ଦୁଇ ବିଚାରପତିଙ୍କ ସହ ବିଚାର ବିଭାଗର ୨୮ କର୍ମଚାରୀ କରୋନା ଆକ୍ରାନ୍ତ, ୧୬ ପର୍ଯ୍ୟନ୍ତ ନ୍ୟାୟାଳୟ ବନ୍ଦ

ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟ କରିବେ ବିଚାରପତି

ବୌଦ୍ଧ :ବୌଦ୍ଧରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ବିଚାର ବିଭାଗ ମଧ୍ୟ ଏଥିରୁ ବାଦ ପଡିନାହିଁ। ସୂଚନା ମୁତାବକ ୨ ଜଣ ବିଚାରପତିଙ୍କ ସହ ବିଚାର ବିଭାଗର ୨୮ ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି। ଏହାପରେ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ନ୍ୟାୟାଳୟକୁ ବନ୍ଦ କରିଦିଆଯାଇଛି। ବିଚାରପତିମାନେ ଭିଡିଓ କନଫରେନ୍ସିଂ ଜରିଆରେ ଘରେ ରହି ଜରୁରୀ ମାମଲାର ଶୁଣାଣି କରିବାକୁ ଜିଲା ଦୌରାଜଜ ଅରବିନ୍ଦ କୁମାର ଗୁରୁ ନିର୍ଦେଶ ଦେଇଥିବା ଜଣାପଡିଛି।
ନ୍ୟାୟାଳୟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଜିଲା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ୍ ଅଞ୍ଚଳ ଭାବରେ ଘୋଷଣା କରିବାକୁ ଜିଲାଦୌରାଜଜ୍ ଓ ଜିଲାପାଳଙ୍କୁ ଲିଖିତ ଭାବରେ ଅନୁରୋଧ କରାଯାଇଥିଲା। ଏହାପରେ ଦୁଇଦିନ ପାଇଁ ପ୍ରଶାସନ ପକ୍ଷରୁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ୍ ଘୋଷଣା କରାଯାଇଥିଲା। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଜିଲା ଦୌରାଜଜ୍ ଶ୍ରୀ ଗୁରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କୋର୍ଟ ପରିସରକୁ କୌଣସି କର୍ମଚାରୀ ନଯିବାକୁ ନିର୍ଦେଶ ଜାରି କରିବା ସହିତ ବିଚାରପତିମାନେ ଆବାସିକ କାର୍ଯ୍ୟାଳୟଠାରେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଆଇନଜିବୀମାନେ ମାମଲା ଗୁଡିକ ଇମେଲ ଜରିଆରେ ଦାଖଲ କରିବାକୁ ନିର୍ଦେଶ ଜାରି କରାଯାଇଥିବା ଜଣାଯାଇଛି ଏବଂ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଲୋକଅଦାଲତ ରାଜ୍ୟ ଆଇନସେବା ପ୍ରାଧିକରଣର ନିୟମ ଅନୁଯାୟୀ ହେବ ବୋଲି ସୂଚନା ଦିଆଯାଇଛି।
ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ଜିଲାରେ ୪୧ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ବାଉଁଶୁଣୀ ଥାନାର ୬ ଜଣ କର୍ମଚାରୀ,ହରଭଙ୍ଗା ବ୍ଲକ ବିରାମଚନ୍ଦ୍ରପୁରର ୨ ଜଣ,ଚାରିଛକର ୨ଜଣ, କରଞ୍ଜକଟା, ତୁଣ୍ଡମାଳ, ରତାଖଣ୍ଡି ଓ ମାଉଳସିଙ୍ଗା ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ସହରରୁ ୨୪ ଜଣ ଓ ଜିଲା ବାହାରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୮ରେ ପହଞ୍ଚିଥିବାବେଳେ ୬୨୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି।

Comments are closed.