ଚନ୍ଦ୍ରଶେଖରପୁର ଗାଁରେ କିଡ୍‌ନୀ ଆତଙ୍କ: ଦୁଇ ବର୍ଷରେ ୧୨ଜଣ ମୃତ୍ୟୁ, ପୁଣି ୪ ରୋଗୀ ଚିହ୍ନଟ

ହରଭଙ୍ଗା: ଦିନକୁ ଦିନ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତର ଚନ୍ଦ୍ରଶେଖରପୁର ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା ଏବେ ଗାଁ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଚନ୍ଦ୍ରଶେଖରପୁର ଗାଁରେ ୨୮ ପରିବାର ଲୋକେ ବସବାସ କରୁଛନ୍ତି। ଚନ୍ଦ୍ରଶେଖରପୁର ଗାଁରୁ ଏହି ମାରାତ୍ମକ ରୋଗରେ ଦୁଇ ବର୍ଷରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଆଉ ୪ଜଣ ନୂଆ କିଡନୀ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଗାଁରେ କିଡ୍‌ନୀ ଆକ୍ରାନ୍ତ ସଂଖ୍ୟା ୦୯ରେ ପହଞ୍ଚିଛି। ଦିନକୁ ଦିନ ଗାଁରେ କିଡନୀ ମହାମାରୀ ପ୍ରାର୍ଦୁଭାବ ବୃଦ୍ଧି ଯୋଗୁଁ ଅକାରଣରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିଚାଲିଛି। କିଡନୀ ମହାମାରୀ ଆଶଙ୍କାରେ ସାଧାରଣ ଲୋକେ ଚିନ୍ତାରେ କାଳତିପାତ କରୁଥିବା ଦେଖିବାକୁ ମିଳିଛି। ଏତେସବୁ ପରେ ବି ଜିଲ୍ଲା ପ୍ରଶାସନର ନିଦାବିଷ୍ଣୁ ଏବଂ ରାଜନୈତିକ ବ୍ୟକ୍ତି ବିଶେଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଆକ୍ରାନ୍ତ ରୋଗୀଙ୍କ ମନୋବଳକୁ ଦର୍ବଳ କରିଛି। ଯାହାଫଳରେ ବର୍ତ୍ତମାନ ସମୟରେ ଆକ୍ରାନ୍ତ ରୋଗୀ ନିରୁପାୟ ହୋଇ ଭଗବାନ ଭରସାରେ ଦିନକାଟୁଥିବା ଭଳି ଚିନ୍ତାଜନକ ପରିସ୍ଥିତି ଉପୁଜୁଛି। ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟିଦେବାକୁ ଗ୍ରାମର ଧରଣୀ ଡାଙ୍ଗ, ଅଜିତ ପ୍ରଧାନ, ବିଜୟ କର୍ଣ୍ଣ, ଜୟଦେବ ଛନ୍ଦ ,ରତିକାନ୍ତ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

ସୂଚନା ଥାଉ କି ହରଭଙ୍ଗା ବ୍ଲକର ଶହେରୁ ଅଧିକ ଗାଁରେ କିଡନୀ ଭଳି ମାରାତ୍ମକ ରୋଗରେ ୨୦୯ଜଣଙ୍କ ମୃତ୍ୟୁ ଘଟିଥିବବେଳେ ବର୍ତ୍ତମାନ ଆଉ ୨୫୩ଜଣ କିଡନୀ ଆକ୍ରାନ୍ତ ରହିଛନ୍ତି ବୋଲି କିଡନୀ ସଚେତନତା ମଞ୍ଚ ସଂପାଦକ ବିକାଶ ମହାକୁଳ ସୂଚନା ଦେଇଛନ୍ତି।

Comments are closed.