ବୌଦ୍ଧ ରଥର ସ୍ୱାତନ୍ତ୍ର୍ୟତା ହେଉଛି ଘୁର୍ଣ୍ଣାୟମାନ ରଥ ଓ ରଥଛୁଆଁ ପରମ୍ପରା

ବୌଦ୍ଧ : ଓଡିଶାର ପ୍ରତ୍ୟେକ ଗଡଜାତ ଅଂଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଲାଭ କରିଥିବା ବେଳେ ରଥଯାତ୍ରା ମଧ୍ୟ ଧାରାବାହିକ ଭାବେ ପାଳିତ ହୋଇ ଆସୁଅଛି। ବୌଦ୍ଧଜିଲ୍ଲାର ମୁଖ୍ୟାଳୟଠାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ରାଜ୍ୟରେ ଅନନ୍ୟ। ମନ୍ଦିର ପରିସରରେ ଚନ୍ଦନ କାଠରେ ନିର୍ମିତ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଥିବାବେଳେ ଶ୍ରୀ ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ନବଗ୍ରହ ମନ୍ଦିର, ହନୁମାନ ମନ୍ଦିର, ଗଣେଷ ମନ୍ଦିର, ନୃସିଂହ ମନ୍ଦିର ଓ କାଶୀ ବିଶ୍ୱନାଥ ମନ୍ଦିର ରହିଛି। ମହାପ୍ରଭୁଙ୍କ ସ୍ନାନ ପାଇଁ ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ, ରୋଷେଇ ଘର, ତୁଳସୀ ବଣ ଏବଂ ମନ୍ଦିର ଚାରିପାଖରେ ଚାରିଗୋଟି ଦ୍ୱାର ଏବଂ ମନ୍ଦିର ପରିକ୍ରମାର ବ୍ୟବସ୍ଥା ରହିଛି। ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ ହେଉଥିବାବେଳେ ଦେବସ୍ନାନ ପୂର୍ଣ୍ଣମୀ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପର୍ବକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରି ପାଳନ କରାଯାଉଛି। ଏହି ଯାତ୍ରାକୁ ରାଜ୍ୟ ଦେବୋତର ବିଭାଗ ଓ ସଂସ୍କୃତି ବିଭାଗ ତରଫରୁ ଅନୁମୋଦନ ହୋଇଥିବାରୁ ଜିଲା ପ୍ରଶାସନ ଓ ରଥଯାତ୍ରା ପରିଚାଳନା କମିଟିର ମିଳିତ ସହଯୋଗରେ ପାଳିତ ହୋଇଥାଏ। ବୌଦ୍ଧ ରଥର ସ୍ୱାତନ୍ତ୍ର୍ୟତା ହେଉଛି ଘୁର୍ଣ୍ଣାୟମାନ ରଥ ଓ ରଥଛୁଆଁ ପରମ୍ପରା।

କାଠରେ ନିର୍ମିତ ୧୦ ଚକ ବିଶିଷ୍ଟ ୪୮ ଫୁଟ ଉଚ୍ଚତା ଏବଂ ୨୪ ଫୁଟ ଚଉଡାରେ ରାଜୁଡା ଶାସନ ସମୟରୁ ନିର୍ମାଣ କରାଯାଇଛି। ପ୍ରତ୍ୟେକ ବର୍ଷ ଖରାପ ହେଉଥିବା କାଠକୁ ପରିବର୍ତନ କରାଯାଇ ମରାମତି କରାଯାଇଥାଏ। ରଥର ଉପରଭାଗ ଘୁର୍ଣ୍ଣାୟମାନ ହୋଇଥିବାବେଳେ ରଥ ଓ ବାହୁଡା ଯାତ୍ରା ସମୟରେ କେବଳ ଉପରଭାଗ ରଥକୁ ବୁଲାଇ ମୋଡ ପରିବର୍ତନ କରାଯାଇଥାଏ। ରଥଯାତ୍ରା ଦେଖିବା ପାଇଁ ଜିଲା ଏବଂ ଜିଲା ବାହାରୁ ପ୍ରାୟ ଏକ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଦେବସ୍ନାନ ପୁର୍ଣ୍ଣମୀ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ଦଇତାପତିମାନେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଏଠାରେ ବୌଦ୍ଧଜିଲା ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ପାଳନ କରିଥାନ୍ତି। ରଥଯାତ୍ରା ଦିନ ପୁର୍ବରୁ ପଣ୍ଡିତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅମୃତ ବେଳା ଓ ଲଗ୍ନ ହିସାବରେ ମହାପ୍ରଭୁ ମନ୍ଦିରରୁ ବଡଦାଣ୍ଡକୁ ବାହାରିଥାନ୍ତି। ବେଶକାରୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପହଣ୍ଡି ବେଶ ଓ ଟାହିଆ କୁ ବାନ୍ଧି ମହାପ୍ରଭୁ ଙ୍କୁ ସୁସଜ୍ଜିତ କରିଥାନ୍ତି। ସଂକୀର୍ତନ ମଣ୍ଡଳିର ତାଳ ସହିତ ପହଣ୍ଡି ବ୍ରାହ୍ମଣ ମାନେ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ନଚାଇବାର ଦୃଶ୍ୟ ଭକ୍ତମାନଙ୍କ ମଧ୍ୟରେ ଭାବ ବିହ୍ୱଳ ସୃଷ୍ଟି ହୋଇଥାଏ। ବଡଦାଣ୍ଡର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କୁ ରଖିବାର ବିଧିବ୍ୟବସ୍ଥା ମାଧ୍ୟମରେ ବାଟଭୋଗ ନୈବେଦ୍ୟ ଓ ଆଳତୀ ସମର୍ପଣ କରିଥାନ୍ତି। ପୁର୍ବ ବିଧି ଅନୁଯାୟୀ ମହାପ୍ରଭୁଙ୍କୁ ରଥ ଚାରିପଟେ ପହଣ୍ଡି ମାଧ୍ୟମରେ ଚାରିଥର ପରିକ୍ରମା କରିବା ପରେ ରଥାରୁଢ କରା ଯାଇଥାଏ। ରଥ ଉପରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଚିରା ଚରିତ ଭାବେ ରାଜା ପରମ୍ପରା କୁ ଦୃଷ୍ଟିରେ ରଖି ଉତରାଧିକାରୀଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ଏହାପରେ ବୌଦ୍ଧ ଜିଲ୍ଲାର ଅନ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କୌଣସି ପରିବାରରେ ଶିଶୁ ଜନ୍ମ ହେବାର ଏଳବର୍ଷ ପରେ ରଥାରୁଢ ଠାକୁରଙ୍କ ନିକଟରେ ପୂର୍ଜାର୍ଚ୍ଚନା ଓ ରଥ ଛୁଆଁଇ ଶିଶୁ ପାଇଁ ଆଶିର୍ବାଦ ଭିକ୍ଷା କରାଯାଇଥାଏ। ଏହି ନିଆରା ପରମ୍ପରାରେ ପିତାମାତାଙ୍କର ବିଶ୍ୱାସ ରଥ ଛୁଆଁଇବା ଦ୍ୱାରା ଶିଶୁମାନେ ନିରୋଗ ରହିଥାନ୍ତି। ଏହି ପରମ୍ପରା ପରେ ଭକ୍ତମାନଙ୍କ ଦ୍ୱାରା ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ। ରଥ କୁ ଟାଣି ଟାଣି ମାଉସୀ ମାଁ ମନ୍ଦିର ନିକଟକୁ ନିଆ ଯାଇଥାଏ। ମୁଖ୍ୟ ମନ୍ଦିରର ଅନତି ଦୂରରେ ହରିଗୁଢିରେ ପୁଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥକୁ ମହିଳାମାନଙ୍କ ଦ୍ୱାରା ଟଣା ଯାଇଥାଏ। ମାଉସୀ ମାଁ ମନ୍ଦିରରେ ରହିବା ସମୟରେ ମହାପ୍ରଭୁଙ୍କ ଦଶ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ବେଶ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥାଏ। ଭକ୍ତମାନଙ୍କ ପାଇଁ ଜିଲା ପ୍ରଶାସନ, ରଥଯାତ୍ରା ପରିଚାଳନା କମିଟି ଏବଂ ବ୍ରାହ୍ମଣ ସମାଜ ର ମିଳିତ ଉଦ୍ୟମରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ। ରଥଯାତ୍ରା ପରି ବାହୁଡା ଯାତ୍ରାରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ରଥ ଖଳାରେ ଏକାଦଶୀ ଦିବସରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କୁ ଅଧରପଣା ଦେବା ପରେ ମହାପ୍ରଭୁ ମନ୍ଦିର କୁ ପ୍ରବେଶ କରିଥାନ୍ତି। ମନ୍ଦିର ପ୍ରବେଶ ପୁର୍ବରୁ ଲକ୍ଷ୍ମୀ ଜଗନ୍ନାଥ କଳି ଅନୁଷ୍ଠିତ ହୋଇଥାଏ ପରଦିନ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ହୋଇଥାଏ।

Comments are closed.