ଚୋରା ଗଞ୍ଜେଇ ଚାଲାଣ ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ: ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ଏକ ଚୋରା ଗଞ୍ଜେଇ ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ଗୁରୁବାର ଦିନ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ୮.୩.୨୦୧୯ ମସିହାରେ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ କଣ୍ଟାମାଳ ଥାନାର ମାତାକୁପା ଘାଟି ଉପରେ ଅବକାରୀ ତନଖି କାର୍ଯ୍ୟ କରାଯାଉଥିଲା। ସକାଳ ୭ ଟା ସମୟରେ ଉକ୍ତ ଘାଟି ରାସ୍ତାରେ ବୁଢାଖୋଲ ଛକ ଆଡକୁ ଏକ ମଟରସାଇକେଲ ଆସୁଥିବା ବେଳେ ପଛପଟେ ଏକ ଜରି ବସ୍ତା ବନ୍ଧା ହୋଇଥିବାରୁ ସନ୍ଦେହରେ ଅବକାରୀ କର୍ମଚାରୀମାନେ ଗାଡିକୁ ବୁଢାଖୋଲ ଛକ ଠାରେ ଅଟକାଇଥିଲେ। ଗାଡିରେ ଗଞ୍ଜେଇ ଥିବା ଜାଣିବାପରେ ଅବକୀରୀ କର୍ମଚାରୀମାନେ ତାକୁ ଅଟକ ରଖିଥିଲେ ଏବଂ ଭାସ୍କର ସାହୁ (୬୦)କୁ ଗିରଫ କରିଥିଲେ।

ଅବକାରୀ କର୍ମଚାରୀମାନେ ଜରି ବସ୍ତାରୁ ୯୦୦ ଗ୍ରାମ ଗଞ୍ଜେଇ ଜବତ କରିବାସହ ଗାଡିକୁ ମଧ୍ୟ ଜବତ କରିଥିଲେ। ଏକ ମାମଲା ରୁଜୁ କରିି ଅଭିଯୁକ୍ତ ଭାସ୍କର ସାହୁକୁ ଗିରଫ କରି ଗତ ୮.୩.୧୯ ରେ ବିଚାର ପାଇଁ କୋର୍ଟକୁ ପଠାଇଥିଲେ। ପରେ ଉକ୍ତ ମାମଲାଟି ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ କେସ ନଂ ୨ଏ (ସିସି) ୩/୧୯ ହୋଇ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲାଦୌରାଜଜ ବିକ୍ରମ କୁମାର ପ୍ରଧାନ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଗୁରୁବାର ଦିନ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ଆଇନଜିବୀ ଅଶୋକ କୁମାର ସାହୁ ପରିଚାଳନା କରୁଥିଲେ।

Comments are closed.