ପ୍ରବାସୀ ଶ୍ରମିକ ଟ୍ରେନରୁ ନିଖୋଜ ଘଟଣା- ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କଲେ ପତ୍ନୀ

ବୌଦ୍ଧ ;ତାମିଲନାଡ଼ୁର କୋଇମ୍ବାଟୁରରୁ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକ ଟ୍ରେନରୁ ନିଖୋଜ ହୋଇ ଯାଇଛନ୍ତି। ସାଙ୍ଗରେ ଥିବା ଭଣଜାଙ୍କ ପାଖରୁ ସୂଚନା ପାଇଁ ଶ୍ରମିକଙ୍କ ପତ୍ନୀ ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।

ସୂଚନା ଅନୁସାରେ ବୌଦ୍ଧ ଥାନା ଗୁଢ଼ିଆଲି ଗ୍ରାମର ଉସତ କହଁର ତାମିଲନାଡ଼ୁର ଏକ କମ୍ପାନୀରେ କାମ କରୁଥିଲେ। ସମ୍ପର୍କୀୟ ଭଣଜା ଆମ୍ବଝରୀ ପଞ୍ଚାୟତ ଖଜୁରିପଡ଼ା ଗ୍ରାମର ସରୋଜ ଝାଙ୍କରଙ୍କ ସହ ଏକାଠି ରହୁଥିଲେ। ଘରକୁ ଫେରିବା ଉଦ୍ଦେଶ୍ୟରେ ଦୁଇ ଜଣ ଶନିବାର ମଧ୍ୟାହ୍ନରେ ଧନବାଦ ଏକସ୍ପ୍ରେସରେ କୋଇମ୍ବାଟୁର ରେଳ ଷ୍ଟେସନରୁ ଚଢ଼ିଥିଲେ। ରାତି ପ୍ରାୟ ୧୦ଟାରେ ଉଭୟ ଶୋଇ ପଡ଼ିଥିଲେ। ସକାଳେ ବିଜୟୱାଡ଼ା ଷ୍ଟେସନରେ ନିଦ ଭାଙ୍ଗିବା ପରେ ସରୋଜ ମଉସା ଉସତଙ୍କୁ ପାଇନଥିଲେ। ଛାନିଆ ହୋଇ ବିଭିନ୍ନ ବଗିରେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ଗାଁକୁ ଆସି ମାଉସୀଙ୍କୁ ସବୁ କଥା କହିଥିଲେ। ବୁଧବାର ଉସତଙ୍କ ପତ୍ନୀ ସସ୍ମିତା କୋଳରେ ଏକ ବର୍ଷର ଶିଶୁ ପୁତ୍ରକୁ ଧରି ଭଣଜା ସରୋଜଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍ବାମୀଙ୍କୁ ଉଦ୍ଧାର କରିବାକୁ ନେହୁରା ହୋଇଛନ୍ତି ।

Comments are closed.