ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ବୌଦ୍ଧ: ବୌଦ୍ଧର ୫ଟି ଅନ୍ତର୍ଭୁକ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଧୃବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟକୁ ଆସିବାବେଳେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ନିଜ ଜିନିଷ ନିଜେ ବ୍ୟବହାର କରିବା, ପିଲାମାନଙ୍କର ଶିକ୍ଷଣରେ କିପରି ବିକାଶ ହୋଇପାରିବ, ଗୁଣାତ୍ମକ ଶିକ୍ଷାଦାନ ଦେଇ ଅଭିଭାବକ ଓ ଶିକ୍ଷକମାନଙ୍କୁ ସଚେତନ କରାଯିବା ସହିତ ଅଭିଭାବକ ସଚେତନ ହେଲେ ପିଲାର ବିକାଶ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା। ଏଥିସହିତ ୫ଟି ଦ୍ୱାରା ପିଲାଙ୍କୁ ସ୍ମାର୍ଟ କ୍ଲାସ ଓ ଉନ୍ନ ଶିକ୍ଷଣ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ପ୍ରଧାନଶିକ୍ଷକ ଶ୍ରୀ ଘିବେଲା ପ୍ରକାଶ କରିଥିଲେ।

ବରିଷ୍ଠ ଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ପିଲାଙ୍କର ବେସଲାଇନ ପରୀକ୍ଷା ଫଳ ଉପରେ ଆଲୋଚନା କରିଥିବା ବେଳେ ଶିକ୍ଷୟିତ୍ରୀ ପଦ୍ମଜା ପତି ନୂତନ ମୂଲ୍ୟାଙ୍କନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅଭିଭାବକ ରଘୁନାଥ ଷଡଙ୍ଗୀ ନୂତନ ଶିକ୍ଷଣ ବ୍ୟବସ୍ଥା ପିଲାଙ୍କ ଆଗ୍ରହ ବଢାଉଛି ବୋଲି ମତ ପ୍ରକାଶ କରିଥିବା ବେଳେ ଅଭିଭାବିକା ସରିତା ମେହେର, ରଞ୍ଜିତ ପଟ୍ଟନାୟକ, ଇନ୍ଦ୍ରମଣି ମେହେର ଅନଲାଇନ ଶିକ୍ଷଣ ଓ ବୈଠକର ଆଲୋଚନା ଉପରେ ମତବ୍ୟକ୍ତ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସୁଧାରାଣୀ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଓ ଅଭିଭାବିକାମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.