ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲା, ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ ଏକ ନାବାଳକର ହାତ ଆଙ୍ଗୁଠି କଟା ମାମଲାର ବିଚାର କରି ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ମାଆ, ଭଉଣୀ ଓ ବଡମାଆକୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଚନ୍ଦନିଆଁମୁଣ୍ଡା ଗୁଣମଣି କର୍ମୀଙ୍କୁ ଗତ ୫.୩,୨୦୧୯ ତାରିଖରେ ଘରେ ଏକୁଟିଆ ଥିବା ବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ ଗୁଲଠୁ ବସ୍ତିଆ (୨୫) ଶାରିରୀକ ସଂର୍ପକ ରଖିବା ଉଦ୍ଦେଶ୍ୟରେ ଜୋର ଜବରଦସ୍ତ ଟଣାଓଟରା କରିଥିଲା। ଏନେଇ ଗୁଣମଣି ପାଟି କରିବାରୁ ଅଭିଯୁକ୍ତ ଗୁଲଠୁ ଛାଡି ପଳାଇଥିଲା।

ଏହି ଘଟଣାକୁ ନେଇ କିଛି ସମୟପରେ ଅଭିଯୁକ୍ତର ମାଆ ନିର୍ବାଣୀ ବସ୍ତିଆ, ଭଉଣୀ ବବିତା ବସ୍ତିଆ ଓ ବଡମାଆ ସୌଦାମିନି ବସ୍ତିଆ ଗଣ୍ଡଗୋଳ କରିବା ସହ ଗୁଣମଣୀକୁ ପିଟାମରା କରିଥିଲେ। ମାଡଖାଇ ମଧ୍ୟ ଗୁଣମଣି ଚୁପ ରହିଯାଇଥିଲେ। ଘଟଣାର ପରଦିନ ଅର୍ଥାତ ୬.୩.୧୯ରେ ଗୁଣମଣିର ନାବାଳକ ପୁଅ ଚର୍ତୁଭୁଜ କର୍ମୀ (୧୩) ପାଠ ପଢ଼ିବାକୁ ସକାଳ ୯ଟା ସମୟରେ ଦପଲା ଉଚ୍ଚବିଦ୍ୟାଳୟକୁ ଯାଉଥିବା ବେଳେ ଚନ୍ଦନିଆଁମୁଣ୍ଡା – ଦପଲା ରାସ୍ତାର ବନ୍ଧମୁଣ୍ଡାଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଅଭିଯୁକ୍ତ ଗୁଲଠୁ ବସ୍ତିଆ ଚର୍ତୁଭୁଜକୁ ବାଟରେ ଅଟକାଇ ଛାତି ଉପରେ ବସି କଟୁରୀ ଦ୍ୱାରା ତାର ଦୁଇ ହାତ ପାପୁଲିରୁ ସବୁ ଆଙ୍ଗୁଠି କାଟି ଛିଣ୍ଡାଇ ଦେଇ ପଲାଇଥିଲା। ଖବର ପାଇ ପରିବାର ଲୋକ ଗୁରୁତର ଥିବା ଚର୍ତୁଭୁଜକୁ ପ୍ରଥମେ କଣ୍ଟାମାଳ ମେଡିକାଲକୁ ନେଇଥିବା ବେଳେ ପରେ ବୁର୍ଲା ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ।

ଏନେଇ ଗତ ୭.୩.୨୦୧୯ରେ ଗୁଣମଣି କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କଣ୍ଟାମାଳ ପୋଲିସ ପକ୍ଷରୁ ଥାନା କେସ ନଂ ୪୪/୧୯ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏହି ମାମଲାରେ ଅଭିଯୁକ୍ତ ଗୁଲଠୁ ବସ୍ତିଆ, ମାଆ ନିର୍ବାଣୀ ବସ୍ତିଆ, ଭଉଣୀ ବବିତା ବସ୍ତିଆ ଓ ବଡମାଆ ସୌଦାମିନି ବସ୍ତିଆଙ୍କ ନାମରେ ମାମଲା ରୁଜୁ କରି ଅଭିଯୁକ୍ତ ଗୁଲଠୁକୁ ଗତ ୭.୩.୨୦୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାଟି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତରେ କେସ ନଂ ଏସଟି ୨୪/୧୯ ହୋଇ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୧୬ ଜଣ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ ଶୁକ୍ରବାର ଦିନ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଗୁଲଠୁ ବସ୍ତିଆକୁ ୬ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବାସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି। ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତର ମାଆ ନିର୍ବାଣୀ ବସ୍ତିଆ , ଭଉଣୀ ବବିତା ବସ୍ତିଆ ଓ ବଡ ମାଆ ସୌଦାମିନି ବସ୍ତିଆକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦେବରଞ୍ଜନ ବିଶି ପରିଚାଳନା କରୁଥିଲେ।

Comments are closed.