ବୌଦ୍ଧଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ

ବୌଦ୍ଧ: ସାରାଦେଶ କରୋନା ମହାମାରୀ ସହିତ ଲଢୁଥିବା ବେଳେ ବୌଦ୍ଧଜିଲାବାସୀ ମଧ୍ୟ କରୋନା ସହିତ ଲଢେଇ ଜାରି ରଖିଛନ୍ତି। ଆଗକୁ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ଥିବା ନେଇ ସରକାର ଆଗୁଆ ସୂଚନା ଦେଉଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆଗୁଆ ସତର୍କ କରାଇଦେଇଛନ୍ତି। ଏଭଳି ପରିସ୍ଥିତିରେ ବୌଦ୍ଧ ଜିଲାରେ ଜଣେମାତ୍ର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରହିଛନ୍ତି, ଯାହାକି ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦେଖିଲେ ଜିଲାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇ ପଡିଛି। ଜିଲ୍ଲାର ଡାକ୍ତରଖାନା ଗୁଡିକରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡିଥିବା ବେଳେ ଅଧିକାଂଶ ଡାକ୍ତରଖାନାରେ ବହୁ ଡାକ୍ତର ପଦବି ମଧ୍ୟ ଖାଲି ପଡିଛି। ଜିଲାରେ ଡାକ୍ତର ସମସ୍ୟା ଯୋଗୁଁ ରୋଗୀ ହଇରାଣ ହରକତ ହେଉଛନ୍ତି। ଜିଲାର ସଦର ମହକୁମା ଠାରେ ଥିବା ଜିଲା ମୁଖ୍ୟ ଡାକ୍ତରଖାନାରେ ଜଣେ ମାତ୍ର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଛନ୍ତି। ବାକି ସବୁ ଡାକ୍ତରଖାନାରେ କାମ ଚଳାରେ ଚାଲିଛି। କରୋନାର ତୃତୀୟ ଲହର ସମ୍ଭାବନାକୁ କିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁକାବିଲା କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜିଲ୍ଲାରେ ବାଉଁଶୁଣୀ, ମନମୁଣ୍ଡା,କାମାଳ, ପୁରୁଣାକଟକ ଓ ଆଡଣୀଗଡ ଠାରେ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ରହିଥିବା ବେଳେ ବୌଦ୍ଧବ୍ଲକର ଆମ୍ବଝରୀ,ବଘିଆପଡା, ଜହ୍ନାପଙ୍କ, ମୁଣ୍ଡାପଡା, କାମାଳ ବ୍ଲକର ଖୁିଗୋରା, ଘାପଡା, ପଲସାଗୋରା ଓ ହରଭଙ୍ଗା ବ୍ଲକର ଧଳପୁର,ହରଭଙ୍ଗା,ତଳଗାଁ ଓ ଚାରିଛକ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି।

 

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଜଣେ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଦବି ରହିଥିବା ବେଳେ ସେହି ପଦବି ଗୁଡିକ ଖାଲି ପଡିଛି। ଯାହାଫଳରେ ଏଠାରେ ଜଣେ ଜଣେ ଏମବିବିଏସ ଡାକ୍ତରମାନଙ୍କୁ ଶିଶୁରୋଗ ଚିକିତ୍ସା ପାଇଁ ନିୟୋଜିତ କରାଯାଇଛିତ ଆଉ କେତେକ ସ୍ଥାନରେ ପଦବି ଖାଲି ପଡିଛି। ଏପରିସ୍ଥିତିରେ ଜିଲ୍ଲାରେ ତୃତୀୟ ଲହରର ମୁକାବିଲା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କୁହାଯାଉଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କୁ ପଚାରିବାରୁ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଡାକ୍ତରମାନଙ୍କୁ ଆଗୁଆ ତାମିଲ ପ୍ରଦାନ କରାଯାଇଛି। ଶିଶୁମାନେ ରୋଗରେ ପଡିଲେ ସେମାନଙ୍କୁ କିପରି ଭାବରେ ଚିକିତ୍ସା କରାଯିବା ସେନେଇ ତାଲିମ ପ୍ରଦାନ କରାଯାଇଛି। ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ଟି ଶଯ୍ୟା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Comments are closed.