ସମାପାଜୁର ରଘୁ ଚଳଚ୍ଚିତ୍ରର କଳାକାରଙ୍କ ସହ କେକ୍‍ କାଟିଲେ ଜିଲାପାଳ

ବୌଦ୍ଧ: ଓଡ଼ିଆ ସିନେମାର ପ୍ରସିଦ୍ଧ କଳାକାର ମନୋଜ ମିଶ୍ରଙ୍କ ପ୍ରଯୋଜନାରେ ସମାପାଜୁର ରଘୁ ନାମକ ଓଡିଆ ଚଳଚ୍ଚିତ୍ର ରବିବାର ମୁକ୍ତିଲାଭ କରିଛି। ଏହି ଚଳଚିତ୍ରର ୯୦% ପ୍ରତିଶତ ଶୁଟିଂ ବୌଦ୍ଧ ଜିଲାରେ ହୋଇଥିବାବେଳେ ଏଥିରେ ବୌଦ୍ଧର ଅନେକ କଳାକାର ମଧ୍ୟ ଅଭିନୟ କରିଛନ୍ତି। ବିଶେଷ ଭାବରେ କାହାଣୀର କେନ୍ଦ୍ରବିନ୍ଦୁ ହୋଇଥିବା ବୌଦ୍ଧର ଶିଶୁ କଳାକାର ପରୀର ନିଖୁଣ ଅଭିନୟ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ବୌଦ୍ଧ ଜିଲାର ଏକ ଦୁର୍ଗମ ଆଭ୍ୟନ୍ତରୀଣ ଗ୍ରାମ ସମାପାଜୁକୁ ନେଇ ଚଳଚିତ୍ର କାହାଣୀର କଥାବସ୍ତୁ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ନେଇ ବୌଦ୍ଧ ଜିଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ବୌଦ୍ଧର ସିନେ କଳାକାର ଚିନ୍ମୟ ମିଶ୍ର(ପପୁ)ଙ୍କ ଦ୍ୱାରା ଏହି ଚଳଚିତ୍ର ନିର୍ଦ୍ଦେଶନା ଦିଆଯାଇଥିବାବେଳେ ମୁଖ୍ୟ ଚରିତ୍ରରେ ମନୋଜ ମିଶ୍ର ଓ ସୁର୍ୟମୟୀ ଅଭିନୟ କରିଛନ୍ତି। ବୌଦ୍ଧର କଳାକାର ଗୋପାଳକୃଷ୍ଣ ବେହେରା,ମାନସ ମିଶ୍ର,କାବୁ ବୋଷ,ପ୍ରବୀର ଦାସ,ଆସ୍ଥା ଦାଶ,ସସ୍ମିତା ବାରିକ୍‍,ବିଜୟଲକ୍ଷ୍ମୀ ସେଠୀ,ସାଇ ଲକ୍ଷ୍ମୀ,ଚନ୍ଦ୍ରମା ଯୋଷୀ,ପ୍ରସନ୍ନ ଜେନା,ଇନ୍ଦ୍ରମଣି ମେହେର,ଅଶୋକ କୁମାର,କାହ୍ନା ପ୍ରଧାନ,ଆଲୋକ ମେହେର,ବିଦେଶୀ,ଶ୍ରୁତୀ ଚିନ୍ମୟୀ ପ୍ରଧାନ,କାଲି ପ୍ରସାଦ ନାଏକ ଓ ପ୍ରିଂଶୁ ପ୍ରମୁଖ ଚଳଚିତ୍ରରେ ଛୋଟ ଛୋଟ ତଥା ଚତ୍ମକାର ଅଭିନୟ କରିଛନ୍ତି। ଚଳଚିତ୍ରର ମୁକ୍ତିଲାଭ ଅବସରରେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ତହସିଲଦାର ଅବିନାଶ ପାଣ୍ଡିଆ ବୌଦ୍ଧର କଳାକାରମାନଙ୍କ ଗହଣରେ କେକ୍‍ କାଟିବା ସହିତ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ। ଏହି ଚଳଚିତ୍ରରେ ବୌଦ୍ଧ ଜିଲାର ପ୍ରାକୃତିକ ଶୋଭାରାଜିର ଝଲକ ଦର୍ଶକମାନଙ୍କୁ ଆନନ୍ଦ ଦେବା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଅଛି।

Comments are closed.