ପାରିବାରିକ କଳହର କରୁଣ ପରିଣତି, କନଷ୍ଟେବଳଙ୍କୁ ପୋଡ଼ିଦେଲେ ଜିଅନ୍ତା

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲିକପଡ଼ା ଗ୍ରାମରେ ଘଟିଯାଇଛି ଏକ ଲୋମହର୍ଷକ ହତ୍ୟାକାଣ୍ଡ। ପାରିବାରିକ କଳହରୁ ପୁଲିସ କନଷ୍ଟେବଳ ଥିବା ସାନ ଭାଇକୁ ଅନ୍ୟ ଦୁଇଭାଇ ମାଡ଼ ମାରିବା ସହ ଜିଅନ୍ତା ପୋଡ଼ି ହତ୍ୟା କରିଥିବା ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପରପକ୍ଷରେ ଘଟଣା ପରେ ହତ୍ୟାକାରୀ ଦୁଇ ଭାଇ ଫେରାର ହୋଇଯାଇଛନ୍ତି।
ପୁଲିସ ସୂଚନା ମୁତାବକ ମଲିକପଡ଼ା ଗ୍ରାମର ସନ୍ତୋଷ ଜାନୀ (୩୨) ବୌଦ୍ଧ ପୁଲିସରେ ଏସ୍‌ପିଓ ଭାବରେ ଚାକିରି ଆରମ୍ଭ କରି କନଷ୍ଟେବଳ ଭାବେ ପଦୋନ୍ନତି ପାଇଥିଲେ। ତାଙ୍କର ବାଉଁଶୁଣୀ ଥାନାକୁ ବଦଳି ହୋଇଥିବାବେଳେ ମାର୍ଚ୍ଚ ୧ ତାରିଖରେ ସେ କାର୍ୟ୍ୟରେ ଯୋଗ ଦେଇଥାନ୍ତେ। କିନ୍ତୁ ୨୮ ତାରିଖ ରାତିରେ ଘରକୁ ଫେରିବା ପରେ ବଡ଼ ଦୁଇଭାଇ ସାର୍ତ୍ତିକ ଜାନୀ (୪୦) ଓ ପ୍ରଶାନ୍ତ ଜାନୀ (୩୬)ଙ୍କ ସହ ସନ୍ତୋଷଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ବଡ଼ ଦୁଇଭାଇ କାଠ ଫାଳିଆରେ ସନ୍ତୋଷଙ୍କୁ ମାଡ଼ ମାରିଥିଲେ। ସନ୍ତୋଷ ଗୁରୁତର ଆହତ ଅବସ୍ଥାରେ ଥିବାବେଳେ ଘର ସମ୍ମୁଖକୁ ଘୋଷାରି ନେଇ ରାସ୍ତା କଡ଼ରେ ଥିବା ଖଜୁରୀଗଛ ମୂଳରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ଏବଂ ଗ୍ରାମରୁ ଫେରାର ହୋଇଯାଇଥିଲେ। ଘରେ ଥିବା ଶଯ୍ୟାସାୟୀ ବୃଦ୍ଧ ପିତା ମାତା ଏବଂ ଭାଉଜ ହତ୍ୟାକାରୀ ଦୁଇଭାଇଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ।

 

ସୂଚନା ପାଇ ବାଉଁଶୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦରପୋଡ଼ା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ପୁଲିସ ପ୍ରକାଶ କରିଛି। ଏହି ଲୋମହର୍ଷକ ହତ୍ୟାକାଣ୍ଡର କାରଣ ଅଷ୍ପଷ୍ଟ ଥିଲେ ମଧ୍ୟ ଅନୈତିକ ସମ୍ପର୍କରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବାଉଁଶୁଣୀ ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ମୁତାବକ ଦୁଇବର୍ଷ ପୂର୍ବରୁ କନଷ୍ଟେବଳ ସନ୍ତୋଷଙ୍କ ମଝିଆଁ ଭାଇ ପ୍ରଶାନ୍ତ ଏକ ହତ୍ୟାକାଣ୍ଡ ମାମଲାରେ ଜେଲ ଯାଇଥିଲେ। ଅଳ୍ପଦିନ ପୂର୍ବରୁ ସନ୍ତୋଷଙ୍କ ଉଦ୍ୟମକ୍ରମେ ପ୍ରଶାନ୍ତ ହତ୍ୟା ମାମଲାରେ ଜାମିନ ପାଇ ଘରକୁ ଫେରିଥିଲେ। ଦୁଇବର୍ଷ ହେବ ପାରିବାରିକ କଳହରୁ ସନ୍ତୋଷଙ୍କ ପତ୍ନୀ ସଙ୍ଗୀତା ଯାନୀ ୫ବର୍ଷର ପୁଅ ସହିତ ନିଜ ବାପଘର କଣ୍ଟାମାଳ ବ୍ଲକ ଜୁନାନୀ ଗ୍ରାମରେ ରହୁଥିଲେ। ସନ୍ତୋଷଙ୍କୁ ତାଙ୍କ ପତ୍ନୀ ଶ୍ୱଶୁର ଘରକୁ ପୂରାଉ ନ ଥିବାବେଳେ ସେ ଅନେକ ମାନସିକ ଚାପରେ ରହୁଥିଲେ। ଏପରିକି କିଛିଦିନ ପୂର୍ବରୁ ସନ୍ତୋଷ ଗୁରୁତର ଦୁର୍ଘଟଣା ହୋଇଥିବା ବେଳେ ପତ୍ନୀ ସଙ୍ଗୀତା ତାଙ୍କ ନପଚାରିବାରୁ ବଡ଼ ଦୁଇ ଭାଉଜ ତାଙ୍କର ସବୁ ସେବା ଯତ୍ନ କରିଥିଲେ। ରବିବାର ରାତିରେ ସନ୍ତୋଷ ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ଦୁଇଭାଇଙ୍କ ସହିତ ତାଙ୍କର ବଚସା ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଥିବା ଦୁଇଭାଇ ସନ୍ତୋଷଙ୍କୁ କାଠଫାଳିଆରେ ମାଡ଼ ମାରିବା ସହ ରକ୍ତ ଜୁଡୁବୁଡୁ ଗୁରୁତର ଅବସ୍ଥାରେ ଘର ସମ୍ମୁଖକୁ ଘୋଷାରୀ ନେଇଥିଲେ ଏବଂ ଖଜୁରୀଡାଳ ଓ କାଠ ଦେଇ ନିଆଁ ଲଗାଇବା ପରେ ଗ୍ରାମରୁ ଫେରାର ହୋଇ ଯାଇଥିଲେ। ଘରେ ଥିବା ବୃଦ୍ଧାମାତା ଓ ବୋହୂ ହତ୍ୟାକାରୀ ଦୁଇଭାଇଙ୍କୁ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମଝିଆଁ ବୋହୂ ଜେମା ଜାନୀ ଅଟକାଇକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ମାରିବାକୁ ଦୁଇଭାଇ ଗୋଡ଼ାଇବାରେ ସେ ଧାଇଁ ଗ୍ରାମ ଭିତରକୁ ପଳେଇଥିଲେ। ହେଲେ ରକ୍ତମୁଖା ସାଜିଥିବା ଦୁଇଭାଇକୁ ପ୍ରତିରୋଧ କରିବାକୁ ଗ୍ରାମରୁ କେହି ମଧ୍ୟ ସହାୟତା ପାଇଁ ଆସିବାକୁ ସାହାସ କରିନଥିଲେ। ଦରପୋଡ଼ା ଶବକୁ ପୁଲିସ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି। ଏସ୍‌ଡିପିଓ ସାଲେଷ୍ଟିନ ଟିଗା ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରିଛନ୍ତି। ହତ୍ୟାକାରୀ ଦୁଇଭାଇଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Comments are closed.