ଶ୍ରୀରାମଙ୍କ ବନବାସ ଗମନ, ପୁତ୍ର ବିରହରେ ଦଶରଥଙ୍କ ପରଲୋକ

ବୌଦ୍ଧ: ବର୍ଣ୍ଣାଢ୍ୟ ପରିବେଶ ଓ ପ୍ରବଳ ଜନଗହଳି ମଧ୍ୟରେ ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ତୃତୀୟ ଦିବସରେ ପହଞ୍ଚିଛି। ଯାତ୍ରାର ଦ୍ୱିତିୟ ଦିବସରେ ମହାସମାରୋହରେ ରାମ ସୀତା ବିବାହ ଉତ୍ସବ ପାଳନ କରାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର, ରାମଲୀଳା ନାଟ୍ୟସଂସଦର ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ତହସିଲଦାର ଅବିନାଶ ପାଣ୍ଡିଆ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ସ୍ଥପତି ସୁମନ ଷଡଙ୍ଗୀ ପ୍ରମୁଖ ଶ୍ରୀରାମଚନ୍ଦ୍ରଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ବୁଟୁପାଲି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପରମ୍ପରା ଅନୁଯାୟୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୀତାଙ୍କ ସ୍ୱୟଂମ୍ବର ସଭା, ଶିବଧନୁ ଭଙ୍ଗ ଓ ରାମସୀତା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ବରଯାତ୍ରୀ ଦଳଙ୍କୁ ବୁଟୁପାଳି ବାସୀନ୍ଦାଙ୍କ ପକ୍ଷରୁ ପ୍ରସାଦ ସେବନ କରାଯାଇଥିଲା। ପାଖାପାଖି ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଏହି ପବିତ୍ର ବିବାହ ଉତ୍ସବ ଦେଖିବାକୁ ସାମିଲ ହୋଇଥିଲେ। ଯାତ୍ରାର ତୃତୀୟ ଦିବସରେ ଭଗବାନ ଶ୍ରୀରାମ ମାତା ସୀତାଙ୍କ ସମେତ ତାଙ୍କର ଅନ୍ୟ ଭାଇ ଏବଂ ବଧୁମାନଙ୍କୁ ଅଯୋଧ୍ୟାବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ପରେ ନାଟକ ରାମ ବନବାସ ଅନୁଷ୍ଠିତ ହୋଇଥିଲା। ପିତୃ ସତ୍ୟ ପାଳନ କରିବା ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ବନ ଗମନ କରିବା ପରେ ପୁତ୍ର ବିରହରେ ରାଜା ଦଶରଥଙ୍କ ପରଲୋକ ହୋଇଥିଲା। ଭବାନିଶଙ୍କର ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନା ଓ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଉକୃଷ୍ଟ ଲେଖନୀ ଚାଳନାରେ ଯାତ୍ରାନୁଷ୍ଠାନର କଳାକାରମାନେ ନିଖୁଣ ଭାବରେ ପୌରାଣିକ କଥାବସ୍ତୁ ଅନୁଯାୟୀ ଚରିତ୍ର ଗୁଡିକୁ ପ୍ରଦର୍ଶନ କରିଥିଲେ। ୧୮ ଦିନର ଏହି ପ୍ରସିଦ୍ଧ ରାମଲୀଳା ଯାତ୍ରାରେ ଦିନ ଗଡ଼଼ିବା ସହିତ ଭକ୍ତଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।

Comments are closed.