ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅପହଞ୍ଚ ଇଲକାର ଅଧିବାସୀ

ବୌଦ୍ଧ : ସରକାର ଲୋକଙ୍କ ପାଖରେ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟିକୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଆଜି ବି ଅନେକ ଗାଁରେ ପହଞ୍ଚି ନାହିଁ ସରକାରୀ ଯୋଜନା। ବୌଦ୍ଧ ଜିଲା ନନ୍ଦାଗାଡୁ ଭଳି ଆଦିବାସୀ ତଥା ଦୁର୍ଗମ ଅଞ୍ଚଳରେ ଥିବା ନିରିହ ଆଦିବାସୀ ମାନଙ୍କ ପାଖରେ ରାସ୍ତା ଟିଏ ନଥିବାରୁ ପହଞ୍ଚି ପାରୁନାହିଁ ଏହି ସରକାରୀ ସୁବିଧା। ସ୍ୱାଧିନତାର ୭୪ ବର୍ଷ ପରେ ବି ସରକାରୀ ଯୋଜନା ଲୋକଙ୍କ ପାଇଁ ପାଲଟିଛି ସାତ ସ୍ୱପ୍ନ। ୨୫ ହେଲା ଗାଁକୁ ନାହିଁ ନିତିଦିନିଆ ରାସ୍ତା। ଅନ୍ଧାରି ମୂଳକରେ ବିତୁଛି ଗ୍ରାମବାସୀଙ୍କ ଜୀବନ। ବୌଦ୍ଧ ଜିଲା ଦୁର୍ଗମ ଓ ମାଓ ଅଧ୍ୟୁଷିତ ହରଭଙ୍ଗା ବ୍ଲକ ମହାଲ୍ଲିକପଡ଼ା ପଞ୍ଚାୟତର ନନ୍ଦାଗାଡୁ ଗ୍ରାମ। ଗାଁରେ ବସବାସ କରନ୍ତି ପ୍ରାୟ ୪୦ରୁ ଊର୍ଦ୍ଧ ଆଦିବାସୀ ପରିବାର। ଯେଉଁଠି କି ଯିବା ଆସିବା ପାଇଁ ସବୁଦିନିଆ ଭଲ ରାସ୍ତା ଟିଏ ନାହିଁ।

ଗାଁକୁ ଯିବାକୁ ହେଲେ ବାଟରେ ପଡୁଛି ପାହାଡ଼ି ନାଳ। ଗର୍ଭବତି ମହିଳା ଠାରୁ ଆରମ୍ଭ କରି ସାମାନ୍ୟ ରୋଗୀର ଚିକିତ୍ସା ପାଇଁ ମେଡିକାଲ ନେବାକୁ ହେଲେ ପ୍ରଥମେ ଭାରରେ କିମ୍ବା ଖଟିଆ ରେ ବୋହି ୯ କିମି ପର୍ୟ୍ୟନ୍ତ ମୁଖ୍ୟ ରାସ୍ତାକୁ ନେବାକୁ ପଡିଥାଏ କାରଣ ଏଭଳି ରାସ୍ତାରେ ଆମ୍ବୁଲାନ୍ସ ଯିବା ଦିବାସ୍ବପ୍ନ ହୋଇଥାଏ। ସରକାର ଯେତେ ସାଧାରଣ ଲୋକଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିଲେ ବି ଏହି ଅପହଞ୍ଚ ଇଲାକାକୁ ଏହି ଯୋଜନା ମାନେ ଛୁଇଁ ପାରିନାହି ଫଳରେ ଲୋକେ ସ୍ୱାଧୀନତାର ମଜା ଚାଖି ପାରିନାହାନ୍ତି। ଏହି ଗ୍ରାମରେ ପ୍ରାୟ ୪୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁରେ ପିଲାଙ୍କ ପଢିବା ପାଇଁ ପ୍ରାଥମିକ ସ୍କୁଲ ଟିଏ ମଧ୍ୟ ନାହି। ପ୍ରତିଦିନ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଜଙ୍ଗଲି ରାସ୍ତା ଓ ପାହାଡ଼ି ନାଳ ଡେଇଁ ୪ କିମି ଚାଲି ଚାଲି ସ୍କୁଲ ଯିବାକୁ ପଡେ।

ଫଳରେ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ପଢା ଛାଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତିକି ଏହି ଲୋକମାନେ ସରକାରଙ୍କର ଏକ ଟଙ୍କିଆ ଚାଉଳ ଓ ଭତ୍ତା ପାଇବା ପାଇଁ ବି ପଞ୍ଚାୟତକୁ ଚାଲିଚାଲି ଯିବାକୁ ପଡୁଥିବା ବେଳେ ବର୍ଷା ଦିନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତି ମଧ୍ୟ ମିଳୁଛି, ହେଲେ ଜିତିଲା ପରେ ତାହା ପୂରଣ ହୋଇ ପାରୁନି। ନେତାଏ ସେମାନଙ୍କ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ଅପରପକ୍ଷରେ ଗ୍ରାମବାସୀମାନେ ଗ୍ରାମରେ ଅନ୍ତତଃ ଗମନାଗମନ ପାଇଁ ନିତିଦିନିଆ ରାସ୍ତା ଟିଏ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଗୋଟିଏ ପଟେ ଗାଁରେ ଥିବା ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସରକାରୀ ବାବୁଙ୍କ ଉଦାସୀନତା ମନୋଭାଵ ଗ୍ରାମବାସୀଙ୍କୁ ନିରାଶ କରିଛି। ତେବେ ଏହି ଅଞ୍ଚଳବାସୀ କେବେ ତାଙ୍କର ମୌଳିକ ସୁବିଧା ପାଇପାରିବେ ତାହା ଦେଖିବାକୁ ବାକି ରହିଲା।

Comments are closed.