ମାଓମୁକ୍ତ ବୌଦ୍ଧଜିଲା ଘୋଷଣାର ଗୋଟିଏ ବର୍ଷରେ ମାଓବାଦୀଙ୍କ ଉପସ୍ଥିତି ଜାହିର

ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

ବୌଦ୍ଧ/କଣ୍ଟାମାଳ : ବୌଦ୍ଧଜିଲାକୁ ମାଓବାଦୀ ମୁକ୍ତ ଘୋଷଣା ହେବାର ଠିକ୍ ଗୋଟିଏ ବର୍ଷ ପରେ ଜିଲାରେ ମାଓବାଦୀ ଉପସ୍ଥିତିକୁ ସେମାନେ ଜାହିର କରିଛନ୍ତି। ଶୁକ୍ରବାର ରାତିରେ କଣ୍ଟାମାଳ ଥାନା ଅନ୍ତର୍ଗତ ଉମା ଗ୍ରାମ ପଂଚାୟତର ବୌଦ୍ଧ- କନ୍ଧମାଳ ସୀମା ସମାଡାଙ୍ଗୀ- ନାଦେନ ଅଂଚଳରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବାର ଜଣାପଡିଛି। ଏଥିରେ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଭୂବନେଶ୍ୱରକୁ ହେଲିକାପ୍ଟର ଯୋଗେ ସ୍ଥାନାନ୍ତରିତ କରାଯାଇଛି। ଉଭୟ ପଟରୁ ଦୀର୍ଘ ଆଠ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଗୁଳିବିନିମୟ ହୋଇଥିବାର ଜଣାପଡିଛି। ଗତ ୨୦୨୦ ଜୁଲାଇ ୧୦ ତାରିଖରେ ବୌଦ୍ଧଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗୋଟିଏ ବର୍ଷ ପରେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଛନ୍ତି। ମିଳିଥିବା ସୂଚନା ଅନୁଯାଇ, ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ଉମା ଗ୍ରାମପଞ୍ଚାୟତର ଆଭ୍ୟନ୍ତରୀଣ ସମାଡାଙ୍କି ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ କନ୍ଧମାଳ ସୁରକ୍ଷାବାହିନୀ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଅପରେସନ୍ ସମୟରେ ସୁରକ୍ଷାବାହିନୀ ମାନଙ୍କ ଉପରକୁ ମାଓବାଦୀମାନେ ଅଚାନକ ଗୁଳି ଚାଳନା କରିଥିଲେ। ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

 

ଦୀର୍ଘ ୮ଘଣ୍ଟାଧରି ଅପରେସନ୍ ଚାଲିଥିବା ଜଣାଯାଇଛି। ଗୁଳିବିନିମୟ ସମୟରେ ଏସ୍ଓଜିର ଦୁଇ ଯବାନ ଗୁରୁତର ହୋଇଥିଲେ। ଗୁରୁତରଙ୍କ ମଧ୍ୟରୁ ଜଣେ ସମ୍ବଲପୁର ଓ ଅନ୍ୟ ଜଣେ ଝାରସୁଗୁଡା ଜିଲ୍ଲାର ବୋଲି ଜଣାଯାଇଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଛାତି ଓ ଗୋଡରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ଗୋଡ ଓ ମୁହଁରେ ଗୁଳି ବାଜିଥିବା ଜଣାଯାଇଛି। ଗୁରୁତର ଯବାନଙ୍କୁ ସିଆରପିଏଫ୍ ଜବାନମାନେ ଘଟଣାସ୍ଥଳରୁ ବୋହି ଆଣି ସମାଡାଙ୍କି ନିକଟ ତେନ୍ତୁଳିମୁଣ୍ଡା ଗାଁରେ ପହଞ୍ଚାଇଥିଲେ। ସେଠାରୁ କଣ୍ଟାମାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ଜଗଦିଶ ସେଠୀଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ସେମାନଙ୍କ ଚିକିତ୍ସା କରିଥିଲେ। ସେଠାରୁ ମେଡିକାଲ ଟିମ୍ ଉଭୟ ଯବାନଙ୍କୁ ଆମ୍ବୁଲାନ୍ସ ଯୋଗେ ଘଣ୍ଟାପଡା ହାଇସ୍କୁଲ ପଡିଆରେକୁ ଅଣାଯାଇଥିଲା। ଏଲ୍ଡବ୍ଲ୍ୟୁଇ ବିରୋଧୀ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ପୁଲିସ ଡିଜିପି ଅଭୟ ଓ ଆଇଜି ଅପରେସନ ଅମିତାଭ ଠାକୁର ମାଲକାନଗିରି ଏବଂ କୋରାପୁଟ୍ ଗସ୍ତରେ ଥିବା ବେଳେ ବୌଦ୍ଧରେ ସୁରକ୍ଷାକର୍ମୀ ଓ ମାଓବଦୀଙ୍କ ମଧ୍ୟରେ ଗୁଳିବିନିମୟ ଖବରପାଇ ତୁରନ୍ତ ଗସ୍ତ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରି କଣ୍ଟାମାଳ ଥାନା ଘଣ୍ଟାପଡା ହାଇସ୍କୁଲ ପଡିଆରେ ପ୍ରାୟ ୧୦ଟା ସମୟରେ ଏକ ହେଲିକେପ୍ଟରେ ପହଞ୍ଚିଥିଲେ। ଘଟଣାର ଅନୁଧ୍ୟାନ କରିବା ସହିତ ସେଠାରେ ଗୁରୁତର ଦୁଇ ଯବାନ ପହଂଚିବା ପରେ ସେମାନଙ୍କୁ ହେଲିକେପ୍ଟରରେ ଧରି ଦିନ ପ୍ରାୟ ସାଢେ ଏଗାର ଘଣ୍ଟା ସମୟରେ ଡିଜିପି ଅଭୟ ଓ କଣ୍ଟାମାଳ ଡାକ୍ତରଖାନାର ଡାକ୍ତର ଶ୍ରୀ ସେଠୀ ଭୂବନେଶ୍ୱର ଏମ୍ସକୁ ଯାଇଥିବା ବେଳେ ଜିଲ୍ଲାରେ ଶ୍ରୀ ଠାକୁର ରହି ସ୍ଥିତିର ସମୀକ୍ଷା କରୁଥିବାର ଜଣାପଡିଛି। ସେଠାରେ ଚିକିତ୍ସା ପରେ ଉଭୟ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡକ୍ଟର ଜଗଦିଶ ସେଠୀ ପ୍ରକାଶ କରିଛନ୍ତି। ତେବେ ଘଣ୍ଟାପଡା ଠାରେ ହେଲିକାପ୍ଟର ଅବତରଣ କରିବା ପରେ ଲୋକମାନେ ହଠାତ କଣ ହେଲା ବୋଲି ବୁଝି ପାରିନଥିଲେ। ପରବର୍ତ୍ତି ସମୟରେ ନିକଟ ଅଂଚଳରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହେଉଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସୀମାବର୍ତ୍ତି ଅଂଚଳରେ ଲୋକଙ୍କ ମଧ୍ୟରେ ଭୟର ବାତା ବରଣ ଖେଳିଯାଇଛି। ଏହି ସଂଘର୍ଷରେ ବହୁ ସଂଖ୍ୟାରେ ମାଓବାଦୀ ସେହି ଜଙ୍ଗଲରେ ଥିବା ଅନୁମାନ କରାଯାଇଛି। ତେବେ ଘଟଣାସ୍ଥଳକୁ ଅଧିକ ଯବାନମାନଙ୍କୁ ନିୟୋଜିତ କରାଯାଉଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ବୌଦ୍ଧ-କନ୍ଧମାଳ ଜିଲ୍ଲାର ଏହି ଅଂଚଳ ଘଂଚ ଜଙ୍ଗଲ ଓ ବଣ ପାହାଡ ଘେରି ରହିଥିବା ବେଳେ ମାଓବାଦୀମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି। ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଥିବା ନେଇ ବିଭିନ୍ନ ସମୟରେ ଆଲୋଚନା ହେଉଥିବା ବେଳେ ୨୦୧୪ ମସିହାରେ ମାଓବାଦୀ ଓ ଏସଓଜି ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏଥିରେ କେତେ ଜଣ ମାଓ ଆହତ ହୋଇଥିବା ବେଳେ ବିପୁଳ ପରିମାଣର ବିସ୍ପରକ ସାମଗ୍ରୀ,ସହିତ ବହୁ ମାଓମାନେ ବ୍ୟବହାର କରୁଥିବା ବହୁ ସାମଗ୍ରୀକୁ ଜବତ କରାଯାଇଥିଲା। ପରବର୍ତ୍ତି ସମୟରେ ଜଣେ ମହିଳା ମାଓବାଦୀ ଧରାପଡିଥିଲା।

Comments
Loading...