ବୌଦ୍ଧ ଜିଲାର ୪୮୮ ଗାଁ ଓ ଏନଏସିର ୧୭ ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଘୋଷଣା

ବୌଦ୍ଧ: ବୌଦ୍ଧ ଜିଲାର ୪୮୮ ଟି ଗ୍ରାମ ଓ ବୌଦ୍ଧ ଏନଏସିର ୧୭ ଗୋଟି ୱାର୍ଡକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିଛନ୍ତି ଜିଲାପାଳ ଲଲାଟେନ୍ଦୁ ମିଶ୍ର । ଜିଲାରେ ଅନେକ ଆଭ୍ୟନ୍ତରୀଣ ଓ ଅପହଞ୍ଚ ଗ୍ରାମ ରହିଥିବା ବେଳେ ବାଲ୍ୟବିବାହ ଭଳି କୁସଂସ୍କାର ଏବେ ମଧ୍ୟ ବହୁଳ ଭାବରେ ପ୍ରଚଳିତ ହେଉଥିବା ଖବର ମିଳୁଛି । ତେଣୁ ଜିଲାପାଳ ଶ୍ରୀ ମିଶ୍ର ପ୍ରତ୍ୟେକ ସରକାରୀ ସଭାସମିତିରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରିବାସହିତ ଏହାକୁ ଜିଲାରୁ ସମୂଳେ ନାଶ କରିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜିଲାପାଳଙ୍କ ପ୍ରୋତ୍ସାହନ କ୍ରମେ ବିଭିନ୍ନ ସାମାଜିକ ସଂଗଠନ ଓ ଜିଲାପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ଉଦ୍ୟମରେ ପୂର୍ବରୁ ଅନେକ ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଯାଇଥିବା ବେଳେ ଗୁରୁବାର ଦିନ ଆଉ ୯୭ଟି ଗ୍ରାମ ଓ ବୌଦ୍ଧ ଏନଏସିର ୧୭ ଗୋଟି ୱାର୍ଡକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଥିଲା । ଏହାଦ୍ୱାରା ବୌଦ୍ଧ ଏନଏସିର ସମସ୍ତ ୱାର୍ଡ ଏବଂ  ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ୪୮୮ ଗ୍ରାମ ବାଲ୍ୟ ବିବାହ ମୁକ୍ତ ହୋଇସାରିଥିବା ବେଳେ ବଳକା ଗ୍ରାମଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ଜିଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ନେଇ ପରାମର୍ଶଦାତ୍ରୀ ଭାବରେ ପ୍ରବିଜ୍ଞା ଦାଶ ଓ ଚାଇଲଡଲାନ ଭଳି ଅନୁଷ୍ଠାନ କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.