ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ତାଲିମ

ବୌଦ୍ଧ: ବିଦ୍ୟାଳୟ ପରିଚାଳନା ସପ୍ତାହ ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବିପର୍ଯ୍ୟୟ ଓ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ତାଲିମର ଆବଶ୍ୟକତା ଏବଂ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା କିପରି ଭାବରେ କରାଯାଉଅଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ଦାଶରଥୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ତାଲିମଦାତା ଭାବରେ ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗଦାନ କରି ମହାବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଉପରେ ବିସ୍ତୃତ ଭାବରେ ଆଲୋଚନା କରି ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଥିଲେ।

 

ଶିକ୍ଷାନୁଷ୍ଠାନରେ ପଡି କ୍ଷତବିକ୍ଷତ ହେଲେ, ହାତଗୋଡ ଭାଙ୍ଗିଗଲେ, ଅଚେତ ହୋଇଗଲେ, ସାପ କାମୁଡିଦେଲେ କିପରି ପ୍ରାଥମିକ ଚିକିତ୍ସା କରି ଡାକ୍ତରଖାନାକୁ ନିଆଯାଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ବିଶୁଦ୍ଧ ପାନୀୟଜଳ, ସ୍ୱଛ ବିଦ୍ୟାଳୟ ପରିବେଶ, ସ୍ୱଛ ଶୌଚାଳୟ ତଥା ସବୁଜ ସୁନ୍ଦର ମହାବିଦ୍ୟାଳୟ ପରିସର ସୁନିଶ୍ଚିତ କରିବା ପାଇଁ ଏକ ୧୨ ଜଣିଆ କମିଟି ଗଠନ କରାଯାଇଥିଲା। ଶେଷରେ ନିଆଁ ଲାଗିବା, ଭୂମିକମ୍ପ ହେଲେ କିପରି ନିଜକୁ ସୁରକ୍ଷିତ ରଖିବା ସେଥିପାଇଁ ଏକ ମକଡ୍ରିଲ ମଧ୍ୟ କରାଯାଇଥିଲା। ଏନଏସଏସ ର ଯୋଜନା ଅଧିକାରୀ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁରଜ ନାୟକ, ସଦାନନ୍ଦ ମାହାର,ପ୍ରଦିପ କୁମାର ପ୍ରଧାନ,ଅଧ୍ୟାପିକା ସ୍ୱେତା ସୁମନ ପଣ୍ଡା, ପ୍ରମୁଖ ତାଲିମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.