇ ଚାଲିଛି ଗଡଖାଇ (ଜରିଖଣ୍ଡି)ପୁନରୁଦ୍ଧାର କାର୍ଯ୍ୟ

ବୌଦ୍ଧ  : ବିକାଶ ଦିଗରେ ଅଗ୍ରଗତି କରୁଥିବା ଐତିହାସିକ ବୌଦ୍ଧ ସହର ପାଇଁ ଜବରଦଖଲ ମୁଖ୍ୟ ସମସ୍ୟା ହୋଇପଡିଛି । ସହରର କେନ୍ଦ୍ରସ୍ଥଳରେ ରାଜାଙ୍କ ସମୟରୁ ନିର୍ମିତ ଗଡଖାଇ ଆବର୍ଜନା କୁଣ୍ଡରେ ପରିଣତ ହୋଇଥିବାବେଳେ ଏହା ପରବର୍ତ୍ତି ସମୟରେ ଜରିଖଣ୍ଡି ନାମରେ ଲୋକଙ୍କ ମଧ୍ୟରେ ପରିଚିତ ହୋଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏନଏସିର ପ୍ରଶାସକ ଭାବରେ ଦାୟିତ୍ୱ ନେବାପରେ ଏହି ଗଡଖାଇ ବା ଜରିଖଣ୍ଡିର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଗଡଖାଇର ପଙ୍କୋଦ୍ଧାର ସହିତ ପାଶ୍ୱର୍ରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟରୁ ମଦନମୋହନ ମନ୍ଦିର ପର୍ଯ୍ୟନ୍ତ ଗାର୍ଡୱାଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପନ ପରେ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲାର ସୌନ୍ଦର୍ଯ୍ୟକରଣ ପାଇଁ ଏହାକୁ ଏକ ଡ୍ରିମ ପ୍ରୋକେକ୍ଟ ବୋଲି କୁହାଯାଉଥିବାବେଳେ କାର୍ଯ୍ୟର ଅଗ୍ରଗତିରେ ଜବରଦଖଲ ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଛି । ଗଡଖାଇର ଗୋଟିଏ ପଟେ ବାହାର ଅଞ୍ଚଳରୁ ଆସିଥିବା କିଛିଲୋକ ଜନବସତି କରି ରହି ଆସୁଥିବାବେଳେ ଅନ୍ୟ ପାର୍ଶ୍ବରେ ଅସ୍ଥାୟୀ ଦୋକାନଘର ସବୁ ନିର୍ମାଣ କରି ଲୋକମାନେ ବ୍ୟବସାୟ କରୁଛନ୍ତି । ଏନଏସି ଛକଠାରୁ ଭୈରବୀ ଛକ ପର୍ଯ୍ୟନ୍ତ ରାସ୍ତା ସଙ୍କୁଚିତ ଥିବାବେଳେ ଏବଂ ପାର୍କିଂ ସମସ୍ୟା ରହୁଥିବାରୁ ଗଡଖାଇ ପୁନରୁଦ୍ଧାର ପ୍ରକଳ୍ପରେ ଯୋଜନା ଅନୁଯାୟୀ ପାର୍କିଂ ବ୍ୟବସ୍ଥା ଓ ଦୋକାନଘର ନିର୍ମାଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କିନ୍ତୁ ପ୍ରଶାସନ ପକ୍ଷରୁ ବାରମ୍ବାର ବୁଝାଶୁଝା କରାଯିବା ପରେ ମଧ୍ୟ ଅସ୍ଥାୟୀ ଦୋକାନ କରି ବ୍ୟବସାୟ କରୁଥିବା ଓ ଜବରଦଖଲ କରି ବସତିରେ ରହୁଥିବା ଲୋକମାନେ ନିଜ ଯାଗା ଛାଡିବାକୁ ରାଜି ହେଉନଥିବାରୁ ବହୁ ଆକାଂକ୍ଷିତ ଗଡଖାଇ ପୁନରୁଦ୍ଧାର କାର୍ଯ୍ୟ ଧିମେଇ ଧିମେଇ ଚାଲିଛି। ପ୍ରଶାସନ ପକ୍ଷରୁ ଜବରଦଖଲ ହଟାଯାଉନଥିବାରୁ ପଙ୍କୋଦ୍ଧାର ଓ ଗାର୍ଡୱାଲ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାଦାର କାର୍ଯ୍ୟରେ ବିଳମ୍ବ ହେଉଥିବା ଯୋଗୁଁ ନିଜେ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ପ୍ରଶାସନକୁ ବାରମ୍ବାର ଲିଖିତ ଭାବରେ ଅବଗତ କରାଉଥିବା ଜଣାଯାଇଛି। ଅନ୍ୟପଟେ ଅସ୍ଥାୟୀ ଦୋକାନୀମାନେ ମାମଲାକୁ କୌଣସିମତେ ନ୍ୟାୟାଳୟକୁ ନେବାକୁ ଚେଷ୍ଟିତ ଥିବାବେଳେ ସମୟ ଗଡାଇଚାଲିଥିବା ଆଲୋଚନା ହେଉଅଛି।

ଗଡଖାଇ (କିସମ ଜଳାଶୟ) ପାର୍ଶ୍ବରେ ଅସ୍ଥାୟୀ ଦୋକାନ ନିର୍ମାଣ ପାଇଁ ଏନଏସି ପକ୍ଷରୁ ଅନୁମତି ପ୍ରଦାନ ସମୟରେ ଝାଟିମାଟି ଘର ନିର୍ମାଣ ଏବଂ କାହାକୁ ଭଡାସୁତ୍ରରେ ନଦେବାକୁ ଚୁକ୍ତି ହୋଇଥିଲେ ମଧ୍ୟ ଏଠାରେ ପ୍ରାୟ ୩୫ ଗୋଟି ଘର ଭଡାରେ ଲଗାଯାଇଥିବା ଜଣାଯାଇଛି । ଅନେକ ଦୋକାନଘର ଏନଏସି ଚୁକ୍ତିକୁ ଉଲଂଘନ କରି ପକ୍କାଘର ନିର୍ମାଣ କରିଥିବାବେଳେ ସରକାରୀ ଯାଗାକୁ ଏଠାରେ କିଣାବିକା ଚୁକ୍ତି ମଧ୍ୟ ହୋଇଥିବା ଜଣାଯାଇଛି । ତେଣୁ ଗଡାଖାଇ ପାର୍ଶ୍ବରେ ଭଡାନେଇ ବ୍ୟବସାୟ କରୁଥିବା ଲୋକ ଓ ଦୋକାନ ଭଡା ଦେଇଥିବା ଲୋକ ଦୁଇଗୋଷ୍ଠୀରେ ବିଭକ୍ତ ହେବା ସହିତ ଉଭୟେ ପ୍ରଶାସନ ନିକଟରେ ନୂତନ ଦୋକାନଘର ନିର୍ମାଣ ସମୟରେ ସେମାନଙ୍କୁ ପ୍ରଦାନ କରିବାକୁ ଦାବି କରିଛନ୍ତି । କେବଳ ସେତିକି ନୁହେଁ ଏନଏସିର ଯେକୌଣସି ଅଞ୍ଚଳରେ ଦୋକାନଘର ବଣ୍ଟନ ସମୟରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କ ନାମରେ ଦୋକାନଘର ପ୍ରଦାନ ପାଇଁ ପୂର୍ବରୁ ଏନଏସି ପକ୍ଷରୁ ନିୟମ କରାଯାଇଥିବାବେଳେ, ଗଡଖାଇରେ ଦୋକାନ ଦେଇଥିବା କିମ୍ବା ଭଡା ଦେଇଥିବା ଲୋକମାନେ ସହରର ବିଭିନ୍ନ ସ୍ଥାନରେ ଏକାଧିକ ଦୋକାନ ନିଜ ପରିବାରଲୋକଙ୍କ ନାମରେ ରଖିଥିବା ମଧ୍ୟ ଜଣାଯାଇଛି । ଗୋଟିଏପଟେ ପ୍ରଶାସନ ପକ୍ଷରୁ ଜନବସତିକୁ ଉଠାଇ ଜାଗାମିଶନ ଯୋଜନାରେ ଅନ୍ୟସ୍ଥାନରେ ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ଅନ୍ୟପଟେ ଦୋକାନଘର ଉଠାଇବା ମାମଲା ଛିଣ୍ଡିପାରୁନଥିବା ଜଣାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଗଡଖାଇ ପାଶ୍ୱର୍ରେ ନୂତନ ଦୋକାନଘର ନିର୍ମାଣ ସମୟରେ ଝିଣ୍ଟିକା ମାରି ବଣି ପୋଷିବା ନିତି ନ ଆପଣାଇ ଦୀର୍ଘବର୍ଷ ଧରି ଭଡାନେଇ ବ୍ୟବସାୟ କରୁଥିବା ଓ ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଆର୍ଥିକ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଉଅଛି । ଆଗକୁ ପୌର ନିର୍ବାଚନ ଥିବାରୁ ରାଜନୈତିକ ବ୍ୟକ୍ତିବିଶେଷ ମାମଲାରୁ ଦୂରେଇ ରହୁଥିବାବେଳେ ବହୁ ଆକାଂକ୍ଷିତ ଏହି ପ୍ରକଳ୍ପ ସଂପୁର୍ଣ୍ଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । କିନ୍ତୁ ସହରର କେନ୍ଦ୍ରସ୍ଥଳରେ ଆବର୍ଜନାକୁଣ୍ଡ ହୋଇ ପଡିରହିଥିବା ଗଡଖାଇର ପୁନରୁଦ୍ଧାର କାର୍ଯ୍ୟକୁ ସହରସାରା ଲୋକ ପ୍ରଶାସନର ଉଚିତ ପଦକ୍ଷେପ ବୋଲି ପ୍ରଶଂସା କରୁଥିବା ଜଣାଯାଇଛି । ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେଲେ ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହିତ ରାସ୍ତା ସଂପ୍ରସାରଣ,ଟ୍ରାଫିକ ଓ ପାର୍କିଂ ସମସ୍ୟା ଆଦି ଦୂର ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି।

Comments are closed.