ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧଜିଲା କଣ୍ଟାମାଳ ଅତିରିକ୍ତ ଜିଲ୍ଲା ଦୌରାଜଜ ଶିବ ପ୍ରସାଦ ମହାପାତ୍ର ସୋମବାର ଦିନ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶଯେ, ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ଦ୍ୱାରୁ ମେହେରଙ୍କ ଝିଅ କବିତା ମେହେର ବରଗଡ଼ ସ୍ଥିତ ନେହେରୁ ନଗରର ବଳରାମ ମେହେରଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ବିବାହ ପରେ କବିତାକୁ ଶାଶୁ ଘରେ ଯୌତୁକ ନିର୍ଯ୍ୟାତନା ଦେବାପରେ ସେ ନିଜ ଗ୍ରାମ ରକ୍ସାକୁ ଆସି ରହୁଥିଲେ। କବିତାଙ୍କ ସହିତ ତାଙ୍କ ସ୍ୱାମୀ ବଳରାମ ମେହେର ମଧ୍ୟ ଆସି ରକ୍ସା ଗ୍ରାମରେ ରହୁଥିଲେ। ସେଠାରେ ମଧ୍ୟ ବଳରାମ ପତ୍ନୀ କବିତାକୁ ପିଟାମରା କରୁଥିଲେ।

କବିତା ୯ ମାସର ଗର୍ଭବତୀ ଥିବାବେଳେ ଗତ ୨୪.୫.୨୦୨୦ ମସିହାରେ ସ୍ୱାମୀ ବଳରାମ ଶୋଇବାଘରେ ଶ୍ୱାସରୁଦ୍ଧ କରି ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ କବିତାର ବାପା ଦ୍ୱାରୁ ମେହେର ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ମନମୁଣ୍ଡା ପୋଲିସ ଅଭିଯୋଗ ପାଇବାପରେ ଥାନା କେସ ନଂ ୮୦/୨୦ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାଟି କଣ୍ଟାମାଳ ଅତିରିକ୍ତ ଜିଲ୍ଲାଦୌରାଜଜଙ୍କ ଅଦାଲତରେ (ଏସଟି ୩୯/୨୦ ) ହୋଇ ବିଚାର ହୋଇଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ ଶିବ ପ୍ରସାଦ ମିଶ୍ର ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ସ୍ୱାମୀ ବଳରାମ ମେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଦୁତିଆ ଚରଣ ସାହୁ ପରିଚାଳନା କରୁଥିଲେ।

Comments are closed.