ବୌଦ୍ଧ ଜିଲାରେ ଚାଞ୍ଚଲ୍ୟ-୩ ଦିନରେ ୨ଟି ହାତୀ ମୃତ୍ୟୁ, ଜେସିବି ସହାୟତାରେ ମୃତଦେହ ପୋତିଲା ବନ ବିଭାଗ

ବୌଦ୍ଧ : ରାଜ୍ୟ ସରକାର ହାତୀଙ୍କ ସୁରକ୍ଷା ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବନ୍ୟ ଜନ୍ତୁଙ୍କ ସୂରକ୍ଷା ନେଇ ବୌଦ୍ଧ ବନ ବିଭାଗର ଅପାରଗତା ପଦାରେ ପଡିଛି। ତିନିଦିନ ମଧ୍ୟରେ ଦୁଇଟି ହାତୀର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯିବା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତିନିଦିନ ପୂର୍ବରୁ ଭୁର୍କିକଡା ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଶିକାରୀମାନେ ହାତୀଟିକୁ ମାରିବାପରେ ତାର ଦାନ୍ତ କାଟି ନେଇଯାଇଥିବା ତଦନ୍ତ ପରେ ଜଣାପଡିଥିଲା। ତେବେ ହାତୀକୁ ମାରିବାର ୧୦ ଦିନ ପରେ ବନ ବିଭାଗ ଏହାର ସୂଚନା ପାଇବା ସାଧାରଣରେ ବିସ୍ମୟ ସୃଷ୍ଟି କରିଥିଲା। ଏହି ଘଟଣାର ଦିନକପରେ ଅର୍ଥାତ୍ ଗତକାଲି(ବୁଧବାର) ବଘିଆପଡା ସେକ୍ସନ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲର ୮ ନମ୍ବର କମ୍ପାଟମେଣ୍ଟରୁ ଆଉ ଏକ ହାତୀର ମୃତଦେହ ଉଦ୍ଧାର କରାଯିବା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହାତୀର ଦାନ୍ତ ମଧ୍ୟ ଶିକାରୀ କାଟି ନେଇଥିବାବେଳେ ଏହା ଦନ୍ତା ହାତୀ ଥିଲା କି ନାହିଁ ସ୍ପଷ୍ଟ ହୋଇନାହିଁ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ଏନେଇ ବନ ବିଭାଗ ମୁହଁ ଖୋଲିନଥିବାବେଳେ ଆଜି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଦ୍ୱିତୀୟ ହାତୀର ଶବ ସଂପର୍କରେ ଗତକାଲି ସୂଚନା ମିଳିଥିବା ଶ୍ରୀକମ୍ପ ସ୍ୱୀକାର କରିବା ସହିତ ମୃତଦେହଟି ପଚି ଯାଇଥିବାରୁ ଏହା ଦନ୍ତା ହାତୀ ଥିଲାକି ନୁହେଁ ସ୍ପଷ୍ଟ ହୋଇନାହିଁ ପ୍ରକାଶ କରିଛନ୍ତି। ଉଭୟ ହାତୀଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ସନ୍ଦେହ ଘେରରେ ରହିଥିବାବେଳେ ମୃତ ହାତୀର ମୃତଦେହକୁ ମେଟାଲ ଡିଟେକ୍ଟରରେ ପରୀକ୍ଷା କରାଯିବାପରେ ଶରୀରରୁ କୌଣସି ଗୁଳି ବାହାରିନାହିଁ, ତେଣୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଗତ ୧୩ ତାରିଖ ପର୍ଯ୍ୟନ୍ତ ହାତୀଙ୍କୁ ଟ୍ରାକିଂ କରାଯାଇଥିବାବେଳେ ତା ପରଠାରୁ କୌଣସି ରିପୋର୍ଟ ଆସିନଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ଗତ ୧୩ ତାରିଖ ପରେ ହାତୀ ଶୀକାର କରାଯାଇଥିବା ସନ୍ଦେହ କରାଯାଉଅଛି।

Comments are closed.