ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‍ ହେଲା ନିମୋକୋକାଲ୍‍ କନ୍‍ଜୁଗେଟ୍‍ ଟିକା

ବୌଦ୍ଧ: ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍‍ କନ୍‍ଜୁଗେଟ୍‍ ଟିକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‍ କରାଯାଇଛି। ରାଜ୍ୟସ୍ତରରେ ଏକ ଭିଡିଓ କନ୍‍ଫରେନ୍ସ୍‍ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‍ଘାଟନ କରିଥିଲେ। ଏ ପରିପ୍ରକ୍ଷୀରେ ବୌଦ୍ଧ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ୍‍ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ନିମୋକୋକାଲ୍‍ କନ୍‍ଜୁଗେଟ୍‍ ଟିକାକରଣର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ କଂଟାମାଳ ବିଧାୟକ ମହିଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ। ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ସ୍ୱାଗତ ଭାଷଣ ଦେବା ସହ ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବାରେ ନିମୋକୋକାଲ୍‍ ଟିକାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଦୃଶ୍ୟଶ୍ରାବ୍ୟ ଯୋଗେ ନିମୋକୋକାଲ୍‍ କନ୍‍ଜୁଗେଟ୍‍ ଟିକାକରଣ କାର୍ଯ୍ୟକ୍ରମର ଏକ ବିସ୍ତୃତ ଉପସ୍ଥାପନା କରିଥିଲେ।

ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‍ ଧନ୍ୟବାଦ ଅର୍ପଣ କରିଥିଲେ। ଗତ ୨୦୨୦-୨୧ ବର୍ଷରେ ବୌଦ୍ଧଜିଲ୍ଲାରେ ଏକ ବର୍ଷ ମଧ୍ୟରେ ମୋଟ ୧୦୬ ଜଣ ଶିଶୁଙ୍କ ମଧ୍ୟରୁ କେବଳ ନିମୋନିଆ ସଂକ୍ରମଣରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି। ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଏହି ଟିକା ସାମିଲ୍‍ ହେବା ଫଳରେ ଜିଲ୍ଲାରେ ବର୍ଷକୁ ପ୍ରାୟ ୭୫୦୦ଶିଶୁଙ୍କୁ ନିମୋନିଆ ତଥା ମସ୍ତିଷ୍କଜ୍ୱରରୁ ସୁରକ୍ଷା ଦିଆଯାଇ ପାରିବ। ଜନ୍ମର ପ୍ରଥମବର୍ଷ ମଧ୍ୟରେ ଶିଶୁଙ୍କୁ ଏହିଟିକାର ତିନିଟି ମାତ୍ରା ଦେଢମାସ, ସାଢେ ତିନିମାସ, ନଅମାସରେ ପ୍ରଦାନ କରାଯିବ। ଆସନ୍ତା ଜୁଲାଇ ମାସ ପ୍ରଥମ ବୁଧବାରଠାରୁ ସମଗ୍ର ଜିଲ୍ଲାର ୨୭୨ଟି ଟିକାକରଣ କେନ୍ଦ୍ରରେ ଏହି ପିସିଭି ଟିକା ଦେଢମାସ ହୋଇଥିବା ସମସ୍ତ ଶିଶୁଙ୍କୁ ମାଗଣାରେ ଦିଆଯିବ। ଏଥିନିମନ୍ତେ ଜିଲ୍ଲାସ୍ତରରେ ସମସ୍ତ ପ୍ରସ୍ତୁତି ଓ ସ୍ୱସ୍ଥ୍ୟକର୍ମୀଙ୍କ ତାଲିମ୍‍ ଶେଷ ହୋଇଅଛି। ଜିଲ୍ଲାରେ ପ୍ରଥମଥର ପାଇଁ ଆଜି ୯ ଜଣ ଶିଶୁଙ୍କୁ ଏହି ଟିକା ଦିଆ ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ମଦନମୋହନ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା. କିଶୋରଚନ୍ଦ୍ର ପଟ୍ଟନାୟକ, ଶିଶୁରୋଗ ବିଶେଷଜ୍ଞ ଡା. ବିଜୟ କୁମାର ସାହୁ, ଡିପିଏମ୍‍ ରୂପକ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ଡିଡିଏମ୍‍ ଅଶୋକ କୁମାର ମିଶ୍ର, ଦୋଳଗୋବିନ୍ଦ ପ୍ରଧାନ, ଅମ୍ରିତା ପଟ୍ଟନାୟକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏଡିପିଏଚସିଓ ରବିନ୍ଦ୍ର କୁମାର ପ୍ରଧାନ ଓ ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments
Loading...