ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ

ବୌଦ୍ଧ: ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହ ମଇ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷିରେ ବୌଦ୍ଧର ଐତିହାସିକ ଜିଲା ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ବୌଦ୍ଧର କିର୍ତିରାଜୀ,ଇତିହାସ ଓ ସଂସ୍କୃତି ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତତସହିତ ଏହି ସପ୍ତାହର ଶେଷଦିନ(ମଇ ୨୦ ତାରିଖ) ଜିଲ୍ଲା ସଂଗ୍ରହାଳୟକୁ ଛାତ୍ରଛାତ୍ରୀମାନେ ମାଗଣାରେ ବୁଲିବା ପାଇଁ ଦିନସାରା ଖୋଲା ରଖାଯିବ। ଏହି ବିଶେଷ ଦିବସରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ସଂଗ୍ରହାଳୟ ବୁଲିବାର ସୁଯୋଗ ପ୍ରଦାନ କରିବାକୁ ଜିଲାର ସମସ୍ତ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଉକ୍ତ ଦିବସରେ ଜିଲ୍ଲା ସଂଗ୍ରହାଳୟଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ନିଜାରତ ଅଧିକାରୀ ବିରଂଚି ଧରୁଆ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ସାହିତ୍ୟ ଏକାଡେମୀ ସଦସ୍ୟ ନିଳଲୋହିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ସଂଗ୍ରହାଳୟ ବୁଲିବା କାର୍ଯ୍ୟରେ ସହଯୋଗ କରିବା ସହିତ ସେମାନଙ୍କୁ ସଂରକ୍ଷିତ ସାମଗ୍ରୀ ଓ ବୌଦ୍ଧର ଇତିହାସ ସଂସ୍କୃତି ସଂପର୍କରେ ଧାରଣା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଏହି ସପ୍ତାହରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଇତିହାସ ଓ ସଂସ୍କୃତିପ୍ରେମୀ, ଅଭିଭାବକ, ବରିଷ୍ଠ ନାଗରିକମାନେ ସଂଗ୍ରହାଳୟ ବୁଲିବାର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Comments are closed.