ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ଜିଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଜିଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ ସମୟରେ ଶିକ୍ଷଣ ବ୍ୟବସ୍ଥା ସମସ୍ତ ପିଲା କିପରି ପାଇବେ, କେତେ ଜଣଙ୍କ ପାଖରେ ସ୍ମାର୍ଟ ଫୋନ ଅଛି, ଆଉ କେଉଁ ପିଲା ତାଙ୍କ ସହିତ ସାମିଲ ହୋଇ ପାରିବେ, ବଳକା ପିଲା ମାନେ ସ୍କୁଲରେ ହେଉ କିମ୍ବା ସ୍କୁଲ ବାହାରେ ୮ ରୁ ୧୦ ଜଣ କରି ଛୋଟ ଛୋଟ ଦଳରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଶଙ୍କା ମୋଚନ କରିବେ। ଯେପରି ସମସ୍ତ ପିଲାଙ୍କର ଶିକ୍ଷଣ କାର୍ଯ୍ୟ ହୋଇପାରିବ। ଶିକ୍ଷକମାନେ ୧୦ଟା ରୁ ୪ଟା ଯାଏ ବିଦ୍ୟାଳୟରେ ୬ ଘଣ୍ଟା ରହି ଉକ୍ତ କାର୍ଯ୍ୟ କରିବେ। ପ୍ରଧାନ ଶିକ୍ଷକ ମାନେ ଆସନ୍ତା ୧ ତାରିଖ ଭିତରେ ଏହାର ଆକ୍ସନ ପ୍ଲାନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଦେବେ। ନିୟମିତ ଆଭାସି ଓ ପ୍ରତ୍ୟକ୍ଷ ଶିକ୍ଷଣର ଉପସ୍ଥାନ ପଠାଇବେ। ସିଆରସିସି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠି ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାଝୀ ସୂଚନା ଦେବାସହିତ ମୋ ସ୍କୁଲ ଅଭିଯାନ ପ୍ରୋପଜାଲ ତଥା ଜମିପଟ୍ଟା ପାଇଁ ଆବେଦନ ପତ୍ର ଯେଉଁମାନଙ୍କର ବାକି ଅଛି, କାହିଁକି ଦେଇନାହାନ୍ତି ଆସନ୍ତା ସପ୍ତାହ ମଧ୍ୟରେ ଦେବେ।

ଯେଉଁମାନଙ୍କର ଆଧାର କାର୍ଡ ହୋଇନାହିଁ ସେମାନଙ୍କର କରାଯିବ। ଯେଉଁ ଘରୋଇ ବିଦ୍ୟାଳୟ ଅନୁମତି ନନେଇ ଚାଲୁଛି ସିଆରସିସିମାନେ ତଦାରଖ କରି ରିପୋର୍ଟ କଲେ ସେଗୁଡିକୁ ବନ୍ଦ କରାଯିବ ବୋଲି କହିଥିଲେ। ସ୍ୱଚ୍ଛ କାର୍ଯ୍ୟକ୍ରମର ଜିଲା ସଂଯୋଜକ ଚିତ୍ତରଞ୍ଜନ ସାମଲ ସ୍ୱଚ୍ଛବିଦ୍ୟାଳୟ ପୁରସ୍କାର ପାଇଁ ସମସ୍ତ ବିଦ୍ୟାଳୟ ନାମ ପଞ୍ଜିକରଣ କିପରି କରାଯିବ ତା ବିଷୟରେ ଆଲୋଚନା କରିଥିଲେ। ଜିଲା ଆନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା ଘରୋଇ ବିଦ୍ୟାଳୟଗୁଡିକ ନାମଲେଖାରେ ୨୫% ଦୁର୍ବଳ ଶ୍ରେଣୀକୁ ଦେବା, ଜିଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ବିଦ୍ୟାଳୟ ବିକାଶ ଯୋଜନା ଉପରେ ଆଲୋଚନା କରିଥିଲେ। ଶିକ୍ଷକ ପ୍ରଶିକ୍ଷିକା ସସ୍ମିତାରାଣୀ ପ୍ରଧାନ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୌଳିକ ଭାଷାଜ୍ଞାନ ଓ ଅଙ୍କଜ୍ଞାନ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଧନ୍ୟବାଦ ଦେଇଥିଲେ। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନଙ୍କ ସହିତ ଜିଲ୍ଲାର ସମସ୍ତ ସିଆରସିସି, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ବିଭାଗର ସଂଯୋଜକ ତଥା କାର୍ଯ୍ୟାଳୟ ସହଯୋଗୀମାନେ ଉପସ୍ଥିତ ଥିଲେ।

Comments are closed.