ଦାନ୍ତ ପାଇଁ ଦନ୍ତା ଶିକାର

ବୌଦ୍ଧ  : ବୌଦ୍ଧ ଜିଲା ବନବିଭାଗ ବଘିଆପଡା ସେକସନର ଭୁର୍କିପଡା ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ମୃତଦେହ  ମଙ୍ଗଳବାର ଦିନ ବୌଦ୍ଧ ବନବିଭାଗ ପକ୍ଷରୁ ଠାବ କରାଯାଇଛି। ମିଳିଥିବା ସୂଚନା ମୁତାବକ ଭୁର୍କିପଡା ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ମୃତଦେହ  ପଡି ରହିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେବା ସହିତ ଏହି ସୂଚନା ବନ ବିଭାଗ ନିକଟରେ ପହଞ୍ଚିଥିଲା। ହାତୀକୁ କେହି ଶିକାରୀ ଦାନ୍ତ ଉଦ୍ଦେଶ୍ୟରେ ମାରି ଦେଇଥିବା ଜଣାପଡିଛି। ହାତୀଟି ଦୀର୍ଘ ୧୦/୧୨ ଦିନ ହେବ ମରିପଡିଥିବା ବେଳେ ଏବେ ଦେହ ସାରା ପୋକ ହୋଇଯିବାସହ ମୃତଦେହଟି ପଚିଯାଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ସେକସନର ବିଟ ଗାର୍ଡ କୌଣସି ସୁତ୍ରରୁ ଏହି ଖବର ପାଇ ବନ କର୍ମଚାରୀଙ୍କୁ ଜଣାଇଥିଲେ। ଖବର ପାଇ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ଅନ୍ୟ କର୍ମଚାରୀମାନେ ଉକ୍ତ ଜଙ୍ଗଲକୁ ଯାଇ ହାତୀର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ।
କିନ୍ତୁ ଶିକାରୀ ହାତୀର ଦାନ୍ତକୁ ନେଇଯାଇଥିବା ଜଣାପଡିଛି। ପରେ ପଶୁ ଚିକିତ୍ସକଙ୍କୁ ନେଇ ହାତୀର ମୃତଦେହ  ବ୍ୟବଛେଦ ପରେ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିବା ଜଣାପଡିଛି। ତେବେ ଜଙ୍ଗଲ ମଧ୍ୟରେ ହାତୀଟି ୧୦/୧୨ ଦିନ ମରି ପଡିଥିବାବେଳେ କିନ୍ତୁ ବନବିଭାଗ ପାଖରେ ଖବର ନଥିବା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୌଦ୍ଧ ଜିଲାରେ ଅବାଧରେ ପଶୁ ଶିକାରୀ କରାଯାଉଛି।  ସେହିପରି ପ୍ରତିବର୍ଷ ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଶହଶହ ଏକର ଅଞ୍ଚଳରେ ବିପୁଳ ମାତ୍ରାରେ ଗଂଜେଇ ଚାଷ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହେଉଛି।

Comments are closed.