ପେଟ୍ରୋଲପମ୍ପ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ମୁଖ୍ୟ ଆସାମୀ ସହ ୫ ଜଣ ଗିରଫ

ବୌଦ୍ଧ : ବୌଦ୍ଧ ସହରର ପେଟ୍ରୋଲପମ୍ପ ମାଲିକ ନଟବର ଅଗ୍ରୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଉପରେ ଚାପ ବଢି ଚାଲିଥିବାବେଳେ ମୁଖ୍ୟ ଆସାମୀ ସହ ୫ ଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିବାରେ ସଫଳ ହୋଇଛି। ବୌଦ୍ଧ ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଭି. ରଘୁନାଥ ରାଓ ଆକ୍ରମଣ ଘଟଣାରେ ପୂର୍ବରୁ ରଫିକ ଖାନ(୪୦) ନାମକ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗତକାଲି ନୟାଗଡରୁ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ। ଗିରଫ ହୋଇଥିବା ଅନ୍ୟ ୪ ଜଣ ଅଭିଯୁକ୍ତ ହେଲେ ସୟଦ ଅରବାଜ ଇସଲାମ ଉର୍ଫ ରୋନକ(୩୦), ସିପୁନ ଭଞ୍ଜ(୨୭), ରାଜା ରଞ୍ଜନ ଶତପଥି(୨୪) ଓ ଦୁତିଆ ସିଂ (୨୬) ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସମସ୍ତ ଅଭିଯୁକ୍ତ ବୌଦ୍ଧ ସହରର ହୋଇଥିବା ବେଳେ ରୋନକ ଓ ରଫିକ ନାମରେ ପୂର୍ବରୁ ଅନେକ କେଶ ରହିଥିବା ଏସ୍ପି ଶ୍ରୀରାଓ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଆଉଜଣେ ଅଭିଯୁକ୍ତ ଫେରାର ରହିଥିବା ଏବଂ ଖୁବ ଶିଘ୍ର ଗିରଫ କରାଯିବା ନେଇ ପ୍ରୟାସ କରାଯାଉଅଛି ବୋଲି ସୂଚନା ଦିଆଯାଇଛି। ଗିରଫ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଶ୍ରୀ ଅଗ୍ରୱାଲାଙ୍କୁ ଆକ୍ରମଣ ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ୱେଲଡିଂ ଦୋକାନରୁ କିଛି ଲୁହା ପାଇପ ଚୋରୀ ହୋଇଥିବା ଏବଂ ସେହି ପାଇପ ଗୁଡିକ ଗମ୍ଭାରୀପଦର ଗ୍ରାମର କିଛି ଲୋକ ନେଇଯାଇଥିବାରୁ ଦୋକାନ ମାଲିକ ସୌମିତ୍ରି ଭୋଇ ସେସବୁ ଉଦ୍ଧାର ପାଇଁ ଅଭିଯୁକ୍ତମାନଙ୍କ ସହାୟତା ନେଇଥିଲେ। ପାଇପ ଉଦ୍ଧାର କରି ଅଭିଯୁକ୍ତମାନେ ଫେରିବା ରାସ୍ତାରେ ଶ୍ରୀ ଅଗ୍ରୱାଲାଙ୍କ ପେଟ୍ରୋଲ ପମ୍ପ ନିକଟରେ ସମାନ ଏକ ପାଇପ ପଡିଥିବାରୁ ସେ ସମ୍ପର୍କରେ ପଚରା ଉଚୁରା କରିଥିଲେ।

 

ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପର କର୍ମଚାରୀ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। କିନ୍ତୁ ପେଟ୍ରୋଲପମ୍ପ ମାଲିକ ଶ୍ରୀ ଅଗ୍ରୱାଲା ମାମଲାରେ ହସ୍ତକ୍ଷେପ କରି ସମସ୍ତଙ୍କୁ ବୁଝାଇ ପଠାଇଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପେଟ୍ରୋଲପମ୍ପର ଅନ୍ୟଜଣେ କର୍ମଚାରୀ ଗଛକାଟୁଥିବାବେଳେ ହାତରେ ଏକ ଟାଙ୍ଗିଆ ଧରି ସେହି ସ୍ଥାନରେ ପହଞ୍ଚିଥିଲେ। ପମ୍ପ ମାଲିକଙ୍କ ନିର୍ଦ୍ଦେଶରେ ପମ୍ପ କର୍ମଚାରୀ ଆକ୍ରମଣ ପାଇଁ ଟାଙ୍ଗିଆ ନେଇ ଆସିଥିବା ଆଶଙ୍କା କରି ଅଭିଯୁକ୍ତମାନେ ହଠାତ ଉତ୍କ୍ଷିପ୍ତ ହୋଇ ଶ୍ରୀଅଗ୍ରୱାଲାଙ୍କୁ ଆକ୍ରମଣ କରିଥିଲେ। ଘଟଣାକୁ ଅନ୍ୟରୂପ ଦିଆଯିବା ଓ ବିଭିନ୍ନ ସଂଗଠନ ପକ୍ଷରୁ ଚାପ ସୃଷ୍ଟି କରାଯିବାପରେ ବୌଦ୍ଧଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ନେତୃତ୍ୱରେ ଏସଅ୍ଧବ ରାମ ସୁବ୍ରମଣ୍ୟମ ପ୍ରଧାନ, ତପନ କୁମାର ସ୍ୱାଇଁ ଓ ଏଏସଆଇ ରମାକାନ୍ତ ପ୍ରଧାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଅଭିଯୁକ୍ତମାନଙ୍କ ମୋବାଇଲ ରେକର୍ଡକୁ ଅନୁଧ୍ୟାନ କରି ପୋଲିସ ଅଭିଯୁକ୍ତମାନଙ୍କୁ ନୟାଗଡରୁ ଗିରଫ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଉପସ୍ଥିତ ଥିଲେ।

Comments are closed.