ତିନି ଲକ୍ଷ ଛୁଇଁଲା କୋଭିଡ୍ ପ୍ରଥମଡୋଜ୍ ଟିକା

ବୌଦ୍ଧ: କୋଭିଡ୍ ଟିକାକରଣରେ ବୌଦ୍ଧଜିଲ୍ଲାର ୧୮ରୁ ଉର୍ଦ୍ଧ ବୟସ ବର୍ଗର ପ୍ରଥମ ଡୋଜ୍ ଅଙ୍କ ଆଜି ତିନିଲକ୍ଷ ଛୁଇଁଛି। ଗତବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ନିମନ୍ତେ ୧୮ରୁ ଉର୍ଦ୍ଧ ଟିକାକରଣ ପାଇଁ ୩୨୮୮୧୦ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆଜି ସୁଦ୍ଧା ସମଗ୍ର ଜିଲ୍ଲାର ୩୦୦୦୨୦ ଜଣକୁ ପ୍ରଥମ ଡୋଜ୍ କୋଭିସିଲ୍ଡ୍ ଟିକା ଦିଆ ସରିଛି ଯାହା ମୂଳ ଲକ୍ଷ୍ୟର ୯୧.୨ ପ୍ରତିଶତ ଅଟେ। ଜିଲ୍ଲାରେ ୬୦ ବର୍ଷରୁ ଉର୍ଦ୍ଧ ବର୍ଗରେ ୯୨.୨, ୪୫ ବର୍ଷରୁ ଉର୍ଦ୍ଧ ବର୍ଗରେ ୯୦.୩ ଓ ୧୮ ବର୍ଷରୁ ଉର୍ଦ୍ଧ ବର୍ଗରେ ୮୮ ପ୍ରତିଶତ ବ୍ୟକ୍ତି କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ନେଇ ସାରିଛନ୍ତି। ସମୁଦାୟ ୭୫.୭ ପ୍ରତିଶତ ବ୍ୟକ୍ତି ଦ୍ବିତୀୟ ମାତ୍ରା କୋଭିସିଲ୍ଡ ଟିକା ନେଇ ସାରିଛନ୍ତି।

ସେହିଭଳି ଚଳିତ ଜାନୁଆରୀ ୩ ତାରିଖରୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୪୬.୮ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସ୍କ କିଶୋରଙ୍କୁ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଇଛି। କୋଭିଡ୍ ଦ୍ବିତୀୟମାତ୍ରା ଟିକାର ନଅ ମାସ ପୂର୍ଣ୍ଣ ହୋଇସାରିଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ କୋଭିଡ୍ ଯୋଦ୍ଧା ତଥା ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଚଳିତ ଜାନୁଆରୀ ୧୦ ତାରିଖ ଠାରୁ କୋଭିଡ୍ ପ୍ରିକସନ୍ ଡୋଜ୍ ଟିକା ଦିଆ ଯାଉଛି। ଜିଲ୍ଲାର ୨୪ଟି ସ୍ଥାୟୀ କୋଭିଡ୍ ଟିକାକରଣ କେନ୍ଦ୍ର ସମେତ ଗ୍ରାମାଂଚଳରେ ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ଘରକୁ ଘର ବୁଲି ଟିକା ନ ନେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କୋଭିଡ୍ ଟିକା ପ୍ରଦାନ କରାଯାଉଛି। ଟିକାକରଣକୁ ଆହୁରି ବ୍ୟାପକ ଓ ସଂପୂର୍ଣ୍ଣ କରିବା ପାଇଁ ଓ୍ବାସିଡିଏ ତଥା ପ୍ଲାନ୍ ଇଣ୍ଡିଆ ଭଳି ସ୍ବେଚ୍ଛାସେବୀ ସଂସ୍ଥା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ଜାନୁଆରୀ ଶେଷସୁଦ୍ଧା ଜିଲ୍ଲାର ବାକିଥିବା ସମସ୍ତ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦେଇ ପ୍ରଥମ ଡୋଜ୍ ଟିକାକୁ ଶତପ୍ରତିଶତରେ ପହଂଚେଇବାକୁ ଲକ୍ଷ୍ୟଧାର୍ଯ୍ଯ କରାଯାଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

Comments are closed.