ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୨ ଗିରଫ

ବୌଦ୍ଧ : ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ-କିଆକଟା ବ୍ରିଜଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇ ୮୨ କିଲୋ ଗଂଜେଇ ସହ କାରକୁ ଜବତ କରିଛି ଏବଂ ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରିଥିବା ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥଯାତ୍ରା ଥିବା ଯୋଗୁଁ ସାରା ଜିଲାରେ ଜନଗହଳି ହୋଇ ଉଠିଥିବା ବେଳେ ଏହାର ସୁଯୋଗ ନେଇ ଗଂଜେଇ ମାଫିଆ ମାନେ ଗଂଜେଇ ଚାଲାଣ କରୁଥିବା ସମୟରେ ବୌଦ୍ଧ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବୌଦ୍ଧ ସହରର ମହାନଦୀ ବ୍ରିଜ ଛକ ଠାରେ ସକାଳେ ଜଗି ରହିଥିଲେ। ଏହି ସମୟରେ ଏକ ସ୍କୋଡା କାର ଆସୁଥିବା ଦେଖି ଅବକାରୀ ବିଭାଗ ଅଧିକାରୀମାନେ ସନ୍ଦେହରେ ଅଟକାଇଥିଲେ। ଯାଞ୍ଚ ସମୟରେ କାର ଭିତରରେ ୮୨ କେଜି ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଅବକାରୀ ବିଭାଗ ଅଧିକାରୀମାନେ ଗଞ୍ଜେଇ ସହ କାରକୁ ମଧ୍ୟ ଜବତ କରିଥିଲେ। କାର ଭିତରେ ଥିବା ଅନୁଗୋଳ ଜିଲାର ବାପୁନ ପ୍ରଧାନ ( ୨୪) ଓ ଶ୍ରୀମନ୍ତ ନାଏକଙ୍କୁ ଗିରଫ କରାଯାଇଥିଲା। ଏନେଇ ଏକ ମାମଲା ରୁଜ କରି ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଇନସିପେକଟର ସ୍ପନ୍ଦନ ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.